ଭାଇଜାନ ୫ବର୍ଷ ଜେଲରେ କାଟିଲେ ବୁଡିଯିବ ଫିଲ୍ମ ଇଣ୍ଡଷ୍ଟ୍ରିର ୧ ହଜାର କୋଟି ଟଙ୍କା

ଦୁଇ ଦଶକର ପୁରୁଣା କୃଷ୍ଣସାର ମୃଗ ଶିକାର ମାମଲାରେ ସୁପରଷ୍ଟାର ସଲମାନ୍‌ ଖାନଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏବେ ସେ ଜେଲ୍‌ ଗଲେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ୧ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି ଆକଳନ କରାଯାଇଛି ।

ସଲମାନଙ୍କୁ ୫ବର୍ଷର ଜେଲ୍‌ ଦଣ୍ଡ ହେବା ପରେ ଏବ ଇଣ୍ଡଷ୍ଟ୍ରୀର ବଡ ବଡ ନିର୍ଦ୍ଦେଶକ, ପ୍ରଯୋଜକଙ୍କ ବଢି ଯାଇଛି ଚିନ୍ତା। କାରଣ ସଲମାନଙ୍କ ଉପରେ ଲାଗିଛି କୋଟି କୋଟି ଟଙ୍କା । ସଲମାନ୍‌ ଜେଲ ଗଲେ ୧ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ କ୍ଷତି ହେବ। ଲାଇନରେ ୪ଟି ସିନେମା ରହିଥିବା ବେଳେ ଆହୁରି ଅନେକ ଫିଲ୍ମର ଯୋଜନା ମଧ୍ୟ କରାଯାଇଛି । ଆଉ ଯଦି ସଲମାନ୍‌ ୫ ବର୍ଷ ଧରି ଜେଲ୍‌ ଦଣ୍ଡ ଭୋଗିବେ, ତାହାଲେ ପ୍ରଯୋଜକଙ୍କୁ ସହିବାକୁ ପଡିବ ଏତେ ବଡ କ୍ଷତି । ଏହି ତାଲିକାରେ ପ୍ରଥମେ ରହିଛି ରେସ୍‌- ଥ୍ରୀ। ସଲମାନ୍‌ ଖାନ୍‌ ଓ ରମେଶ ତୁରାନୀଙ୍କ ପ୍ରଯୋଜିତ ଏହି ସିନେମାର ପ୍ରାୟ ୯୦ ପ୍ରତିଶତ ସୁଟିଂ ଶେଷ ହୋଇଛି। ଆଉ ଚଳିତ ବର୍ଷ ଇଦରେ ରିଲିଜ୍‌ ହେବା ନେଇ ଦିନ ଧାର୍ଯ୍ୟ କରାଯାଇଛି। ରେସ୍‌ – ଥ୍ରୀ ପରେ ସଲମାନ୍‌ ନିର୍ଦ୍ଦେଶକ ଅଲ୍ଲି ଅବାସ ଜାଫଙ୍କ ‘ଭାରତ’, ସାଜିଦ୍‌ ନାଦିଆୱାଲାଙ୍କ କିକ୍‌ – 2 ଏବଂ ଦବଙ୍ଗ – ଥ୍ରୀର ସୁଟିଂ କରିବାର ମଧ୍ୟ ସିଡ୍ୟୁଲ୍‌ କରାଯାଇଥିଲା। ହେଲେ ଏବେ ଚିନ୍ତାରେ ପଡିଛନ୍ତି ଏହି ସବୁ ଫିଲ୍ମର ନିର୍ମାତାମାନେ।

ଭାଇଜାନଙ୍କୁ ଯଦି ଜେଲରେ ୫ବର୍ଷ କାଟିବାକୁ ପଡେ ତେବେ ଏହାର ପ୍ରଭାବ ତାଙ୍କର ଟିଭି ସୋ’ ଗୁଡିକରେ ମଧ୍ୟ ପଡିବ । ‘ଦସ୍‌ କା ଦମ୍‌’ ସିରିଏଲ ନେଇ ସେ ଖୁବ୍‌ ଶୀଘ୍ର ଆସିବାର ଥିଲା । ଏହାର ପ୍ରମୋ ରିଲିଜ୍‌ ସରିଥିବା ବେଳେ ସୁଟିଂ ଆରମ୍ଭ ହୋଇନଥିଲା। ସେପଟେ ସେପ୍ଟେଟର ମାସରେ ଘରୋଇ ଚ୍ୟାନେଲର ସୋ ‘ବିଗ୍‌ ବସ୍‌’ରେ ନଜର ଆସନ୍ତି ସଲମାନ୍‌ ଖାନ୍‌ । ଗତ କିଛି ସିଜନ ହେଲା ‘ବିଗ୍‌ ବସ୍‌’ର ହୋଷ୍ଟ ଥିବା ସଲମାନ୍‌ ଏଥର ହୋଷ୍ଟ ଭୂମିକାରେ ନଜର ଆସିବେ କି ନାହିଁ ତାହା ଏବେ ବି ସସପେନ୍‌ସରେ ରହିଛି । କେବଳ ଟିଭି ସିରିଏଲ ଓ ଫିଲ୍ମ ନୁହେଁ ସଲମାନଙ୍କ ବ୍ରାଣ୍ଡ ଏଣ୍ଡରସମେଂଟକୁ ମଧ୍ୟ ଏହା ପ୍ରଭାବିତ କରିବ।

ସମ୍ବନ୍ଧିତ ଖବର