ଜାଣନ୍ତି କି? କାହିଁକି ପୂର୍ବକାଳର ଶାଶୂଶଶୁରମାନେ ବୋହୂଙ୍କ ନାମ ଧରି ନ ଡାକି ସେମାନଙ୍କ ବାପଘର ସାଙ୍ଗିଆ ଧରି ଡାକୁଥିଲେ?

ଏବେ ଅବଶ୍ୟ ସେକଥା ନାହିଁ। ମାତ୍ର କିଛି ବର୍ଷ ତଳକୁ ଫେରି ଯାଆନ୍ତୁ। ଆପଣଙ୍କର ମନେଥିବ ନିଶ୍ଚୟ ପୂର୍ବକାଳର ଶାଶୂଶଶୁରମାନେ ବୋହୂମାନଙ୍କର ନାଁ ଧରି ଡାକନ୍ତି ନାହିଁ। କେହି କେହି ବୋହୂ ବୋଲି ସମ୍ବୋଧନ କରିଥାନ୍ତି ତ ପୁଣି କେହି ବୋହୂଙ୍କ ବାପଘର ସାଙ୍ଗିଆ ଯଥା ଜେନା ଝିଅ, ପାତ୍ର ଝିଅ, ମିଶ୍ର ଝିଅ, ଷଡ଼ଙ୍ଗୀ ଝିଅ ଆଦି ଡାକିଥାନ୍ତି। ଖାଲି ସେତିକି ନୁହେଁ; ବୋହୂମାନଙ୍କୁ ତୁ ତାକର ନକରି ତମେ ବୋଲି ସମ୍ବୋଧନ କରିଥାନ୍ତି। ଏସବୁ ସେମିତି ମନଗଢ଼ା ଭାବେ ଚାଲିନଥିଲା। ଏହା ପଛରେ ଏକ ବିରାଟ ଉଦେଶ୍ୟ ରହିଥିଲା।

ଶାସ୍ତ୍ରସମ୍ମତ ଯେ ଯେହେତୁ ବୋହୂମାନେ ହେଉଛନ୍ତି ନିଜ ବଂଶକୁ ଆଗକୁ ନେବାର ମାଧ୍ୟମ, ତେଣୁ ସେମାନେ ସମ୍ମାନୀୟା। ସେମାନେ ଆସିବା ପରଠାରୁ ଘରର ସମସ୍ତ ଦାୟିତ୍ୱ ନିଜ ମୁଣ୍ଡରେ ବହନ କରିବା ସହ ଶଶୁରଘର ବଂଶକୁ ଆଗକୁ ନେବାର ଶପଥ ନେଇକରି ନିଜଘରୁ ପାଦ କାଢ଼ିଥାନ୍ତି। ଭିନ୍ନ ଦୃଷ୍ଟିରୁ ଦେଖିଲେ ସେ ଉଭୟ ବାପଘର ଓ ଶଶୁରଘର ଦୁଇ କୁଳର ମଙ୍ଗଳକାରୀ ହୋଇଥିବାରୁ ସେମାନେ ସମ୍ମାନୀୟା।

କୌଣସି ସମ୍ମାନସ୍ପଦ ବ୍ୟକ୍ତିକୁ ନାମ ଧରି ଡାକିବାର ପରମ୍ପରା ଆମ ଭାରତୀୟ ସଂସ୍କୃତିରେ ନାହିଁ। ବୋହୂମାନେ ଯେହେତୁ ସାନ ହୋଇଥାନ୍ତି ତାଙ୍କୁ କୌଣସି ପାହ୍ୟା ମୁତାବକ ମଧ୍ୟ ଡକା ଯାଇପାରେନା। ତେଣୁ ଏ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଶଶୁରଘରର ବୈୟୋଜ୍ୟେଷ୍ଠ ବ୍ୟକ୍ତିମାନେ ବୋହୂମାନଙ୍କୁ ସେମାନଙ୍କ ବାପାଘରର ସାଙ୍ଗିଆ ଧରି ଡାକିଥାନ୍ତି।

ବାପଘରର ପରିଚୟ ଯେକୌଣସି ଝିଅର ଦମ୍ଭ ହୋଇଥାଏ। ଜୀବନ ଯାକ ନିଜ ବାପଘରର ସାଙ୍ଗିଆ ଶାଶୁଘର ଲୋକଙ୍କ ମୁହଁରୁ ଶୁଣିଲେ ବୋହୂମାନେ ଗର୍ବ ଅନୁଭବ କରିଥାନ୍ତି। ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ ସେମାନେ ବାପଘରଠାରୁ ସମସ୍ତ ସଂପର୍କ ତୁଟାଇ ଆସିବା ପରେ ଶାଶୁଘରେ ତାଙ୍କ ସାଙ୍ଗିଆ ହିଁ ବାପାଭାଇଙ୍କ ଉପସ୍ଥିତିର ଅନୁଭବ ପ୍ରଦାନ କରିଥାଏ ବୋଲି ସେ କାଳର ଲୋକେ ବିଶ୍ୱାସ କରୁଥିଲେ।

ସମ୍ବନ୍ଧିତ ଖବର