ଗୋମାତାକୁ ବଞ୍ଚାଇବାକୁ ଯାଇ ମାଲିକର ଜୀବନ ଗଲା, ମାଲିକକୁ ସୁରକ୍ଷା ଦେବାକୁ ଯାଇଥିବା କୁକୁରର ପ୍ରାଣ ଗଲା

ମଦୁରାଇ: ହତ୍ୟା, ଦୁଷ୍କର୍ମ ପରି ଜଘନ୍ୟ ଅପରାଧ ରଚୁଥିବା ମଣିଷ ଜାତି ଯେ ଦିନକୁ ଦିନ କ୍ରୁରତାର ପରିଚୟ ଦେବାରେ ଲାଗିଛି ସେଥିରେ ତିଳେ ବି ସନ୍ଦେହ ନାହିଁ। ତା ସତ୍ତ୍ୱେ  କେଉଁଠି ନା କେଉଁଠି ଲୁଚି ରହିଛି ଟିକିଏ କରୁଣା, ଜୀବଟିଏ ପ୍ରତି ମଣିଷର ସହାନଭୂତି। ତାମିଲନାଡୁର ମଦୁରାଇ ଜିଲ୍ଲା ଅନ୍ତର୍ଗତ ଉସିଲାମପାଟିଠାରେ ଦେଖିବାକୁ ମିଳିଛି ମାନବିକତାର ଜ୍ୱଳନ୍ତ ଉଦାହରଣ। କେବଳ ମାନବିକତା କାହିଁକି, ଜଣେ କୁକୁର ବି କେମିତି ତା’ ମାଲିକ ପ୍ରତି ନିଜର କର୍ତ୍ତବ୍ୟ ନିଭାଇବାକୁ ଯାଇ ପ୍ରାଣ ଦେଇପାରେ ତାହା ଜାଣିଲେ  ଆପଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯିବେ।

ରିପୋର୍ଟ ମୁତାବକ, ଉସିଲାମପାଟିଠାରେ ପ୍ରବଳ ବର୍ଷାପବନ ହେତୁ ମଙ୍ଗଳବାର ବିଦ୍ୟୁତ୍‌ ଖୁଣ୍ଟିରୁ କିଛି କିଛି ସ୍ଥାନରେ ତାର ଛିଣ୍ଡି ପଡ଼ିଥିଲା। ସେହି ତାରରେ ଛନ୍ଦି ହୋଇ ପଡ଼ିଥିଲା କାଲକୋଣ୍ଡାଲପାଟିର କୃଷକ ଏମ୍‌ ମୋକୁସଙ୍କ ଗାଈ। ତାରରେ କରେଣ୍ଟ୍‌ ଥିବା ହେତୁ ଗାଈଟି ଛାଟିପିଟି ହେଉଥିଲା। କୃଷକ ଜଣକ ନିଜ ଜୀବନକୁ ତିଳେ ବି ଖାତିର ନକରି ନିଜ ଗାଈକୁ ରକ୍ଷା କରିବା ନିମନ୍ତେ ସେଠାକୁ ଧାଇଁ ଯାଇଥିଲେ। ଦୁର୍ଭାଗ୍ୟକୁ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ତାଙ୍କର ଦେହାନ୍ତ ଘଟିଲା। ଆଶ୍ଚର୍ଯ୍ୟର କଥା ହେଉଛି ମାଲିକକୁ ଛାଟିପିଟି ହେଉଥିବାର ଦେଖି ବଞ୍ଚାଇବା ପାଇଁ ଧାଇଁ ଯାଇଥିଲା ଏମ୍‌ ମୋକୁସଙ୍କ ପୋଷା କୁକୁର। ମାତ୍ର ସେ ମଧ୍ୟ ସେଠାରୁ ନ ମୁକୁଳି ନିଜ ଜୀବନ ହାରିଲା।

ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଛି। ଏହି ଘଟଣା ଚାରିଆଡ଼େ ପ୍ରଚାର ହେବା ପରେ ଗୋମାତା ପାଇଁ ଜୀବନ ଦେଇଥିବା ଗାଈଆଳ ଓ ଜଣେ ମାଲିକ ପାଇଁ ଜୀବନ ଦେଇଥିବା କୁୁକୁରକୁ ଦେଖିବା ପାଇଁ ଏବେ ବିଭିନ୍ନ ଆଡୁ ଲୋକ ଧାଇଁ ଆସୁଛନ୍ତି।

ସମ୍ବନ୍ଧିତ ଖବର