‘ନୀଳାଦ୍ରିବିଜେ’ର ନୈବେଦ୍ୟ ହେଉଛି ‘ରସଗୋଲା’ । କାରଣ ସେଦିନ ଏହା ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ଭୋଗ କରାଯାଇଥାଏ । ଶ୍ରୀମନ୍ଦିର ‘ସ୍ୱତ୍ୱଲିପି’ ଅନୁସାରେ, ନୀଳାଦ୍ରିବିଜେ ସମୟରେ ଶ୍ରୀମନ୍ଦିରର ଭଣ୍ଡାରଘରଠାରେ ରୁକ୍ମିଣୀ ବିବାହର ଗଇଣ୍ଠାଳ ଫିଟା ଯିବା ବେଳେ ଏହା ଭୋଗ ହୁଏ । କିନ୍ତୁ ‘ନୀଳାଦ୍ରିବିଜେ’ ପାଇଁ ଶ୍ରୀଜଗନ୍ନାଥ ରଥ ଉପରୁ ଓହ୍ଲାଇବା ପୂର୍ବରୁ, ଭେଟମଣ୍ଡପ ଠାରେ ମଧ୍ୟ ଏହା ଭୋଗ ହେଉଥିବା ଦେଖାଯାଏ ।
Sambad is now on WhatsApp
Join and get latest news updates delivered to you via WhatsApp
‘ନୀଳାଦ୍ରିବିଜେ’ର ନୀତି ଅନୁସାରେ, ଶ୍ରୀଜଗନ୍ନାଥ ରଥ ଉପରେ ଟାହିଆ ପିନ୍ଧି ପହଣ୍ଡିପାଇଁ ପ୍ରସ୍ତୁତ ହେବା ବେଳକୁ, ଦେବୀ ଲକ୍ଷ୍ମୀ (ଶ୍ରୀଦେବୀ) ମହାଜନ ସେବକଙ୍କ ହାତରେ ବିଜେ ହୋଇ ଆସି ଭେଟମଣ୍ଡପଠାରେ ଡମ୍ବରୁ ଆକୃତିର ଏକ ଆସନ ଉପରେ ବସନ୍ତି । ସେତେବେଳେ ଏକସମୟରେ ଦେବୀ ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କୁ ବନ୍ଦାପନା କରାଯାଇଥାଏ । ଭେଟମଣ୍ଡପଠାରେ ଭିତରଛ ମହାପାତ୍ର ବନ୍ଦାପନା କଲାବେଳେ, ରଥ ଉପରେ ପତି ମହାପାତ୍ର ବନ୍ଦାପନା କରିଥାଆନ୍ତି । ସେହି ଅବସରରେ ଦେବୀ ଲକ୍ଷ୍ମୀଙ୍କୁ ରସଗୋଲା ଭୋଗ କରାଯାଇଥାଏ । ରସଗୋଲା କୁଡ଼ୁଆକୁ ପ୍ରଥମେ ରଥରେ ଥିବା ଜଗନ୍ନାଥଙ୍କୁ ଦେଖାଇ ତାହା ପରେ ଦେବୀ ଲକ୍ଷ୍ମୀଙ୍କୁ ସମର୍ପଣ କରାଯାଏ । ଏହା ସୂଚାଏ ଯେ ଏହି ଭୋଗ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରାଗଲା । ଏହି ରସଗୋଲା ଭୋଗଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ମାନଭଞ୍ଜନ ହୋଇଥାଏ ବୋଲି କୁହାଯାଏ।
ଏଇଥିପାଇଁ ହିଁ ଏବେ ‘ନୀଳାଦ୍ରିବିଜେ’ ଦିନଟିକୁ ‘ରସଗୋଲା ଦିବସ’ ଭାବରେ ପାଳନ କରାଯାଉଛି ।
ଉଲ୍ଲେଖନୀୟ ଯେ ଏହି ‘ରସଗୋଲା ଦିବସ’ ପାଳନ ପାଇଁ ‘ସୋସିଆଲ୍ ମିଡ଼ିଆ’ରେ ୨୦୧୫ରେ ଗୋଟିଏ ‘କ୍ୟାମ୍ପେନ୍’ ଆରମ୍ଭ କରିଥିଲେ ଡକ୍ଟର ଅନିତା ସାବତ । ସେ ବର୍ଷ ଥିଲା ଶ୍ରୀଜଗନ୍ନାଥଙ୍କର ନବକଳେବର ବର୍ଷ । ତା’ ପୂର୍ବରୁ ପାହାଳ ରସଗୋଲାକୁ ଜି.ଆଇ. ମାନ୍ୟତା ଦିଆଯିବାପାଇଁ ଉଦ୍ୟମ କରାଯିବ ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ତାହାକୁ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ ପକ୍ଷରୁ ପ୍ରତିବାଦର ସ୍ୱର ବି ଶୁଭିଥିଲା । ପଶ୍ଚିମବଙ୍ଗର କହିବା କଥା ଥିଲା, ରସଗୋଲା ତାଙ୍କର । କାରଣ ୧୮୬୮ ମସିହାରେ କଲିକତାରେ ନବୀନ ଚନ୍ଦ୍ର ଦାଶ ପ୍ରଥମେ ରସଗୋଲା ତିଆରି କଲେ ।
‘ରସଗୋଲା ଦିବସ’ ପାଳନ ପାଇଁ ସାମାଜିକ ଗଣମାଧ୍ୟମର ପ୍ରଚାର ସହିତ, ପ୍ରମାଣର ଆବଶ୍ୟକତା ବି ଥିଲା । ତେଣୁ ୨୬ ଜୁଲାଇ, ଶ୍ରୀଜଗନ୍ନାଥଙ୍କ ସଂଧ୍ୟାଦର୍ଶନ ଅବସରରେ ‘ରବିବାର ସମ୍ବାଦ’ରେ ଏହି ଲେଖକର ଗୋଟିଏ ଲେଖା ଥିଲା ‘ଓଡ଼ିଶାର ରସଗୋଲା: ମିଠାଯୁଦ୍ଧ’ । ସେଥିରେ ସାବ୍ୟସ୍ତ କରାଯାଇଥିଲା ଯେ ରସଗୋଲା ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେର ଭୋଗ । ତେଣୁ ଏହା ଶ୍ରୀଜଗନ୍ନାଥଙ୍କର ଓ ଓଡ଼ିଶାର ।
‘ନୀଳାଦ୍ରିବିଜେ’ ଦିନ ‘ରସଗୋଲା ଦିବସ’ ପାଳନ କରି ତାହାକୁ ଏକ ‘ବ୍ରାଣ୍ଡିଂ’ ଦେବାର ଆବଶ୍ୟକତା ଥିଲା । ତେଣୁ ‘ସମ୍ବାଦ’ ପକ୍ଷରୁ ପ୍ରଥମ କରି ‘ରସଗୋଲା ଦିବସ’ ପାଳନ ପାଇଁ ଉଦ୍ୟମ କଲେ ତନୟା ପଟ୍ଟନାୟକ । ସେଥିରେ ଏଫ୍.ଏମ୍. ଚ୍ୟାନେଲ୍ ‘ରେଡ଼ିଓ ଚକଲେଟ୍’ ବି ସହଯୋଗୀ ହେଲା । ଉଭୟ ଭୁବନେଶ୍ୱର ଓ ପାହାଳରେ ମହା ଉତ୍ସାହରେ ପାଳିତ ହେଲା ‘ପ୍ରଥମ ରସଗୋଲା ଦିବସ’ । ସେହି ଅବସରରେ ବିଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀ ବେଳାଭୂମିରେ ପ୍ରସ୍ତୁତ କଲେ ଏକ ଆକର୍ଷଣୀୟ ବାଲୁକା କଳା ।
ଏହା ପରଠାରୁ, ପ୍ରତି ବର୍ଷର ‘ନୀଳାଦ୍ରିବିଜେ’କୁ ‘ରସଗୋଲା ଦିବସ’ ଭାବରେ ପାଳନ କରାହୋଇଆସୁଛି । ୧୭ ଜୁଲାଇ ୨୦୧୬, ୬ ଜୁଲାଇ ୨୦୧୭ ଓ ୨୫ ଜୁଲାଇ ୨୦୧୮ ପରେ ଏବର୍ଷ ୧୫ ଜୁଲାଇ ୨୦୧୯ରେ ପାଳିତ ହୋଇଛି ‘ପଞ୍ଚମ ରସଗୋଲା ଦିବସ’ । ଗତ କିଛି ବର୍ଷ ହେଲା ମକର ସଂକ୍ରାନ୍ତିରେ ମଧ୍ୟ ‘ଓଡ଼ିଶା ଟେଲିଭିଜନ ପରିବାର’ ସ୍ୱତନ୍ତ୍ର ଭାବରେ ‘ରସଗୋଲା ମହୋତ୍ସବ’ ପାଳନ କରୁଛନ୍ତି ।
୨୦୧୫ ମସିହା ‘ନୀଳାଦ୍ରିବିଜେ’ ପର୍ଯ୍ୟନ୍ତ, କେବଳ ବାହାର ଲୋକଙ୍କର କାହିଁକି, ଓଡ଼ିଶାରେ ବି ଅନେକଙ୍କର ଧାରଣା ନଥିଲା ଯେ ରସଗୋଲା ପାରମ୍ପରିକ ଭାବରେ ‘ନୀଳାଦ୍ରିବିଜେ’ର ଭୋଗ । କିନ୍ତୁ ଆଜି ‘ନୀଳାଦ୍ରିବିଜେର ନୈବେଦ୍ୟ’ ଓ ଦେବୀ ଲକ୍ଷ୍ମୀଙ୍କ ‘ମାନଭଞ୍ଜନର ମହୌଷଧି’ ଭାବରେ ରସଗୋଲା ଯେ ଶ୍ରୀଜଗନ୍ନାଥଙ୍କର ଓ ସେ ଦୃଷ୍ଟିରୁ ଓଡ଼ିଶାର, ସେ ନେଇ ଆଉ କାହାରି ମଧ୍ୟରେ ସନ୍ଦେହ ନାହିଁ । ସେଥିପାଇଁ ସାଲେପୁର ରସଗୋଲା ପକ୍ଷରୁ ପ୍ରଶାନ୍ତ କୁମାର କର ଗୋଟିଏ ସ୍ଲୋଗାନ୍ ପ୍ରସ୍ତୁତ କରିଛନ୍ତି, “ରଥଯାତ୍ରା ଯେବେଠୁ, ରସଗୋଲା ସେବେଠୁ ।” ଏବର୍ଷ ଓଡ଼ିଶା ବାହାରର ଲୋକେ ବି ଏହାର ପ୍ରଚାରରେ ଭାଗନେଇ କହିଛନ୍ତି, “ଶ୍ରୀଜଗନ୍ନାଥ ତ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଉଛନ୍ତି, ଆପଣ ବି ଆପଣଙ୍କ ସ୍ତ୍ରୀଙ୍କୁ ରସଗୋଲା ଖୁଆନ୍ତୁ !”