ହିମାଚଳପ୍ରଦେଶ: କିଛିଦିନ ହେବ ଶୀତ ଲହରି ଜାରି ରହିଥିବାରୁ ହିମାଚଳପ୍ରଦେଶର ଅନେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ତୀର୍ଥନ ଘାଟି ନୋହାଣ୍ଡା ପଞ୍ଚାୟତ ଅନ୍ତର୍ଗତ ଝଲେରି ଗାଁରେ ବସବାସ କରୁଥିବା ଜଣେ ମହିଳାଙ୍କ ପ୍ରସବପୀଡ଼ା ଆରମ୍ଭ ହୋଇଯାଇଥିଲା। ସେ ଯେଉଁସ୍ଥାନରେ ଥିଲେ ସେଠାରେ ରାସ୍ତଘାଟ ବରଫ ଆଚ୍ଛାଦିତ ହୋଇପଡ଼ିଥିଲା। ଏଭଳି ପରିସ୍ଥିତିରେ ଘରୁ ବାହାରିବା ସମ୍ଭବ ନ ଥିବା ବେଳେ ଗର୍ଭବତୀ ୪କିମି ପର୍ଯ୍ୟନ୍ତ ଚାଲିଚାଲି ହସ୍ପିଟାଲ୍ରେ ପହଞ୍ଚିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ତସତ୍ତ୍ୱା ମହିଳା ସଞ୍ଜୁଙ୍କ ସ୍ୱାମୀ ରୋଶନ୍ଲାଲ୍ କହନ୍ତି, ‘ସଞ୍ଜୁଙ୍କର ହଠାତ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ରାସ୍ତାରେ ଏତେ ବରଫ ପଡ଼ିଥିଲା କି ଘରୁ ବାହାରିବା କଷ୍ଟକର ଥିଲା। କିନ୍ତୁ ସଞ୍ଜୁଙ୍କ ଶରୀର ଅବସ୍ଥାକୁ ଦେଖି କୌଣସି ଗାଡ଼ିମଟରକୁ ଅପେକ୍ଷା ନ କରି ତାଙ୍କୁ ଚଲାଇଚଲାଇ ହସ୍ପିଟାଲ ନେବାକୁ ବାଧ୍ୟ ହୋଇଥିଲୁ।’
ବରଫରେ ସଞ୍ଜୁଙ୍କ ପାଦ ଖସି ଯାଉଥିଲା, ଏହା ସତ୍ତ୍ୱେ ତାଙ୍କର ଦୁଇ ହାତ ଧରି ବହୁ ସାବଧାନତାର ସହ ୪ରୁ ୫କିମି ଚଳାଇ ଚଳାଇ ଶେଷରେ ସଞ୍ଜୁଙ୍କୁ ଗୁଶୈଣୀ ପ୍ରାଇମେରି ହେଲ୍ଥ ସେଣ୍ଟରରେ ନେଇ ପହଞ୍ଚିଥିଲୁ। ସେଠାରେ ପହଞ୍ଚି ଦୀର୍ଘନିଶ୍ୱାସ ଛାଡ଼ିଲା ବେଳକୁ ପ୍ରସବ ପାଇଁ ଡାକ୍ତର ନ ଥିବା ଜାଣି ମନ ଆହୁରି କଷ୍ଟ ହୋଇଥିଲା। ଏଭଳି ପରିସ୍ଥିତିରେ ପୁଣି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରି ଡକ।ଇ ସଞ୍ଜୁଙ୍କୁ ବଞ୍ଜାର ହସ୍ପିଟାଲକୁ ନେଇଥିଲୁ । ଏହି ସମୟରେ ସଞ୍ଜୁ ଯେଉଁ ଧୈର୍ଯ୍ୟ ଦେଖାଇ ଥିଲେ ତାହାକୁ ବି ମାନିବାକୁ ପଡ଼ିବ।’
ଏହି ଘଟଣା ପରେ ସଞ୍ଜୁଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିବା ସହ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟବିଭାଗର ବିଏମ୍ଓ ତଥା ବଞ୍ଜାର ହସ୍ପିଟାଲର ଡାକ୍ତର ରମେଶ ଶର୍ମାଙ୍କ କହନ୍ତି, ‘ଗୁଶୈଣୀ ପିଏଚସିରେ ପ୍ରସବ ସୁବିଧା ନାହିଁ। ତେଣୁ ଏହି ସୁବିଧା ବଞ୍ଜାର ହସ୍ପିଟାଲ୍ରେ ଉପଲବ୍ଧ କରାଯାଇଛି।’