ଜାଣନ୍ତୁ କାହିଁକି ଶବଦାହ କରିବାକୁ ମହିଳାଙ୍କୁ ମନା? ଏହା ପଛରେ ଥିଲା ଅନେକ କାରଣ

ହିନ୍ଦୁ ଧର୍ମରେ କେହି ବ୍ୟକ୍ତି ମୃତ୍ୟୁବରଣ କଲେ ପରିବାର ବା ସଂପର୍କୀୟ ପରୁଷମାନେ ତାଙ୍କର ଶବଦାହ କରିବାକୁ ଶ୍ମଶାନକୁ ଯାଇଥାନ୍ତି। ହେଲେ କେହି ନାରୀ କେବେ ଶ୍ମଶାନକୁ ଯିବାର ଦେଖିଛନ୍ତି? ଏବେ ଅବଶ୍ୟ ଯୁଗ ଆଧୁନିକ ହେବା ସଙ୍ଗେ ସଙ୍ଗେ ପୂର୍ବ ପ୍ରଥାଗୁଡ଼ିକ ଧୀରେ ଧୀରେ କୋହଳ ହେବାକୁ ଲାଗିଲେଣି। ଆପଣ ଜାଣିଥିବେ ନିଶ୍ଚୟ ନିକଟରେ ଜଣେ ପୁତ୍ରହୀନ ମାଆର ଝିଅ ଶ୍ମଶାନକୁ ଯାଇଥିବା ଘଟଣା ଜାତୀୟ ଖବର ପାଲଟିଥିଲା। ତା’ପରେ ପରେ ଅନେକ ଝିଅଙ୍କୁ ଶ୍ମଶାନରେ ଦେଖିବାକୁ ମିଳିଲାଣି। ମାତ୍ର ଶାସ୍ତ୍ର ଅନୁସାରେ ଝିଅମାନଙ୍କୁ ଶ୍ମଶାନକୁ ଯିବା ପାଇଁ ବାରଣ କରାଯାଇଛି। ତାହାର କାରଣ ନିମ୍ନରେ ଉଲ୍ଲେଖ କରାଯାଇଛି।

ଏହା ପଛର ଏକ ପ୍ରମୁଖ କାରଣ ହେଉଛି ପୂର୍ବରୁ ସମାଜ ପୁରୁଷ କୈନ୍ଦ୍ରିକ ଥିଲା। ପୁରୁଷମାନେ ଯେହେତୁ ବାପାମାଆଙ୍କ ଅନ୍ତେ ତାଙ୍କ ସମ୍ପତ୍ତି ଭୋଗ କରିବାର ଦାବି ରଖୁଥିଲେ ସେଥିପାଇଁ ପିତୃପୁରୁଷଙ୍କ ମୃତକ୍ରିୟାଠାରୁ ଆରମ୍ଭ କରି ଶ୍ରାଦ୍ଧକ୍ରିୟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପୁରୁଷମାନେ ହିଁ କରିଥାନ୍ତି।

ଏହା ପଛର ଆଉ ଏକ କାରଣ ହେଉଛି ମହିଳାମାନେ ଅତ୍ୟନ୍ତ ଭାବପ୍ରବଣ। ଅଗ୍ନୀରେ ନିଜର ପ୍ରିୟଜନଙ୍କୁ ଜଳିଯିବାର ଦେଖି ମହିଳାମାନେ ଧୈର୍ଯ୍ୟ ଧରିପାରିବେ ନାହିଁ ବୋଲି ସେମାନଙ୍କୁ ସେପରି ଏକ କଠୋର ସତ୍ୟକୁ ସାମ୍ନା କରିବା ପାଇଁ ବାରଣ କରାଯାଇଥାଏ।

ରାଜା ରାମମୋହନ ରାୟ ସତୀ ଦାହ ପ୍ରଥା ଉଚ୍ଛେଦ କରିବା ପୂର୍ବରୁ ଯେଉଁ ମହିଳା ନିଜର ସ୍ୱାମୀକୁ ହରାଉଥିଲେ କେବଳ ତାଙ୍କୁ ହିଁ ଚିତାରେ ଜଳିବାକୁ ପଡୁଥିଲା। ନିଜକୁ ସତୀ ପ୍ରମାଣ କରିବା ପାଇଁ ଜଣେ ମହିଳାକୁ ବଳପୂର୍ବକ ସ୍ୱାମୀର ଚିତା ନିଆଁରେ ଜାଳିଦେବା ପରି ଏକ କଷ୍ଟଦାୟକ ଦୃଶ୍ୟ ଦେଖି ଅନ୍ୟ ମହିଳା ଦୃର୍ବଳ ହୋଇପଡ଼ିବେ ବୋଲି ସେମାନଙ୍କୁ ସେଠାକୁ ଯିବା ପାଇଁ ବାରଣ ରହିଥିଲା।

ଯଦି ସମସ୍ତେ ଶବଦାହ ପାଇଁ ଶ୍ମଶାନ ଚାଲିଯାଆନ୍ତି ତେବେ ଘରେ ଥିବା ପିଲା କିମ୍ବା ଅନ୍ୟ ସଦସ୍ୟଙ୍କ ଖବର କିଏ ବୁଝିବ ବୋଲି ଚିନ୍ତା କରି ଅନେକ ପୂର୍ବରୁ ପୁରୁଷମାନେ ମହିଳାମାନଙ୍କୁ ଶ୍ମଶାନ ଯିବା ପାଇଁ ବାରଣ କରିଥିଲେ।

ମହିଳାମାନେ ବାସ୍ତବରେ କାହିଁକି ଶ୍ମଶାନ ଯାଆନ୍ତି ନାହିଁ ବୋଲି ନିକଟରେ କିଛି ଗବେଷକ ଏହାକୁ ନେଇ ଗବେଷଣା ଆରମ୍ଭ କରିଥିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି, ସେମାନେ ସେପରି କୌଣସି ସନ୍ତୋଷଜନକ କାରଣ ପାଇଲେ ନାହିଁ।

(ବି.ଦ୍ର: ପୁରୁଷକୈନ୍ଦ୍ରିକ ସମାଜକୁ ପ୍ରୋତ୍ସାହନା ଦେବା ଆମର ଲକ୍ଷ୍ୟ ନୁହେଁ; ଆମେ କେବଳ ଏଠାରେ ପୂର୍ବରୁ ରହିଥିବା କଥାକୁ ସଂଗ୍ରହ କରି ପ୍ରକାଶ କରିଛୁ)

ସମ୍ବନ୍ଧିତ ଖବର