ମାଲକାନଗିରି: ଜଣେ ଅସହାୟଙ୍କୁ ମଖାଗ୍ନୀ ଦେଲେ ଯୁବତୀ । ମନବିକତାର ପୁଣି ଏକ ବିରଳ ଉଦାହରଣ ଆସିଛି ମାଲକାନଗିରି ଜିଲ୍ଲାରୁ । ମାଲକାନଗିରି ସଦର ମହକୁମାସ୍ଥିତ ଜଣେ ୮୨ ବର୍ଷୀୟ ବୃଦ୍ଧ ହଠାତ ମୃତ୍ୟୁ ବରଣ କରିଥିଲେ । ତେବେ ତାଙ୍କର କେହି ସମ୍ପର୍କୀୟ କିମ୍ବା ବନ୍ଧୁବାନ୍ଧବ ନ ଥିବାରୁ ଅନ୍ତିମ ସଂସ୍କାର ଲାଗି ଆଗେଇ ଆସି ଥିଲେ ପାଖପଡିଶା ଓ କିଛି ସ୍ୱେଚ୍ଛାସେବୀ । ତେବେ ମୁଖାଗ୍ନୀ କିଏ ଦେବ ବୋଲି ଚିନ୍ତା କରାଯାଉଥିବା ବେଳେ ଆଗେଇ ଆସି ଥିଲେ ଶ୍ୟାମା ହାଲଦାର।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ବୁଧବାର ବିଳମ୍ବିତ ରାତିରେ ମାଲକାନଗିରି ନିଗମାନନ୍ଦ ଆଶ୍ରମର କର୍ମକର୍ତା ମାନିକ ଲାଲ ଘୋଷ ହୃଦଘାତରେ ପ୍ରାଣ ହରାଇ ଥିଲେ । ଆଉ ସକାଳ ଯାଏଁ ଶବ ସତ୍କାର ଲାଗି ନାନା ଆଶା ଆଶଙ୍କା ଲାଗି ରହି ଥିଲା । ତେବେ ପାଖ ପଡିଶା ଓ କିଛି ସ୍ବେଚ୍ଛାସେବୀମାନେ ଶବ କାନ୍ଧ ଦେଇ ମଶାଣିକୁ ନେଇ ଥିଲେ । ଆଉ ମୁଖାଗ୍ନୀ ଦେଇ ଥିଲେ ମାଲକାନଗିରିର ଯୁବତୀ ଶ୍ୟାମା ହାଲଦାର । କେବଳ ମୁଖାଗ୍ନୀ ନୁହଁ, ବରଂ ଜଣେ ଝିଅର ଯାହା ସବୁ କର୍ତବ୍ୟ ରହିଛି, ବୈଦିକ ରୀତିନୀତି ଅନୁଯାୟୀ, ତାହା ସବୁ ପାଳନ କରିଛନ୍ତି ଶ୍ୟାମା ।
ଶ୍ୟାମା ରାଜସ୍ୟ ବିଭାଗର ସହକାରୀ ରାଜସ୍ୟ ନିରୀକ୍ଷକ ଭାବେ କାମ କରନ୍ତି । ମାନିକ ଲାଲ ଘୋଷ ବିଦ୍ୟୁତ ବିଭାଗରେ କାମ କରୁଥିଲେ, ଆଉ ଶ୍ୟାମାଙ୍କ ଘରେ ଭଡା ରହୁ ଥିଲେ । ତେବେ ତାଙ୍କର କୌଣସି ସନ୍ତାନ ନ ଥିଲା ଆଉ ବହୁ ବର୍ଷ ପୂର୍ବେ ପତ୍ନୀ ମଧ୍ୟ ଆର ପାରିକୁ ଚାଲି ଯାଇ ଥିଲେ । ଆଉ ଚାକିରିରୁ ଅବସର ପରେ ମାଲକାନଗିରି ସହରରେ ଥିବା ନିଗମାନନ୍ଦ ଆଶ୍ରମରେ ରହି ଆଶ୍ରମ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲେ । ତେବେ ମାନିକଙ୍କ କୌଣସି ଉତ୍ତରାଧିକାରୀ ନ ଥିବାରୁ ଶ୍ୟାମାଙ୍କୁ ମୁଖାଗ୍ନୀ ଦେବା ଲାଗି ହସ ମଜାକରେ କହି ଆସୁ ଥିଲେ ମଣିିକ ଲାଲ । ଆଉ ମାଣିକ ଲାଲଙ୍କ ମୃତ୍ୟୁ ପରେ ସେଇ କଥାକୁ ରଖିଛନ୍ତି ଶ୍ୟାମା।