ଆଉ ୨୨ ଦିନ,ଭାରତୀୟ ‌ଖେଳାଳି ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ: ହରେନ୍ଦ୍ର

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ଆଉ ମାତ୍ର ୨୩ ଦିନ ପରେ ଆରମ୍ଭ ହେବ। ଏଥି ପାଇଁ ଭୁବନେଶ୍ବରରେ ଭାରତୀୟ ଦଳର ଚୂଡାନ୍ତ ପର୍ଯ୍ୟାୟ ପ୍ରସ୍ତୁତି ଶିବିର ଚାଲିଛି। ଦଳ ଘୋଷଣା ହୋଇନଥିଲେ ମଧ୍ୟ ସମ୍ଭାବ୍ୟ ଭାରତୀୟ ଖେଳାଳିମାନେ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ହୋଇସାରିଲେଣି ବୋଲି କହିଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ। ଚୂଡାନ୍ତ ପର୍ଯ୍ୟାୟ ଶିବିରରେ ବହୁ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦିଆଯାଉଛି। ସବୁକିଛିକୁ ଶେଷ ସ୍ପର୍ଶ ଓ ଶାଣିତ କରାଯାଉଛି ବୋଲି ହରେନ୍ଦ୍ର ପ୍ରକାଶ କରିଥିଲେ। ହିନ୍ଦୁସ୍ତାନ ଦଳ ବନିଯିବା ପରେ ବିଶ୍ବକପ୍ ଯୋଜନାରେ ରହିବୁ। ଆମେ ମ୍ୟାଚ୍ ପରେ ମ୍ୟାଚ୍ ଉପରେ ଯୋଜନା କରି ଖେଳିବୁ। ହକି ଏବେ ଏତେ ଦ୍ରୁତ ହୋଇଯାଇଛି ଯେ ଫଳାଫଳ ଅପ୍ରତ୍ୟାଶିତ ହେଉଛି। ଦଳର କି କି ଦୁର୍ବଳତା ରହିଛି ତାହା ଆମେ ନିବୁଜ କୋଠରିରେ ଆଲୋଚନା କରିବୁ, ବାହାରେ ପ୍ରକାଶ କରି ପ୍ରତିପକ୍ଷଙ୍କୁ ରଣକୌଶଳ କରିବାକୁ ଦେବୁ ନାହିଁ ବୋଲି ମଧ୍ୟ କହିଥିଲେ ହରେନ୍ଦ୍ର। ଆମ ପୁଲରେ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ବେଲ୍‌ଜିୟମ ଏବଂ ନିକଟରେ ଆମକୁ ହରାଇଥିବା ଦଳ କାନାଡ଼ା ବି ରହିଛି। ତଥାପି ଆସୁଥିବା ସମସ୍ତ ୧୬ ଦଳ ଭୁବନେଶ୍ବରକୁ ବିଶ୍ବକପ୍ ଜିତିବାକୁ ଆସୁଛନ୍ତି, ଅଂଶଗ୍ରହଣ କରିବାକୁ ନୁହେଁ। ନିର୍ଦ୍ଦିଷ୍ଟ ଦିବସରେ ଯିଏ ଭଲ ଖେଳିବ ସେ ନିଶ୍ଚିତ ଜିତିବ। ଗତ ମହିଳା ହକି ବିଶ୍ବକପ୍‌ରେ ଆୟର୍ଲାଣ୍ଡ ଏବଂ ଫୁଟ୍‌ବଲ୍ ବିଶ୍ବକପ୍‌ରେ କ୍ରୋଏସିଆକୁ ଆଗରୁ କେହି ଦାବିଦାର କହୁନଥିଲେ। ତେଣୁକରି ସମସ୍ତ ୧୬ ଦେଶ ନିକଟରେ ବିଶ୍ବକପ୍ ଜିତିବାର ସାମର୍ଥ୍ୟ ରହିଛି ଏବଂ ସେମାନେ ଏହି ଲକ୍ଷ୍ୟ ନେଇ ଭୁବନେଶ୍ବର ଆସୁଛନ୍ତି। ମ୍ୟାଚ୍ ଦିନ ବିଶ୍ବ ମାନ୍ୟତାର ବି କିଛି ମାନେ ରହେନାହିଁ ବୋଲି ପ୍ରକାଶ କରିଥିଲେ ଆଗରୁ ଭାରତୀୟ ମହିଳା ଦଳର ସଫଳ ପ୍ରଶିକ୍ଷକ ଥିବା ହରେନ୍ଦ୍ର। ରବିବାର ଭୁବନେଶ୍ବରର ଏକ ତାରକା ହୋଟେଲରେ ମଧ୍ୟ ଗତ ଏସୀୟ ଚାମ୍ପିଅନ୍ସ ଟ୍ରଫି ସହିତ ଭାରତୀୟ ଦଳର ସମସ୍ତ ଖେଳାଳି ଘାସ ଗାଲିଚାରେ ଫଟୋ ଉତ୍ତୋଳନ କରିଥିଲେ। ଅଧିନାୟକ ମନପ୍ରୀତ୍ ସିଂହ ଏବଂ ଗୋଲ୍‌ରକ୍ଷକ ପିଆର ଶ୍ରୀଜେଶ ମଧ୍ୟ ବିଶ୍ବକପ୍ ପାଇଁ ଦଳର ପ୍ରସ୍ତୁତି ଠିକଣା ପଥରେ ରହିଛି ବୋଲି ଏହି ଅବସରରେ ପ୍ରକାଶ କରିଥିଲେ। ବିଶ୍ବକପ୍‌ରେ ଖେଳିବାକୁ ଆମ ଦଳ ବ୍ୟଗ୍ର। ଆମେ ମ୍ୟାଚ୍ ପରେ ମ୍ୟାଚ୍ ଯିବୁ ବୋଲି ମଧ୍ୟ ମନପ୍ରୀତ୍ କହିଥିଲେ।

ସମ୍ବନ୍ଧିତ ଖବର