ପରାମର୍ଶ, ପ୍ରତିଆକ୍ରମଣ ଓ କଟାକ୍ଷ

ଆଉ ମାତ୍ର ତିନି ଦିନ ପରେ ଆରମ୍ଭ ହୋଇଯିବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍‌ ଶୃଙ୍ଖଳା। ଏହା ପୂର୍ବରୁ ଉଭୟ ଦେଶର ଖେଳାଳି ପରସ୍ପରକୁ ଶବ୍ଦ ବାଣ ମାରି ଚାଲିଛନ୍ତି। ଏଥିରେ ପୂର୍ବତନ ଖେଳାଳିମାନେ ମଧ୍ୟ ସାମିଲ ହୋଇଯାଇଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଘେରିବାକୁ ଅଷ୍ଟ୍ରେଲିଆର ଅଧିକାଂଶ ପୂର୍ବତନ ଖେଳାଳି କଙ୍ଗାରୁ ଦଳକୁ ପରାମର୍ଶ ଦେଉଛନ୍ତି। ପୂର୍ବତନ ଭାରତୀୟ ଖେଳାଳିମାନେ କିନ୍ତୁ ଏଥର ଅଷ୍ଟ୍ରେଲିଆରେ ଭାରତ ଶୃଙ୍ଖଳା ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେପଟେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆରେ ଆହୁରି ଭଲ କରିବା ଲାଗି ବିରାଟ ବାହିନୀକୁ ନିଜ ଆଡ଼ୁ ସୋମବାର ଗୁରୁମନ୍ତ୍ର ଦେଇଛନ୍ତି। ତେବେ ସଂପ୍ରତି ଭାରତ ତୁଳନାରେ ଅଷ୍ଟ୍ରେଲିଆର ଅଧିକ ପୂର୍ବତନ ଖେଳାଳି ଏହି ପ୍ରତୀକ୍ଷିତ ଶୃଙ୍ଖଳାକୁ ନେଇ ଚାଲିଥିବା ବାକ୍ ଯୁଦ୍ଧରେ ନିଜକୁ ସାମିଲ ରଖିଛନ୍ତି। ଏପରିକି ସେମାନଙ୍କ ମଧ୍ୟରୁ କିଛି ବିଗତ ଦିନର ତାରକା ଭାରତୀୟ ଖେଳାଳିଙ୍କୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି।

ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ସ୍ଥାନରେ ପ୍ରତ୍ୟେକ ପାଳିର ପ୍ରଥମ ୪୦ ଓଭର ବେଶ୍‌ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ସେଥିପାଇଁ ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଶୀର୍ଷ ତିନି ଜଣ ବ୍ୟାଟ୍ସମ୍ୟାନ୍ ଅନ୍ୟୁନ ୩୦ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଲେ ବହୁତ ଭଲ ହେବ। ଏପରିକି ୪ ନମ୍ବର ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଧୈର୍ଯ୍ୟର ସହ ବ୍ୟାଟିଂ କରିବାକୁ ହେବ। କାରଣ ଅଷ୍ଟ୍ରେଲିଆରେ ବଲ୍ ତା’ର କଠିନତା ହରାଇଲେ ସୁଇଂ କରିବା ଆରମ୍ଭ କରିଥାଏ। ହେଲେ ସେତେବେଳକୁ ବ୍ୟାଟ୍ସମ୍ୟାନଙ୍କୁ ନିଜ ଖେଳରେ ଆବଶ୍ୟକ ସଂଶୋଧନ ଆଣିବାକୁ ସମୟ ମିଳିଯାଇଥାଏ: ସଚିନ ତେନ୍ଦୁଲକର
ଆମ ବୋଲର ଭଲ ଭାବରେ ଜାଣିଛନ୍ତି, ସେମାନଙ୍କୁ କ’ଣ କରିବାକୁ ହେବ। କେଉଁ ଲାଇନ୍ ଏବଂ ଲେନ୍ଥରେ ବୋଲିଂ କରିବାକୁ ପଡ଼ିବ, ତାହା ବି ସେମାନଙ୍କୁ ଜଣା। ସେମାନେ ଆତ୍ମବିଶ୍ବାସରେ ଭରପୁର। ଅଭ୍ୟାସ ମ୍ୟାଚ୍‌ରେ ୫୦୦ ରନ୍ ବ୍ୟୟ କରିବା ନେଇ ଆମେ ଆଦୌ ଚିନ୍ତିତ ନାହୁଁ, ଏହାର ମାନେ ବି କିଛି ନାହିଁ: ଚେତେଶ୍ବର ପୂଜାରା
ଅଭ୍ୟାସ ମ୍ୟାଚ୍‌ରେ ୫୦୦ ରନ୍ ବ୍ୟୟ କରିବା ଭାରତ ପାଇଁ କିଛି ମାନେ ରଖେନି! ହେଲେ ଅଷ୍ଟ୍ରେଲିଆ ପାଇଁ ରଖେ: ଡିନ୍ ଜୋନ୍ସ
ବିରାଟ କୋହଲିଙ୍କୁ ଅଡ଼ୁଆରେ ପକାଇ ହେବ। ତୁମେମାନେ ତାଙ୍କ ମନୋବଳକୁ ମଧ୍ୟ ଦୋହଲାଇ ପାରିବ। କୋହଲିଙ୍କୁ ଦାଦାଗିରି କରିବାର ସୁଯୋଗ ଦିଅନି : ରିକି ପଣ୍ଟିଂ
ଭାରତ ଶୃଙ୍ଖଳାରେ ଆମ ସ୍ପିନର ନାଥନ ଲାୟନ ନିର୍ଣ୍ଣାୟକ ଭୂମିକା ତୁଲାଇବେ। ନୂଆ ବଲ୍‌ରେ ତାଙ୍କୁ ବୁଝିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର ହେବ। ସଅଳ ୱିକେଟ୍ ନେଇ କୋହଲିଙ୍କ ଉପରେ ଚାପ ସୃଷ୍ଟି କରିବା ଆମ ଯୋଜନାର ପ୍ରମୁଖ ଅଙ୍ଗ: ଜୋସ୍ ହାଜେଲଉଡ୍

ସମ୍ବନ୍ଧିତ ଖବର