ଲଣ୍ଡନ: ଅଗଷ୍ଟ ପହିଲାରୁ ଆରମ୍ଭ ହେଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଭାରତ ଓ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ଚାଲିଥିବା ବାକ୍ଯୁଦ୍ଧ କ୍ରମଶଃ ଘନେଇବାରେ ଲାଗିଛି। ସୋମବାର ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ଏଥିରେ ସାମିଲ ହୋଇଛନ୍ତି। ସେ ସିଧାସଳଖ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆକ୍ରମଣ କରିଛନ୍ତି। ଦଳ ଜିତୁଥିଲା ପର୍ଯ୍ୟନ୍ତ ବ୍ୟକ୍ତିଗତ ଫର୍ମ ତାଙ୍କ ପାଇଁ ସେତେଟା ଗୁରୁତ୍ୱ ରଖେନି ବୋଲି କୋହଲି ମନ୍ତବ୍ୟ ଦେଇଥିଲା ବେଳେ ଆଣ୍ଡରସନ୍ ଏଥିନେଇ ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଆସନ୍ତା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ତାଙ୍କ ବ୍ୟକ୍ତିଗତ ରନ୍ କୌଣସି ମହତ୍ୱ ରଖେନି ବୋଲି ଯଦି କୋହଲି କହିଛନ୍ତି, ତାହାଲେ ସେ ନିଶ୍ଚିତ ଭାବେ ମିଛ କହୁଛନ୍ତି ବୋଲି ଆଣ୍ଡରସନ୍ ବୟାନ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ବିଜୟ ପାଇଁ କୋହଲି ରନ୍ କରିବା ନିହାତି ଆବଶ୍ୟକ। ସେ ବି ନିଜ ଦଳ ପାଇଁ ରନ୍ କରିବାକୁ ପୂରା ବ୍ୟଗ୍ର ଥିବେ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଏବଂ ଅଧିନାୟକ ଭାବେ ଆପଣ ତାଙ୍କଠାରୁ ଏହା ହିଁ ଆଶା କରିବେ ବୋଲି କୋହଲିଙ୍କ ମନ୍ତବ୍ୟ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଆଣ୍ଡରସନ୍ କହିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୪ ମସିହାର ଇଂଲଣ୍ଡ ଗସ୍ତରେ କୋହଲି ପ୍ରତିଟି ରନ୍ ପାଇଁ ସଂଘର୍ଷ କରିଥିଲେ। ସେହି ଶୃଙ୍ଖଳାର ପାଞ୍ଚ ଟେଷ୍ଟ୍ରେ ସେ ମାତ୍ର ୧୩୪ ରନ୍ କରି ପାରିଥିଲେ। ଯାହା ତାଙ୍କ ଜାଜ୍ଜୁଲ୍ୟମାନ ଖେଳ ଜୀବନର ଏକ କଳା ଦାଗ ହୋଇ ରହିଛି। ୨୦୧୪ ଶୃଙ୍ଖଳାରେ ଆଣ୍ଡରସନ୍ ହିଁ କୋହଲିଙ୍କ ପାଇଁ ଦୁଃସ୍ୱପ୍ନ ପାଲଟି ଥିଲେ। ୬ ପାଳିରେ ଆଣ୍ଡରସନ୍ ତାଙ୍କୁ ୪ ଥର ଆଉଟ୍ କରିଥିଲେ। ଏଥରର ଗସ୍ତରେ କୋହଲି ସେହି ବିଫଳତାକୁ ଦୂର କରିବା ଲକ୍ଷ୍ୟରେ ରହିବେ।