ଅଞ୍ଜୁ ବାଂଲା ମହିଳା ଦଳର ପ୍ରଶିକ୍ଷକ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ମହିଳା ଓ୍ଵିକେଟ୍‌ରକ୍ଷକ ଅଞ୍ଜୁ ଜୈନ୍‌ ବାଂଲାଦେଶ ମହିଳା କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବତନ ଇଂଲଣ୍ଡ ଅଲ୍‌ରାଉଣ୍ଡର ଡେଭିଡ୍‌ କାପେଲ୍‌ଙ୍କଠୁ ଏହି ଦାୟିତ୍ୱ ଗ୍ରହଣ କରିବେ। କାପେଲ୍‌ ୨୦୧୬ ଅକ୍ଟୋବରରୁ ଏହି ଦାୟିତ୍ୱ ସମ୍ଭାଳିଥିଲା ବେଳେ ଏବେ ଅଞ୍ଜୁ ତାଙ୍କ ସ୍ଥାନ ନେବେ। କାପେଲ୍‌ ବାଂଲାଦେଶ ଦଳର ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ପଦତ୍ୟାଗ କରିବେ। ବାଂଲା ମହିଳା ଦଳ ଦକ୍ଷିଣ ଆଫ୍ରିକାରେ ୫ ଦିନିକିଆ ଓ ୩ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାକୁ ଯାଇଛି। ବାଂଲା ଦଳ ଚଳିତ ମାସ ୨୧ ତାରିଖରେ ସ୍ୱଦେଶ ଫେରିବା ପରେ ହିଁ ଅଞ୍ଜୁ ଦଳ ସହ ଯୋଗଦେବେ ବୋଲି ଜଣାପଡ଼ିଛି। ତେବେ ବାଂଲା ବୋର୍ଡ ସହ ଅଞ୍ଜୁଙ୍କର ୬ ମାସିଆ ଚୁକ୍ତି ହୋଇଥିବା କୁହାଯାଉଛି। ଅଞ୍ଜୁ ମଧ୍ୟ ନଭେମ୍ବରରେ େଓ୍ଵଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ବିଶ୍ୱ ମହିଳା ଟେ୍ଵଣ୍ଟି-୨୦କୁ ଯୋଗ୍ୟତା ଅର୍ଜନ ପାଇଁ ବାଂଲା ଦଳକୁ ପ୍ରସ୍ତୁତ କରିବେ ବୋଲି କୁହାଯାଇଛି। ଏଭଳି ଆହ୍ଵାନକୁ ମଧ୍ୟ ଅଞ୍ଜୁ ସୁଯୋଗ ଭାବେ ଗ୍ରହଣ କରିଛନ୍ତି। ତାଙ୍କ କହିବା କଥା ହେଲା ବାଂଲା ଦଳରେ ଦକ୍ଷ ଖେଳାଳି ରହିଛନ୍ତି। କେବଳ ଆମେ ତାଙ୍କ ଦକ୍ଷତାକୁ ଚିହ୍ନି କୌଶଳ ଶିଖାଇ ପାରିଲେ ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ ଯୋଗ୍ୟତା ନିଶ୍ଚୟ ହାସଲ ହେବ ବୋଲି ଅଞ୍ଜୁ କହିଛନ୍ତି। ଅଞ୍ଜୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଏବେ ବାଂଲା ଦଳରେ ତିନି ଭାରତୀୟଙ୍କ ମିଳନ ଘଟିବ। ଅନ୍ୟ ଦୁଇ ଭାରତୀୟ ମହିଳା ଦେବିକା ପଲ୍‌ସିକର ଏବଂ ଅନୁଜା ଦଲ୍‌ଭି ପୂର୍ବରୁ ବାଂଲା ମହିଳା ଦଳର ଯଥାକ୍ରମେ ସହକାରୀ ପ୍ରଶିକ୍ଷକ ଏବଂ ଫିଜିଓଥେରାପିଷ୍ଟ ରହିଛନ୍ତି। ଉଭୟ ମଧ୍ୟ ଦଳ ସହ ସଂପ୍ରତି ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ତେବେ ଅଞ୍ଜୁ ଦ୍ୱିତୀୟ ଭାରତୀୟ ମହିଳା କ୍ରିକେଟର୍‌ ଭାବେ ବାଂଲା ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ପାଇଛନ୍ତି। ତାଙ୍କ ପୂର୍ବରୁ ଦୁଇଟି ଦଫା (୨୦୧୧ ଓ ୨୦୧୩)ରେ ପୂର୍ବତନ ଅଧିନାୟିକା ମମତା ମାବେନ୍‌ ବାଂଲା ମହିଳା ଦଳର ଏହି ଦାୟିତ୍ୱ ତୁଲାଇଥିଲେ।

ସମ୍ବନ୍ଧିତ ଖବର