ଅର୍ଜୁନ ପୁରସ୍କାର ପାଇଁ ମନିକାଙ୍କ ନାମ ସୁପାରିସ

ଲଣ୍ଡନ: ଗୋଲ୍‌ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜୟିନୀ ମନିକା ବାତ୍ରାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଭାରତୀୟ ଟେବୁଲ ଟେନିସ୍‌ ସଂଘ (ଟିଟିଏଫ୍‌ଆଇ) ଶୁକ୍ରବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶର ଏକମାତ୍ର ଚାରିଟି ପଦକ ଜିତିଥିବା ମନିକାଙ୍କୁ ନାମ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ଆମେ ଆଜି ତାଙ୍କ ନାମକୁ ସୁପାରିସ କରିଛୁ। ଗୋଲ୍‌ଡ କୋଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରିଥିବାରୁ ସରକାର ତଥା ଅର୍ଜୁନ ପୁରସ୍କାର ସମିତି ମନିକାଙ୍କ ନାମକୁ ଏଡାଇ ଯିବା କଷ୍ଟକର ହେବ ବୋଲି ସଂଘ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି। ଗୋଲ୍‌ଡ କୋଷ୍ଟରେ ମନିକା ଏକାକି ଭାରତକୁ ଟେବୁଲ ଟେନିସ୍‌ ଏକକ ବର୍ଗ ସ୍ୱର୍ଣ୍ଣ ଭେଟିଦେବା ପୂର୍ବରୁ ପ୍ରଥମ ଥର ଲାଗି ଦଳଗତ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିଲେ। ୨୨ ବର୍ଷ ବୟସ୍କା ମନିକା ମଧ୍ୟ ବିଶ୍ୱ ମାନ୍ୟତାର ଚତୁର୍ଥ ତଥା ତିନି ଥର ଅଲିମ୍ପିକ୍‌ ପଦକ ବିଜୟିନୀ ସିଙ୍ଗାପୁରର ଫେଙ୍ଗ୍‌ ତିଆନ୍‌ଓ୍ଵିଙ୍କୁ ଗୋଲ୍‌ଡ କୋଷ୍ଟରେ ଦୁଇ ଥର ପରାସ୍ତ କରିଥିଲେ। ଏହା ବ୍ୟତୀତ ମନିକା ମଧ୍ୟ ମହିଳା ଯୁଗଳରେ ମୌମା ଦାସଙ୍କୁ ସାଥୀ କରି ରୌପ୍ୟ ଏବଂ ଜି ସାଥୀୟାନ୍‌ଙ୍କୁ ସାଥୀ କରି ମିଶ୍ରିତ ଯୁଗଳରେ କାଂସ୍ୟ ଜିତିଥିଲେ। ମନିକା ଚଳିତ ମାସ ୨୯ ତାରିଖରୁ ସ୍ୱିଡେନ୍‌ରେ ଆୟୋଜିତ ବିଶ୍ୱ ଦଳଗତ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବେ। ମନିକାଙ୍କ ବ୍ୟତୀତ ଗୋଲ୍‌ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜେତା ପୁରୁଷ ଦଳର ସଦସ୍ୟ ହର୍‌ମିତ୍‌ ଦେଶାଇଙ୍କ ନାମ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସଂଘ ସୁପାରିସ କରିଛି।

ସମ୍ବନ୍ଧିତ ଖବର