ଏସୀୟ ବିଦ୍ୟାଳୟ ଚେସ୍‌, ଅଭିନବଙ୍କୁ ୩ ପଦକ

କଟକ: ନିକଟରେ ଶ୍ରୀଲଙ୍କାରେ ଶେଷ ହୋଇଥିବା ୧୪ତମ ଏସୀୟ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତାରେ ଦଳଗତ ଭାବେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ଅଭିନବ ପାଲ୍‌ ତିନିଟି ପଦକ ହାସଲ କରିଛନ୍ତି। ୧୧ ବର୍ଷରୁ କମ୍‌ ବୟସ ବର୍ଗରେ ଓପନ୍‌ ରାପିଡ୍‌ ରାଉଣ୍ଡରେ ଦଳଗତ ଭାବେ ସ୍ୱର୍ଣ୍ଣ ପଦକ, କ୍ଲାସିକାଲ୍‌ରେ ରୌପ୍ୟ ଓ ବ୍ଲିଜ୍‌ରେ ସ୍ୱର୍ଣ୍ଣ ପଦକ ଭାରତ ଜିତିଥିଲା। ଏହି ତିନିଟି ବିଭାଗରେ ଅଭିନବ ସାମିଲ ଥିଲେ। ଏହି ପ୍ରତିଯୋଗିତା ଚଳିତ ମାସ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଅଭିନବ ବର୍ତ୍ତମାନ ଡିପିଏସ୍‌ କଳିଙ୍ଗ ସ୍କୁଲ୍‌ର ପଞ୍ଚମ ଶ୍ରେଣୀରେ ପଢୁଛନ୍ତି। ତେବେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାକୁ ଯାଇଥିଲା ବେଳେ ତିନିଟି ପଦକ ହାସଲ କରିବା ତାଙ୍କୁ ଅଧିକ ଉତ୍ସାହିତ କରିଛି ବୋଲି କହିଛନ୍ତି। ଆନ୍ତର୍ଜାତିକ ଆର୍ବିଟର ନିହାର ରଂଜନ ସାସମଲଙ୍କ ତତ୍ୱାବଧାନରେ ସେ ଏହି ସଫଳତା ପାଇଥିବା କହିଥିବା ବେଳେ ଏଥିପାଇଁ ଡିପିଏସ୍‌ ସ୍କୁଲ୍‌ ଓ କଟକ ଜିଲ୍ଲା ଚେସ୍‌ ସଂଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।

ସମ୍ବନ୍ଧିତ ଖବର