ଏକକାଳୀନ ୨ ମହିଳାଙ୍କୁ ବାହାହେବେ ରୋନାଲ୍‌ଡିନୋ

ବ୍ରାସିଲିଆ: ଅବିଶ୍ୱାସ ଲାଗୁଥିଲେ ବି ସତ। ବହୁନାରୀ ସମ୍ପର୍କ ଓ ବିବାହ କଥା ଆମେ ଶୁଣିଛୁ, କିନ୍ତୁ ଏକାଥରକେ ୨ ଜଣ ମହିଳାଙ୍କୁ ବିବାହ କରିବା ସମ୍ଭବତଃ ପ୍ରଥମ। ସେ ପୁଣି କୌଣସି ଅଜଣା ଅଶୁଣା ବ୍ୟକ୍ତି ନୁହନ୍ତି ବ୍ରାଜିଲୀୟ ଫୁଟ୍‌ବଲ୍‌ କିମ୍ବଦନ୍ତୀ ରୋନାଲିଡିନୋ। ଅଗଷ୍ଟ ମାସରେ ନିଜର ଦୁଇ ପ୍ରେମିକା ଫ୍ରିସିଲା କୋଏଲୋ ଏବଂ ବିଟ୍ରିଜ୍‌ ସୁଜାଙ୍କୁ ଏକାଥରକେ ବିବାହ କରିବାକୁ ଯାଉଛନ୍ତି ବିଶ୍ୱର ଏହି ପୂର୍ବତନ ଶ୍ରେଷ୍ଠ ଫୁଟ୍‌ବଲର୍‌। ଉଭୟ ମହିଳା ଗତ ଡିସେମ୍ବର ମାସରୁ ରୋନାଲ୍‌ଡିନୋଙ୍କ ରିଓ ଡି ଜେନିରୋସ୍ଥିତ ୫ ନିୟୁତ ପାଉଣ୍ଡ୍‌ ମାନ୍‌ସନ୍‌ରେ ରହୁଛନ୍ତି। ବିଟ୍ରିଜ୍‌ଙ୍କ ସହିତ ରୋନାଲ୍‌ଡିନୋ ୨୦୧୬ ମସିହାରୁ ପ୍ରେମ ସମ୍ପର୍କରେ ରହିଥିଲେ। କିନ୍ତୁ ଏହାର ଅନେକ ବର୍ଷ ପୂର୍ବରୁ ପ୍ରିିସିଲାଙ୍କ ସହ ଥିବା ସମ୍ପର୍କକୁ ମଧ୍ୟ ସେ ଏବେ ଅତୁଟ ରଖିଛନ୍ତି। ଉଭୟ ପ୍ରେମିକା ମଧ୍ୟ ରୋନାଲ୍‌ଡିନୋଙ୍କଠାରୁ ନିଜ ଇଚ୍ଛାରେ ମାସିକ ୧୫୦୦ ପାଉଣ୍ଡ୍‌ ଭତ୍ତା ପାଉଛନ୍ତିି। ଉଭୟଙ୍କୁ ରୋନାଲ୍‌ଡିନୋ ମଧ୍ୟ ସମାନ ଉପହାର ଦେଇଥାନ୍ତି। ନିକଟରେ ଏକ ବିଦେଶ ଗସ୍ତବେଳେ ଅତର କିଣିବା ବେଳେ ଏହା ଜଣାପଡ଼ିଥିଲା। ଅତୀତରେ ବିଶ୍ୱର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ରୋନାଲ୍‌ଡିନୋ ଗତବର୍ଷ ଜାନୁଆରିରେ ଉଭୟଙ୍କୁ ନିର୍ବନ୍ଧରେ ବିବାହ ମୁଦି ପ୍ରଦାନ କରିଥିଲେ। ଅଗଷ୍ଟ ମାସରେ ବିବାହ ଉତ୍ସବ କିନ୍ତୁ ରିଓର ବାରା ତିଜୁକା ଜିଲ୍ଲାର ସାନ୍ତା ମୋନିକା କଣ୍ଡୋମିନିୟମ୍‌ରେ ଘରୋଇ ଉତ୍ସବରେ ସୀମିତ ରହିବ। ଏହି ଘରେ ରୋନାଲଡିନୋ ୨୦୧୫ ମସିହାରୁ ରହି ଆସୁଛନ୍ତି। ରୋନାଲଡିନୋଙ୍କ ଏହି ବିବାହ ଉତ୍ସବକୁ କିନ୍ତୁ ତାଙ୍କ ଭଉଣୀ ଡାଏସୀ ବର୍ଜନ କରିବେ। ବିବାହ ଉତ୍ସବରେ କିନ୍ତୁ ବ୍ରାଜିଲୀୟ ଖ୍ୟାତନାମା ଜର୍ଜ ଭର୍ସିଲୋ ସଂଗୀତ ପରିବେଷଣ କରିବେ ବୋଲି ସମ୍ମତି ଦେଇଛନ୍ତି।

ଉଭୟ ପ୍ରେମିକା ପ୍ରିସିଲା ଓ ବିଟ୍ରିଜ୍‌ ବେଲୋ ହରିଜୋଣ୍ଟ୍‌ର ମୂଳ ଅଧିବାସୀ। ଯେଉଁଠି ରୋନାଲଡିନୋ ତାଙ୍କ ଆଟ୍‌ଲେଟିକୋ ମିନୋରୋ ପାଇଁ ଖେଳି ଏହି କ୍ଲବ୍‌କୁ ୨୦୧୨ ମସିହାରେ କୋପା ଲିବେରେଟୋରେସ ବିଜେତା କରାଇଥିଲେ। ନିଜ ପ୍ରେମ ସମ୍ପର୍କ କଥା ରୋନାଲଡିନୋ କେବେ ସାଧାରଣରେ ପ୍ରକାଶ କରିନଥିଲେ। ହେଲେ ମହିଳାଙ୍କ ବଂଧୁ ଓ ପରିବାର ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ରୋନାଲଡିନୋଙ୍କ ପ୍ରତିଟି ଇଭେଣ୍ଟ୍‌କୁ ଏହି ଦୁଇ ମହିଳା ମଧ୍ୟ ଗସ୍ତ କରିଥାନ୍ତି। ଚଳିତ ବର୍ଷ ମାର୍ଚ ମାସରେ ନିଜର ଶାମ୍ବା ସଂଗୀତ ଦଳ ସହିତ ଜାପାନ ଗସ୍ତ ବେଳେ ଉଭୟ ପ୍ରେମିକାଙ୍କ ସହି ଫଟୋକୁ ରୋନାଲ୍‌ଡିନୋ ଛାଡ଼ିବା ପରେ ଇନ୍‌ଷ୍ଟାଗ୍ରାମରେ ୩୨ ନିୟୁତ ଅନୁଗାମୀ ପସନ୍ଦ କରିଥିଲେ। ସପ୍ତାହକ ପରେ ସେମାନେ ରାଜଧାନୀ ବ୍ରାସିଲିଆରେ ମଧ୍ୟ ଏକତ୍ର ବୁଲିଥିଲେ। ଏହି ଚର୍ଚିତ ଫୁଟ୍‌ବଲର୍‌ ମଧ୍ୟ ରୋମାରିଓଙ୍କ ଭଳି ରାଜନୀତିରେ ଯୋଗଦେଇଛନ୍ତି। ବ୍ରାଜିଲିଆନ୍‌ ରିପବ୍ଲିକ୍‌ ପାର୍ଟି (ପିଆରବି)ର ନିର୍ବାଚନୀ ସଂଖ୍ୟା ୧୦ ଏବଂ ରୋନାଲ୍‌ଡିନୋଙ୍କ ବାର୍ସିଲୋନା ଜର୍ସି ସଂଖ୍ୟା ମଧ୍ୟ ୧୦। ତାଙ୍କ ଅଣପାରମ୍ପରିକ ଜୀବନଶୈଳୀ ଦଳ ପାଇଁ ଭଲ ନୁହେିଁ ବୋଲି କହି ଦଳୀୟ କର୍ମୀ ରୋନାଲ୍‌ଡିନୋଙ୍କୁ ମଧ୍ୟ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର