ବାଗାନ-ଲାଜଙ୍ଗ କ୍ୱାର୍ଟର୍‌ ଫାଇନାଲ ଆଜି

ଭୁବନେଶ୍ୱର: ଦୁଇ ଦିନ ବିରତି ପରେ ବୁଧବାର ପୁଣି ଥରେ କଳିଙ୍ଗ ଷ୍ଟାଡିୟମରେ ଫୁଟ୍‌ବଲ୍‌ ଲଢ଼େଇ ଆରମ୍ଭ ହେବ। ସୁପର କପ୍‌ର ଦ୍ୱିତୀୟ କ୍ୱାର୍ଟର୍‌ ଫାଇନାଲ୍‌ ମୁକାବିଲାରେ ଦୁଇ ଆଇଲିଗ୍‌ ଦଳ କୋଲ୍‌କାତାର ମୋହନ୍‌ ବାଗାନ ଏବଂ ମେଘାଳୟର ସିଲଂ ଲାଜଙ୍ଗ ମୁହାଁମୁହିଁ ହେବେ। ସେମିଫାଇନାଲ୍‌ ସ୍ଥାନ ପକ୍କା କରିବା ଲାଗି ଉଭୟ ଦଳ ମଙ୍ଗଳବାର ଝାଳବୁହା ଅଭ୍ୟାସ କରିଛନ୍ତି।
ଗତ ୧ ତାରିଖ ମ୍ୟାଚ୍‌ରେ ମୋହନ ବାଗାନ ୨-୧ ଗୋଲ୍‌ରେ ଚର୍ଚିଲ ବ୍ରଦର୍ସକୁ ହରାଇ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲା। ସେହିପରି ସିଲଂ ଲାଜଙ୍ଗ ୩-୨ ଗୋଲ୍‌ରେ ଆଇଏସ୍‌ଏଲ୍‌ ଦଳ ପୁନେ ସିଟିକୁ ହରାଇ ଏହି ପର୍ଯ୍ୟାୟକୁ ଆସିଥିଲା। ତେବେ ଉଭୟ ଦଳ ଖେଳିଥିବା ପ୍ରି କ୍ୱାର୍ଟର୍‌ ଫାଇନାଲ୍‌ ଲଢ଼େଇରେ କଡ଼ା ସଂଘର୍ଷ କରିଥିଲେ। ମୋହନ ବାଗାନ ଦୀପନ୍ଦା ଡିକା (୩୧, ୬୯)ଙ୍କ ଯୁଗଳ ଗୋଲ୍‌ରେ କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିବାର ସକ୍ଷମ ହୋଇଥିଲା। ବୁଧବାର ମଧ୍ୟ ମୋହନ ବାଗାନ ଡିକାଙ୍କ ଉପରେ ପୁରା ଭରସା ରଖିବ। ଯଦି ଡିକାଙ୍କ ପାଦ ଠିକ୍‌ରେ ଚାଲେ ତେବେ ମୋହନ ବାଗାନକୁ ଅଟକାଇବାକୁ ସିଲଂ ଲାଜଙ୍ଗକୁ ବହୁ ପରିଶ୍ରମ କରିବାକୁ ପଡ଼ିବ। ଅଧିନାୟକ ସାମୁଏଲ୍‌ ଲାଲମୁନ୍‌ପୁଇଆ ଶେଷ ମିନିଟ୍‌ରେ ସିଲଂ ଲାଜଙ୍ଗକୁ ବିଜୟ ଭେଟି ଦେଇଥିଲେ। ମ୍ୟାଚ୍‌ ସ୍ଥିତି ୨-୨ରେ ଥିଲା ବେଳେ ୯୦ତମ ମିନିଟ୍‌ରେ ଏକ ପେନାଲ୍‌ଟିକୁ ସେ ଗୋଲ୍‌ରେ ପରିଣତ କରି ଦଳକୁ କ୍ୱାର୍ଟର୍‌କୁ ନେଇଥିଲେ।
ଗତ ଆଇଲିଗ୍‌ରେ ଉଭୟ ଦଳ ଦୁଇ ଥର ମୁହାଁ ମୁହିଁ ହୋଇଥିଲେ। ମୋହନ ବାଗାନ ଘରୋଇ ପଡ଼ିଆରେ ଖେଳା ଯାଇଥିବା ମ୍ୟାଚ୍‌ ୧-୧ରେ ଅମୀମାଂସିତ ହୋଇଥିଲା। ତେବେ ସିଲିଂ ଘରୋଇ ପଡ଼ିଆରେ ଖେଳା ଯାଇଥିବା ମ୍ୟାଚ୍‌କୁ ମୋହନ ବାଗାନ ୩-୦ରେ ଜିତି ନେଇଥିଲା। ଆଇଲିଗ୍‌ ପଏଣ୍ଟ୍‌ ତାଲିକାର ତୃତୀୟରେ ରହି ମୋହନ ବାଗାନ ସୁପର କପ୍‌ ଯୋଗ୍ୟତା ଅର୍ଜନ କରିଥିଲା ବେଳେ ସିଲଂ ଷଷ୍ଠରେ ରହି ଏଠାକୁ ଆସିଥିଲା। ଅନ୍ୟପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ମଧ୍ୟ ମୋହନ ବାଗାନ ପକ୍ଷରେ ରହିବାର ସମ୍ଭାବନା ରହିଛି। କାରଣ ପୂର୍ବରୁ ଖେଳାଯାଇଥିବା କୋଲ୍‌କାତାର ୩ ମ୍ୟାଚ୍‌ (ଇଷ୍ଟ୍‍ ବେଙ୍ଗଲ୍‌ ୨ ଓ ମୋହନ ବାଗାନ ୧)ରେ ଦର୍ଶକଙ୍କ ସଂଖ୍ୟା ଅଧିକ ଥିଲା। ଏଥିରେ ଅର୍ଧାଧିକ ସମର୍ଥକ କୋଲ୍‌କାତାର ଥିଲେ। ଫଳରେ ବୁଧବାର ମୋହନ ବାଗାନ୍‌ର ପଲ୍ଲା ଭାରି ରହିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର