ଚେଲ୍ମ୍ସଫୋର୍ଡ: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ବୁଧବାରଠୁ ଏସେକ୍ସ ବିପକ୍ଷରେ ଭାରତ ଏକ ୪ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳାଯିବାକୁ ସୂଚୀ ପ୍ରସ୍ତୁତ ହୋଇଥିଲା। ହେଲେ ପିଚ୍ ଏବଂ ପଡ଼ିଆର ସ୍ଥିତି ଭଲ ନଥିବାରୁ ଏହି ମ୍ୟାଚ୍ ୪ ଦିନ ବଦଳରେ ୩ ଦିନ କରିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ନେଇ ଭାରତୀୟ ଅଧିକାରୀମାନେ ଅସନ୍ତୁଷ୍ଟ ହୋଇଛନ୍ତି। ଆୟୋଜକଙ୍କ ପକ୍ଷରୁ ପିଚ୍ ଏବଂ ପଡ଼ିଆକୁ ନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା। ଭାରତୀୟ ଦଳ ଅଭ୍ୟାସ କରିବାକୁ ପଡ଼ିଆରେ ପହଞ୍ଚିବା ପରେ ପିଚ୍ ଏବଂ ପଡ଼ିଆ ଚାରି ଦିନିଆ ମ୍ୟାଚ୍ ଲାଗି ଅନୁପଯୁକ୍ତ ବୋଲି ଜାଣିବାକୁ ପାଇଥିଲେ। ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏହାକୁ ନେଇ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ମ୍ୟାଚ୍ରେ ଖେଳାଳିମାନେ ଆଘାତ ହେବାର ସମ୍ଭାବନା ଅଧିକ ଥିବାରୁ ୪ ଦିନରୁ ୩ ଦିନ କରିବାକୁ ନିଷ୍ପତ୍ତି ହୋଇଥିଲା। ମଙ୍ଗଳବାର ମଧ୍ୟ ଭାରତୀୟ ଦଳ ଏଠାରେ ୪ ଘଣ୍ଟା ଧରି ଅଭ୍ୟାସ କରିଥିଲା। କିନ୍ତୁ ମ୍ୟାଚ୍ ଦିନ କମାଇବା ନିଷ୍ପତ୍ତିକୁ ନେଇ ଦୁଇ ଘଣ୍ଟା ବିଳମ୍ବରେ ଅଭ୍ୟାସ ଆରମ୍ଭ ହୋଇଥିଲା।