ଚେସ୍‌ ଭୀଷ୍ମ ଅରାତିଙ୍କ ପରଲୋକ

ଭୁବନେଶ୍ବର: ଓଡ଼ିଶା ଚେସ୍‌ର ଭୀଷ୍ମ ଭାବେ ପରିଚିତ ଅରାତି ବିଜୟ ମହାନ୍ତିଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୭୫ ବର୍ଷ ହୋଇଥିଲା। ଜୀବନର ଶେଷ ପର୍ଯ୍ୟନ୍ତ ଚେସ୍‌ ପ୍ରତି ସମର୍ପିତ ଥିବା ଏହି ଅବିବାହିତ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିରଂତର ଭାବେ ମାଗଣାରେ ପ୍ରଶିକ୍ଷଣ ପ୍ରଦାନ କରି ଆସୁଥିଲେ। ଗତ ରବିବାର ଉଦ୍‌ଯାପିତ ଓଡ଼ିଶା ଓପନ୍ ଚେସ୍ ପ୍ରତିଯୋଗିତାରେ ମଧ୍ୟ ସେ ସକ୍ରିୟ ଭାବେ ଉପସ୍ଥିତ ଥିଲେ। କିନ୍ତୁ ନିମୋନିଆରେ ଆକ୍ରାନ୍ତ ହେବା ପରେ ଶନିବାର ସଂଧ୍ୟା ୫.୧୦ ମିନିଟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ପୂର୍ତ ବିଭାଗରୁ ଅନୁସଚିବ ଭାବେ ଅବସର ନେଇଥିଲେ ମଧ୍ୟ ଅରାତି ବିଜୟ ରାଜ୍ୟରେ ଜଣେ ସଚ୍ଚା ଚେସ୍ ଖେଳାଳି ଏବଂ ପ୍ରଶାସକ ଭାବେ ପରିଚିତ ଥିଲେ। ମୃତ୍ୟୁ ବେଳକୁ ଓଡ଼ିଶା ରାଜ୍ୟ ଚେସ୍‌ ସଂଘ (ଓସ୍କା)ର ଉପ ସଭାପତି ଏବଂ ଭୁବନେଶ୍ବର ଚେସ୍‌ ସଂଘର ସମ୍ପାଦକ ଦାୟିତ୍ବରେ ଥିଲେ। ଚେସ୍‌ ପ୍ରତି ସେ ଏତେ ଉତ୍ସର୍ଗୀକୃତ ଥିଲେ ଯେ କୁହାଯାଏ ଅରାତି ଏହି ଖେଳକୁ ହିଁ ଜୀବନର ବ୍ରତ ଭାବେ ନେଇ ବିବାହ କରିଥିଲେ। ଭଉଣୀ ତଥା ରାଜ୍ୟର ପ୍ରଥମ ମହିଳା ପାଇଲଟ୍ ଗିରିବାଳା ମହାନ୍ତି ତାଙ୍କୁ ଚେସ୍‌କୁ ଆଣିଥିଲେ। ୧୯୬୪ରୁ ୧୯୭୨ ମସିହା ପର୍ଯ୍ୟନ୍ତ ରାଜ୍ୟ ବିଜେତା ହେବା ପରେ ବହୁବାର ସର୍ବଭାରତୀୟ ବେସାମରିକ ଚେସ୍‌ ପ୍ରତିଯୋଗିତାରେ ମଧ୍ୟ ବିଜେତା‌ ହୋଇଥିଲେ। ରାଜ୍ୟର ଅଧିକାଂଶ ଆଗଧାଡ଼ିର ଖେଳାଳିଙ୍କୁ ସେ ଚେସ୍‌ର ଏବିସିଡି ଶିଖାଇଥିଲେ। ଗାର୍ଗି ମହାପାତ୍ର, ସଂଘମିତ୍ରା ସିଂହ, ସୁରେଶ ରଥ, ସ୍ମୃତି ରଂଜନ ଦାସ, ରୂପ କୁମାର ଦାସ, ମାନସ ରଂଜନ ପରିଡ଼ା,‌ ଏସ୍ ସତ୍ୟପ୍ରଜ୍ଞ, ଏସ୍ ସତ୍ୟକାମ, ‌େସୗମ୍ୟରଂଜନ ମିଶ୍ର, କିରଣ ମନୀଷା ମହାନ୍ତି, ପଦ୍ମିନୀ ରାଉତ, ଅନ୍ବେଷ ଉପାଧ୍ୟାୟ, ସାଇନା ସଲୋନିକା, ଋତୁମ୍ବରା ବିଧାର ପ୍ରମୁଖ ତାଙ୍କ ଶ୍ରେଷ୍ଠ ଶିଷ୍ୟମାନଙ୍କ ମଧ୍ୟରେ ଜଣେଜଣେ। ଶନିବାର ରାତିରେ ସତ୍ୟନଗର ସ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଝିଆରୀ ଜ୍ବାଇଁ ଡାକ୍ତର ଅଜିତ କୁମାର ଦାଶ ମୁଖାଗ୍ନୀ ଦେଇଥିଲେ। ଶ୍ରୀ ମହାନ୍ତିଙ୍କ ବିୟୋଗରେ ସହିଦନଗରସ୍ଥିତ ଏସ୍‌୍ଆର୍‌ ଚେସ୍‌ କେନ୍ଦ୍ର ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର