ଚିନ୍ମୟଙ୍କୁ ତୃତୀୟ ଆଇଟା ୫୦କେ ମୁକୁଟ 

ଭୁବନେଶ୍ୱର/ମେଣ୍ଢାଶାଳ: ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍‌ ରିସର୍ଟସରେ ଚାଲିଥିବା ଗୁରୁକୁଳ ଆଇଟା-ଓଟିଏ ୫୦କେ ପୁରୁଷ ମାନ୍ୟତା ପ୍ରତିଯୋଗିତାରେ ଓଡ଼ିଆ ପୁଅ ଚିନ୍ମୟ ପ୍ରଧାନ ଏକକ ବର୍ଗରେ ବିଜେତା ହୋଇଛନ୍ତି। ଶୁକ୍ରବାର ଫାଇନାଲ୍‌ରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଚିନ୍ମୟ ୬-୧, ୬-୩ ସିଧାସଳଖ ସେଟ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ପଶ୍ଚିମବଙ୍ଗ ଖେଳାଳି ଅର୍ଘ୍ୟ ଦାସଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ଗୁରୁବାର ସେମିଫାଇନାଲ୍‌ରେ ଚିନ୍ମୟ ତୃତୀୟ ମାନ୍ୟତାପ୍ରାପ୍ତ ବେଙ୍ଗଲ୍‌ ଖେଳାଳି ରୋହିତ ରୋହିତ ରାମପୁରିଆଙ୍କୁ ୬-୨, ୬-୪ରେ ପରାସ୍ତ କରିଥିବାବେଳେ ଅର୍ଘ୍ୟ ୬-୪, ୭-୫ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସାମର ସେଖ୍‌ ମହମ୍ମଦ ଇଫ୍‌ତିକାରଙ୍କୁ ମାତ ଦୋଇଥିଲେ। ପୁରୁଷ ଯୁଗଳ ବର୍ଗରେ ପଶ୍ଚିମବଙ୍ଗ ଯୋଡ଼ି ଆଦିତ୍ୟ ଭି ରାୟ ଚୌଧୁରୀ ଓ ରୋହିତ ରାମପୁରିଆ ବିଜେତା ହୋଇଛନ୍ତି। ୨୬ ବର୍ଷୀୟ ଚିନ୍ମୟ ତୃତୀୟ ଥର ପାଇଁ ଏକ ୫୦କେ ପ୍ରତିଯୋଗିତା ଜିତିଛନ୍ତି। ୨୦୧୩ରେ ମେଣ୍ଡାଶାଳଠାରେ ପ୍ରଥମ ବଡ଼ ଟ୍ରଫି ଜିତିବା ପରେ ୨୦୧୫ରେ କିଟ୍‌ରେ ଏହାକୁ ଦୋହରାଇଥିଲେ। ଏହି ୩ଟି ପ୍ରମୁଖ ମୁକୁଟ ମଧ୍ୟରୁ ମଣ୍ଢାଶାଳରେ ଜିତିଥିବା ପ୍ରଥମ ୫୦କେ ଟ୍ରଫି ମୋ ପାଇଁ ଅଧିକ କଷ୍ଟସାଧ୍ୟ ଥିଲା ଏବଂ ସ୍ମରଣୀୟ ରହିଛି ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ କହିଥିଲେ ଚିନ୍ମୟ।

ସମ୍ବନ୍ଧିତ ଖବର