ଚହରଙ୍କ ଦ୍ବିତୀୟ ହ୍ୟାଟ୍ରିକ୍ ‘ହ୍ୟାଟ୍ରିକ୍’ ନଥିଲା

ନୂଆଦିଲ୍ଲୀ : ବାଂଲାଦେଶ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ର ୪୮ ଘଣ୍ଟା ଭିତରେ ଭାରତୀୟ ଦ୍ରୁତ ବୋଲର ଦୀପକ ଚହର ଆଉ ଏକ ହ୍ୟାଟ୍ରିକ୍ ନେଇଥିବାର ଚର୍ଚା ମଙ୍ଗଳବାର ଜୋର ଧରିଥିଲା। ଦ୍ବିତୀୟ ହ୍ୟାଟ୍ରିକ୍‌ଟି ସେ ଘରୋଇ କ୍ରିକେଟ୍‌ରେ ନେଇଥିବା ଦାବି ହୋଇଥିଲା। ରାଜସ୍ଥାନର ପ୍ରତିନିଧିତ୍ବ କରି ବିଦର୍ଭ ବିପକ୍ଷରେ ଦୀପକ ନେଇଥିବା ଏହି ହ୍ୟାଟ୍ରିକ୍‌ଟି ପ୍ରକୃତରେ କିନ୍ତୁ ହ୍ୟାଟ୍ରିକ୍ ନଥିଲା ବୋଲି ଏବେ ଜଣାପଡ଼ିଛି। ସୟଦ ମୁସ୍ତାକ ଅଲ୍ଲୀ ପ୍ରତିଯୋଗିତାର ଏହି ୧୩ ଓଭରିଆ ମୁକାବିଲାର ଶେଷ ଓଭରର ଚତୁର୍ଥ ବଲ୍‌ରେ ଦୀପକ ପ୍ରତିପକ୍ଷ ବିଦର୍ଭ ଦଳର ଦର୍ଶନ ନାଲଖଣ୍ଡେଙ୍କୁ ଆଉଟ୍ କରିଥିଲେ। ଏହା ପରେ ଏକ ୱାଇଡ୍ ବଲ୍ ପକାଇବା‌ ସହ ଶେଷ ଦୁଇ ବଲ୍‌ରେ ଶ୍ରୀକାନ୍ତ ୱାଗ୍ ଏବଂ ଅକ୍ଷୟ ୱାଦକରଙ୍କୁ ଆଉଟ୍ କରିଥିଲେ। ତିନିଟି ଲଗାତାର ୱିକେଟ୍ ଭିତରେ ଏକ ୱାଇଡ୍ ବଲ୍ ପକାଇଥିବାରୁ ଏହାକୁ ହ୍ୟାଟ୍ରିକ୍ ମାନ୍ୟତା ମିଳି ନାହିଁ। ସୂଚନାଯୋଗ୍ୟ ଯେ ହ୍ୟାଟ୍ରିକ୍ ନେଇ କୌଣସି ନୀତି ସମ୍ମତ ନିୟମ ନଥିଲେ ମଧ୍ୟ ସାଧାରଣତଃ ଲଗାତାର ତିନିଟି ଆଇନ ସମ୍ମତ ବଲ୍‌ରେ ୱିକେଟ୍ ‌ନେଲେ ଏହାକୁ ହ୍ୟାଟ୍ରିକ୍ ମାନ୍ୟତା ମିଳେ। ଦୀପକ ଏହା କରି ନଥିବାରୁ ଦୁଇ ଦିନରେ ଦୁଇଟି ହ୍ୟାଟ୍ରିକ୍ ନେବାକୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର