‌ଡେନ୍‌ମାର୍କ ପାରା ବ୍ୟାଡ୍‌ମିଣ୍ଟନ୍‌ରେ ପ୍ରମୋଦଙ୍କୁ ୨ କାଂସ୍ୟ

ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ଡେନ୍‌ମାର୍କ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ କାଂସ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ସେ ଉଭୟ ଏକକ ଓ ଯୁଗ‌ଳ ସେମିଫାଇନାଲ୍‌ ହାରିଯାଇଥିଲେ। ଏକକରେ ନିଜ ଯୁଗଳ ସାଥୀ ମନୋଜ ସରକାରଙ୍କଠୁ ୧୫-୨୧, ୧୬-୨୧ରେ ଏବଂ ଯୁଗଳରେ ୨୦-୨୨, ୧୫-୨୧ରେ ଅନ୍ୟତମ ଭାରତୀୟ ଯୋଡ଼ି ବିକ୍ରମ କୁମାର ଓ ସୁହାଶ ଲି’ଙ୍କଠୁ ପରାଜିତ ହୋଇଥିଲେ। ଦୁଇ କାଂସ୍ୟ ସହ ପ୍ରମୋଦ ନିଜ ମୋଟ ପଦକ ସଂଖ୍ୟା ୧୯ (୧୦ ଏକକ, ୯ ଯୁଗଳ)ରେ ପହଞ୍ଚାଇଛନ୍ତି। ସେଥିରେ ଏକକ ବର୍ଗରେ ୭ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୨ କାଂସ୍ୟ ଏବଂ ଯୁଗଳ ବର୍ଗରେ ୪ ସ୍ବର୍ଣ୍ଣ, ୩ ‌ରୌପ୍ୟ ଓ ୨ କାଂସ୍ୟ ରହିଛି। ଏହି ପଦକ ବଳରେ ପ୍ରମୋଦ ପାରାଲିମ୍ପିକ୍‌ ଯୋଗ୍ୟତା ପଏଣ୍ଟ୍‌ ମାନ୍ୟତାରେ ୬୩୦୦ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଡାନିଏଲ୍‌ ବିଥେଲ (୩୭୭୦) ଦ୍ବିତୀୟ ଏବଂ ମନୋଜ ସରକାର (୩୧୮୦) ତୃତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର