‌ଭୁବନେଶ୍ବରରେ ଧୋନି କ୍ରିକେଟ୍‌ କ୍ଲିନିକ୍‌ ୩ରୁ

ଭୁବନେଶ୍ବର: ଭାରତୀୟ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଏମ୍‌ଏସ୍‌ ଧୋନି କ୍ରିକେଟ୍‌ ଏକାଡେମି (ଏମ୍‌ଏସ୍‌ଡିସିଏ) ଆନୁକୂଲ୍ୟରେ ଆସନ୍ତା ମାସ ୩ରୁ ୯ ତାରିଖ ପର୍ଯ୍ୟନ୍ତ କ୍ରିକେଟ୍‌ ପ୍ରଶିକ୍ଷଣ କ୍ଲିନିକ୍‌ ଭୁବନେଶ୍ବରସ୍ଥିତ ସିଭି ରମଣ ଇଂଜିନିୟରିଂ କଲେଜ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ। ଧୋନିଙ୍କ ପିଲାଦିନର ‌ସାଥୀ ତଥା ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ମିହିର ଦିୱାକରଙ୍କ ଦ୍ବାରା ପରିଚାଳିତ ଆରକା ସ୍ପୋର୍ଟ୍ସ ତଳସ୍ତରରୁ ‌କ୍ରିକେଟ୍‌ ପ୍ରତିଭା ଅନ୍ବେଷଣ ସହ ପ୍ରଶିକ୍ଷିତ କରିବା ଲାଗି ଏମ୍‌ଏସ୍‌ଡିସିଏ ପ୍ରତିଷ୍ଠା କରିଛନ୍ତି। ଏହି ସଂସ୍ଥା ନୂଆ ପ୍ରତିଭାଙ୍କୁ କ୍ରିକେଟ୍‌ ଜ୍ଞାନ ପ୍ରଦାନ କରିବା ଲାଗି ଭାରତର ୨୨ ସହରରେ ୭ ଦିନିଆ କ୍ଲିନିକ୍‌ର ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ କଟକର ନିମପୁର ପଡ଼ିଆରେ ଓଡ଼ିଶାରେ ପ୍ରଥମ କ୍ଲିନିକ୍‌ ଆରମ୍ଭ ହେବ। ଏହା ପରେ ଭୁବନେଶ୍ବରରେ ୩ ତାରିଖରୁ ଏହି କ୍ଲିନିକ୍‌ ଆରମ୍ଭ ହେବ ବୋଲି ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏମ୍‌ଏସ୍‌ଡିସିଏର ମାର୍ଗଦର୍ଶକ ତଥା ପ୍ରଶିକ୍ଷକ କେଶବ ରଂଜନ ବାନାର୍ଜୀ। ଏହି କ୍ଲିନିକ୍‌ରେ କ୍ରିକେଟ୍‌ ବୈଷୟିକ ଜ୍ଞାନ ସହ ଶାରୀରିକ ପ୍ରଶିକ୍ଷଣ ସାଙ୍ଗକୁ ଖାଦ୍ୟପେୟ ଉପରେ ଶିକ୍ଷା ପ୍ରଦାନ କରାଯିବ। ‌ପ୍ରଶିକ୍ଷଣ ସମୟରେ ପ୍ରଶିକ୍ଷାର୍ଥୀଙ୍କ ‌ଶୈଳୀର ସମସ୍ତ ଭିଡିଓ ଉତ୍ତୋଳନ କରାଯିବ। ଏହି ଭିଡିଓକୁ ଏମ୍‌ଏସ୍‌ଡିସିଏର ଆପ୍‌ରେ ଅପ୍‌ଲୋଡ୍‌ କରାଯିବ। ଏଥିରୁ ପ୍ରଶିକ୍ଷାର୍ଥୀମାନେ ନିଜ ସମସ୍ୟା ଜାଣିବା ସହ ସମାଧାନ ଲାଗି ଆପ୍‌ ଦ୍ବାରା ଏମ୍‌ଏସ୍‌ଡିସିଏର ପ୍ରଶିକ୍ଷକଙ୍କ ସହଯୋଗ ନେଇପାରିବେ ବୋଲି ଧୋନିଙ୍କ ପିଲାଦିନର ପ୍ରଶିକ୍ଷକ ବାନାର୍ଜୀ କହିଥିଲେ। ଏମ୍‌ଏସ୍‌ଡିସିଏ ବିଶ୍ବସ୍ତରରେ କାର୍ଯ୍ୟ କରୁଛି। ଏହାର ଏକାଡେମି ଭାରତର ବାରାଣାସୀରେ ପ୍ରଥମେ ଆରମ୍ଭ ହୋଇଥିଲା ବେଳେ ସିଙ୍ଗାପୁର ଓ ଦୁବାଇରେ ମଧ୍ୟ ରହିଛି। ସଂପ୍ରତି ଏକାଡେମିର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଲଣ୍ଡନରେ ଚାଲୁ ରହିଛି। ଓଡ଼ିଶାରେ ମଧ୍ୟ ଏହାର ଏକାଡେମି ପ୍ରତିଷ୍ଠ‌ା କରିବ‌ାର ଯୋଜନା ରହିଛି ବୋଲି ସେ ପ୍ରକାଶ କରିଥିଲେ। ପ୍ରଶିକ୍ଷକ ଭାବେ ଧୋନିଙ୍କ ସହ ଦକ୍ଷିଣ ଆଫ୍ରିକା ସ୍ପିନର ଇମ୍ରାନ ତାହିର ଏବଂ ପୂର୍ବତନ ଶ୍ରୀଲଙ୍କା ଦ୍ରୁତ ବୋଲର ପରଭେଜ ମାହାରୁଫ ରହିଛନ୍ତି। ଏମାନେ ଖେଳାଳିଙ୍କ ସହ ସିଧାସଳଖ ଭେଟି ନ ପାରିଲେ ମଧ୍ୟ ଆପ୍‌ ଦ୍ବାରା ସମସ୍ୟା ସମାଧାନର ସହଯୋଗ କରିବେ ବୋଲି ଶ୍ରୀ ବାନାର୍ଜୀ କହଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆରକା ସ୍ପୋର୍ଟ୍ସର ପ୍ରବନ୍ଧକ ଶେଖର ଚୌହାନ, ସିଭି ରମଣ ଇଂଜିନିୟରିଂ କଲେଜର ମୁଖ୍ୟ ସଂଜୀବ ରାଉତ ଏବଂ ହାଇଟେକ୍ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କ୍ରୀଡ଼ା ଓ ସଂସ୍କୃତି ନିର୍ଦେଶକ ପ୍ରେମ ରଂଜନ ଓଝା, ଏମ୍‌ଏସ୍‌ଡିସିଏର ଓଡ଼ିଶା ପ୍ରବନ୍ଧକ ବିଭୂ ଶତପଥୀ ଏବଂ ବରିଷ୍ଠ ଅମ୍ପାୟାର ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

କ୍ଲିନିକ୍‌ରେ କ୍ରିକେଟ୍‌ ପ୍ରତି ଇଚ୍ଛୁକଥିବା ୬ରୁ ୧୯ ବର୍ଷ ବୟସ ମଧ୍ୟ‌ରେ ଥିବା ଖେଳାଳିମାନେ ଅଂଶଗ୍ରହଣ କରିପାରିବେ। ପ୍ରବେଶ ରାଶି ୫୦୦୦ ଟଙ୍କା ରହିଥିଲା ବେଳେ ଗରିବ ମେଧାବୀ ମାଗଣା ପ୍ରଶିକ୍ଷଣ ନେଇପାରିବେ। ପ୍ରଥମ ୧୦୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ସୁଯୋଗ ମିଳିବ। ୫୦ ଜଣ ଲେଖାଏଁ ପ୍ରଶିକ୍ଷାର୍ଥୀଙ୍କୁ ନେଇ ଦୁଇଟି ବର୍ଗରେ ପ୍ରଶିକ୍ଷଣ ଦିଆଯିବ। ବିସିସିଆଇ ‌‌ଲେବଲ୍‌ ୩ ଓ ୨’ର ୫ ଜଣ ପ୍ରଶିକ୍ଷକ ଏହି କ୍ଲିନିକ୍‌ରେ ପ୍ରଶିକ୍ଷଣ ପ୍ରଦାନ କରିବେ। ଇଚ୍ଛୁକ ଖେଳାଳିମାନେ ବିଭୁ ଶତପଥୀ (୯୦୯୦୩ ୩୦୬୬୪, bibhusatapathi@gmail)ଙ୍କୁ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର