ଦିମିତ୍ରୋଭ୍‌, ସ୍ୱିତୋଲିନା ବିଦା; ଭେରେଭ୍‌ ଓ ସେରେନା ବର୍ତିଗଲେ:ଭର୍ଦେସ୍କୋ, ମାଡିସନ୍‌ ପ୍ରି-କ୍ୱାର୍ଟରରେ

ପ୍ୟାରିସ୍‌: ଉଭୟ ପୁରୁଷ ଓ ମହିଳା ଏକକରେ ଶୁକ୍ରବାର ବିପର୍ଯ୍ୟୟ ଘଟିଛି। ଉଭୟ ବର୍ଗର ଚତୁର୍ଥ ମାନ୍ୟତା ଖେଳାଳି ନିଜ ନିଜର ତୃତୀୟ ରାଉଣ୍ଡ୍‌ ପରାଜୟ ସହ ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଫ୍ରେଞ୍ଚ୍‌ ଓପନ୍‌ରୁ ବିଦାୟ ନେଇଛନ୍ତି। ମହିଳା ଏକକରେ ଚତୁର୍ଥ ମାନ୍ୟତା ତଥା ୟୁକ୍ରେନ୍‌ ଲଳନା ଇଲିନା ସ୍ୱେତ୍‌ଲିନା ଶୁକ୍ରବାର ତୃତୀୟ ରାଉଣ୍ଡ୍‌ ମୁକାବିଲାରେ ୩୦ତମ ମାନ୍ୟତା ମିହେଲା ବୁଜାରନେସ୍କୁଙ୍କ ନିକଟରୁ ସିଧାସଳଖ ୩-୬ ଓ ୫-୭ ସେଟ୍‌ରେ ହାରି ଅଭିଯାନ ଶେଷ କରିଥିଲା ବେଳେ ପୁରୁଷ ଏକକରେ ଚତୁର୍ଥ ମାନ୍ୟତା ଗ୍ରିଗୋର୍‌ ଦିମିତ୍ରୋଭ୍‌ ତୃତୀୟ ରାଉଣ୍ଡ୍‌ ପରାଜୟ ସହ ଅଭିଯାନ ଶେଷ କରିଛନ୍ତି। ଦୁଇ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିଫାଇନାଲ୍‌ ଖେଳିଥିବା ବୁଲ୍‌ଗେରିଆ ତାରକା ଦିମିତ୍ରୋଭ୍‌ଙ୍କୁ ଶୁକ୍ରବାର ମୁକାବିଲାରେ ସିଧାସଳଖ ୭-୬, ୬-୨ ଓ ୬-୪ ସେଟ୍‌ରେ ପରାସ୍ତ କରି ୩୦ତମ ମାନ୍ୟତା ସ୍ପେନ୍‌ ତାରକା ଫର୍ନାଣ୍ଡୋ ଭର୍ଦେସ୍କେ ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ଏଥି ସହିତ ସପ୍ତମ ଥର ପାଇଁ ବିଶ୍ୱ ମାନ୍ୟତାର ୩୫ତମ ଖେଳାଳି ଫ୍ରେଞ୍ଚ୍‌ ଓପନ୍‌ ପ୍ରି-କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି।
ଅନ୍ୟପକ୍ଷରେ ମାତୃତ୍ୱ ଲାଭ ପରେ ଟେନିସ୍‌ କୋର୍ଟକୁ ଫେରିଥିବା ଆମେରିକୀୟ ମହିଳା ସେରେନା ଓ୍ଵିଲିୟମ୍‌ସ ମହିଳା ଏକକ ବର୍ଗର ଦ୍ୱିତୀୟ ରାଉଣ୍ଡ୍‌ରେ ଅଳ୍ପକେ ବର୍ତି ଯାଇଛନ୍ତି। ଏହି ଶକ୍ତିଶାଳୀ ଖେଳାଳିଙ୍କୁ ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି କଡ଼ା ଟକ୍କର ଦେଇଥିଲେ। ଏପରିକି ସପ୍ତଦଶ ମାନ୍ୟତା ବାର୍ଟି ମଧ୍ୟ ପ୍ରଥମ ସେଟ୍‌କୁ ୬-୩ରେ ଜିତି ସେରେନାଙ୍କୁ ଚାପରେ ପକାଇ ଦେଇଥିଲେ। ତେବେ ଅଭିଜ୍ଞତାର ଫାଇଦା ଉଠାଇ ସେରେନା ପରବର୍ତୀ ଦୁଇଟି ସେଟ୍‌କୁ ଯଥାକ୍ରମେ ୬-୩ ଓ ୬-୪ରେ ଜିତି ତୃତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଥିଲେ। ସେରେନା ମ୍ୟାଚ୍‌ରେ ୯ ଏସେସ୍‌ ମାରିଥିଲେ ମଧ୍ୟ ୩୬ ଅନିଛାକୃତ ତ୍ରୁଟି କରି ପରାଜୟ ଆଶଙ୍କାରେ ପଡ଼ିଯାଇଥିଲେ। ତେବେ ଦ୍ୱିତୀୟ ମାନ୍ୟତା ଡେନ୍‌ମାର୍କ ଲଳନା କାରୋଲିନେ ଓ୍ଵଜ୍‌ନିଆକି, ତ୍ରୟୋଦଶ ମାନ୍ୟତା ମାଡିସନ୍‌ କେୟସ୍‌, ଚତୁର୍ଦଶ ମାନ୍ୟତା ଦାରିଆ କାସାତ୍‌କିନା ଓ ୨୬ତମ ମାନ୍ୟତା ବାର୍ବରା ଷ୍ଟ୍ରାଇକୋଭା ନିଜ ନିଜର ସିଧାସଳଖ ସେଟ୍‌ ବିଜୟ ସହ ପ୍ରିକ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି।
ପୁରୁଷ ଏକକର ଶୁକ୍ରବାର ଏକ ରୋମାଞ୍ଚକର ମୁକାବିଲାରେ ଦ୍ୱିତୀୟ ମାନ୍ୟତା ଆଲେକ୍‌ଜାଣ୍ଡର ଭେରେଭ୍‌ ପରାଜୟରୁ ଅଳ୍ପକେ ବର୍ତିଯାଇଛନ୍ତି। ଏହି ଜର୍ମାନି ତାରକା ୫ ସେଟ୍‌ ଲଢ଼ିବା ପରେ ୨୬ତମ ମାନ୍ୟତା ଦାମିର୍‌ ଜୁମ୍‌ହୁର୍‌ଙ୍କୁ ୬-୨, ୩-୬, ୪-୬, ୭-୬ ଓ ୭-୫ରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସେହିପରି ପୂର୍ବତନ ଶୀର୍ଷ ମାନ୍ୟତା ତଥା ଏଠାରେ ୨୦ତମ ମାନ୍ୟତାପ୍ରାପ୍ତ ନୋଭାକ୍‌ ଜୋକୋଭିକ୍‌ ମଧ୍ୟ କଷ୍ଟକର ବିଜୟ ସହ ତୃତୀୟ ରାଉଣ୍ଡ୍‌ ଅତିକ୍ରମ କରିଛନ୍ତି। ଏହି ସର୍ବିଆ ତାରକା ଶୁକ୍ରବାର ପ୍ରବଳ ଲଢ଼େଇ କରି ତ୍ରୟୋଦଶ ମାନ୍ୟତା ରବର୍ଟ ବତିସ୍ତା ଅଗୁଟ୍‌ଙ୍କୁ ୬-୪, ୬-୭, ୭-୬ ଓ ୬-୨ ସେଟ୍‌ରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ଅନ୍ୟ ପକ୍ଷରେ ୧୯ତମ ମାନ୍ୟତା ଜାପାନର କେଇ ନିଶିକୋରି ସିଧାସଳଖ ସେଟ୍‌ ବିଜୟ ସହ ତୃତୀୟ ରାଉଣ୍ଡ୍‌ ଅତିକ୍ରମ କରିଥିଲା ।

ସମ୍ବନ୍ଧିତ ଖବର