ଦୁବାଇ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ସେମିରେ ସିନ୍ଧୁ

ଦ୍ୱିତୀୟ ପରାଜୟ ସହ ଶ୍ରୀକାନ୍ତ ସେମିରୁ ବାଦ୍‌

ଦୁବାଇ: ବୁଧବାରଠୁ ଆରମ୍ଭ ହୋଇଥିବା ଦୁବାଇ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ରମାଗତ ଦ୍ୱିତୀୟ ବିଜୟ ସହ ଭାରତୀୟ ଲଳନା ପିଭି ସିନ୍ଧୁ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ଚଳିତ ବର୍ଷ ଇଣ୍ଡିଆ ଓପନ୍‌ ଓ କୋରିଆ ଓପନ୍‌ ଜିତିବା ବ୍ୟତୀତ ଗ୍ଲାସ୍‌ଗୋ ବିଶ୍ୱ ପ୍ରତିଯୋଗିତାରେ ରୌପ୍ୟ ଏବଂ ହଂକଂ ଓପନ୍‌ରେ ଉପବିଜୟିନୀ ହୋଇଥିବା ବିଶ୍ୱ ମାନ୍ୟତାର ତୃତୀୟ ସିନ୍ଧୁ ଏଠାରେ ମହିଳା ଏକକ ଗ୍ରୁପ୍‌-ଏରେ ବୁଧବାର ନିଜର ପ୍ରଥମ ମୁକାବିଲାରେ ବିଶ୍ୱ ମାନ୍ୟତାର ନବମ ଚୀନ୍‌ ଲଳନା ହି ବିଙ୍ଗ୍‌ଜିଆଓଙ୍କୁ ୨୧-୧୧, ୧୬-୨୧ ଓ ୨୧-୧୮ରେ ପରାସ୍ତ କରିଥିଲେ। ଏହାପରେ ଗୁରୁବାର ସିନ୍ଧୁ ଖେଳିଥିବା ଦ୍ୱିତୀୟ ମ୍ୟାଚ୍‌ରେ ଜାପାନର ସାୟାକା ସାଟୋଙ୍କୁ ୨-୦ (୨୧-୧୩ ଓ ୨୧-୧୨)ରେ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।

ତେବେ ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତ ନିରାଶ କରିଛନ୍ତି। ବିଶ୍ୱ ମାନ୍ୟତାର ଚତୁର୍ଥ ଶ୍ରୀକାନ୍ତ ଏକମାତ୍ର ଭାରତୀୟ ତଥା ବିଶ୍ୱର ଚତୁର୍ଥ ଖେଳାଳି ଭାବେ ଗୋଟିଏ ବର୍ଷ ୪ ସୁପର ସିରିଜ୍‌ (ଇଣ୍ଡୋନେସିଆ ଓପନ୍‌, ଅଷ୍ଟ୍ରେଲିଆ ଓପନ୍‌, ଡେନ୍‌ମାର୍କ ଓପନ୍‌ ଓ ଫ୍ରେଞ୍ଚ୍‌ ଓପନ୍‌) ଟ୍ରଫି ଜିତିବାର ବିରଳ କୀର୍ତିମାନ ନିଜ ନାମରେ କରିଥିଲା ବେଳେ ଏଠାରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛନ୍ତି। ବୁଧବାର ପ୍ରଥମ ଦିନ ପୁରୁଷ ବର୍ଗ ଗ୍ରୁପ୍‌-ବିରେ ବିଶ୍ୱ ମାନ୍ୟତାର ଶୀର୍ଷ ତଥା ପୂର୍ବ ବିଜେତା ଭିକ୍ଟର ଆକ୍ସଲେସେନ୍‌ଙ୍କ ନିକଟରୁ ୧୩-୨୧ ଓ ୧୭-୨୧ ସିଧାସଳଖ ଗେମ୍‌ରେ ହାରି ଯାଇଥିଲା ବେଳେ ଗୁରୁବାର ଦ୍ୱିତୀୟ ଦିନ ମଧ୍ୟ ପରାଜୟ ଧାରା ଜାରି ରଖିଥିଲେ। ଗୁରୁବାର ଶ୍ରୀକାନ୍ତ ମଧ୍ୟ ସମାନ ୦-୨ (୧୮-୨୧, ୧୮-୨୧) ବ୍ୟବଧାନରେ ଚାଇନିଜ୍‌ ତାଇପେର ଚୋଉ ତିନ୍‌ ଚେନ୍‌ଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ୪ ଜଣିଆ ଗ୍ରୁପ୍‌ରେ ଦୁଇ ଦିନରେ ଦୁଇଟି ପରାଜୟ ଯୋଗୁଁ ଶ୍ରୀକାନ୍ତ ମଧ୍ୟ ସେମିଫାଇନାଲ୍‌ ଦୌଡରୁ ବାଦ୍‌ ପଡ଼ିଛନ୍ତି। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ୨ ଜଣ ଲେଖାଏଁ ସେମିଫାଇନାଲ୍‌ ଯୋଗତା ହାସଲ କରିବେ।

ସମ୍ବନ୍ଧିତ ଖବର