‘କ୍ରୀଡ଼ା ସାହିତ୍ୟ’ ସମ୍ଭାବନାର ନୂଆ ଦିଗ

ଭୁବନେଶ୍ବର: ଖେଳ, ଖେଳାଳି ଏବଂ ସେମାନଙ୍କର ସଂଘର୍ଷ। ପ୍ରତ୍ୟେକ ଖେଳାଳିର ବିଜୟଗାଥା, ବିଫଳତା, ହତାଶା ପୁଣି ଖୁସି। କ୍ରୀଡ଼ା ତାରକାଙ୍କ କାହାଣୀ ଭିତରେ ଥିବା କାହାଣୀ, ଏସବୁକୁ କାରକ କରି ଆମ ପିଢ଼ିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ଶକ୍ତି ‘କ୍ରୀଡ଼ା ସାହିତ୍ୟ’ର ଅଛି। କ୍ରୀଡ଼ା ମଧ୍ୟ ଜୀବନର ଗତି ପଥ ବଦଳାଇ ଦେଲା ଭଳି ଅଭିଜ୍ଞତା ହୋଇପା‌ରେ। ସତ କହିବାକୁ ଗଲେ ଏହା ଜୀବନ ପ୍ରତି ଥିବା ଆମ ଦୃଷ୍ଟିଭଙ୍ଗୀକୁ ବଦଳାଇ ଦେଇପାରେ। କ୍ରୀଡ଼ା ସାହିତ୍ୟ ମହୋତ୍ସବ ଏହି ଜଗତର ପ୍ରମୁଖ ବ୍ୟକ୍ତିତ୍ବ ଏବଂ କ୍ରୀଡ଼ାପ୍ରେମୀଙ୍କୁ ଆହୁରି ନିକଟତର କରିଛି। ଆଗାମୀ ହକି ବିଶ୍ବକପ୍ ଲାଗି ଏହା ସବୁଠାରୁ ବଡ଼ ଉପହାର। ଶୁକ୍ରବାର ପ୍ରଥମ ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। କ୍ରୀଡ଼ା ସାହିତ୍ୟରେ ଥିବା ଅପାର ସମ୍ଭାବନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାରକା ଖଚିତ ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବରେ ଯୋଗଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ। କ୍ରୀଡ଼ାକୁ ସମର୍ଥନ କରିବା ଲାଗି ସାରା ବିଶ୍ବର ପ୍ରଶିକ୍ଷକ ଏବଂ କ୍ରୀଡ଼ା ଲେଖକମାନେ ଏଠାରେ ଏକତ୍ରିତ ହୋଇଛନ୍ତି। ଏହା ଭୁବନେଶ୍ବର ହକି ବିଶ୍ବକପ୍ ଲାଗି ଆବଶ୍ୟକ ଉତ୍ସାହ ସୃଷ୍ଟି କରିପାରିଛି। ବହୁ ଦଶନ୍ଧି ଧରି ଓଡ଼ିଶା ‘ହକି’ର ପୃଷ୍ଠପୋଷକ ହୋଇ ରହିଆସିଛି। ଭାରତୀୟ ଦଳକୁ ଓଡ଼ିଶା ବହୁ ଖେଳାଳି ଦେଇଛି। ବିଶ୍ବକପ୍ ଆୟୋଜନ କରି କ୍ରୀଡ଼ା ପ୍ରତି ଥିବା ପ୍ରତିବଦ୍ଧତାକୁ ଆମେ ଆହୁରି ବ୍ୟାପ୍ତ କରିବାକୁ ଯାଉଛୁ। ମୁଁ ସ୍ଥିର ନିଶ୍ଚିତ ଯେ ସମଗ୍ର ବିଶ୍ବରୁ ଆସିବାକୁ ଥିବା ପର୍ଯ୍ୟଟକ ନିଶ୍ଚିତ ଭାବେ ନୂଆ ଅଭିଜ୍ଞତା ନେଇ ଫେରିବେ। ଆଶା କରୁଛି ସମସ୍ତ ୧୬ ଅଂଶଗ୍ରହଣକାରୀ ଦଳ ଏହି ଅବସରରେ ଖେଳୁଆଡ଼ ମନୋଭାବ ପରିବେଷଣ କରିବେ। ହକିର ସର୍ବବୃହତ୍ ମହୋତ୍ସବ ଓଡ଼ିଶା ଆସୁଥିବାରୁ ସ୍ବାଭାବିକ ଭାବେ ଏହାକୁ ନେଇ ଅନେକ ଲେଖା ଲେଖି ହେବ। ବିଶ୍ବର ଶ୍ରେଷ୍ଠ ଲେଖକମାନଙ୍କୁ ଆମେ ବିଶ୍ବକପ୍ ଉପରେ ଲେଖା ଲେଖିବା ସହ ସେମାନଙ୍କ କ୍ରୀଡ଼ା କାହାଣୀ ପ୍ରକାଶ କରିବାକୁ ଅନୁରୋଧ କରୁଛୁ। କେବଳ ହକି ନୁହେଁ ଅନ୍ୟ ଖେଳର ଲେଖା ଉପରେ ମଧ୍ୟ ଧ୍ୟାନ ଦେବାକୁ ମୁଁ ସେମାନଙ୍କୁ ଆହ୍ବାନ କରୁଛି।

ପ୍ରଥମ ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇ ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ‌ଯୋଗ ଦେଇ ଏହି ଦୁଇ ଦିନିଆ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଦେଶ ବିଦେଶର ବହୁ କ୍ରୀଡ଼ା ତାରକା, ଲେଖକ ଏବଂ ପ୍ରକାଶକ ଗୋଟିଏ ଛାତ ତଳେ ଏକାଠି ହୋଇଥିଲେ। ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଇମର୍ଜିଂ ସ୍ପୋର୍ଟସର ମିଳିତ ଉଦ୍ୟମରେ ଆୟୋଜିତ ହେଉଥିବା ଏହି ନିଆରା ଉତ୍ସବର ପ୍ରଥମ ଦିନରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ହକି ପ୍ରଶିକ୍ଷକ ରିକ୍ ଚାର୍ଲସୱର୍ଥ, ୧୯୭୫ ହକି ବିଶ୍ବକପ୍‌ ବିଜୟୀ ଭାରତୀୟ ଅଧିନାୟକ ଅଜିତ ପାଲ ସିଂହ, ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଦ୍ରୁତ ବୋଲର ଜେଫ୍ ଥମ୍ପସନ୍, ଅଲିମ୍ପିଆନ୍ ଧନରାଜ ପିଲ୍ଲେ, ଦିଲୀପ ତିର୍କି, ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା, ଧାବିକା ଶାନ୍ତି ସୌନ୍ଦରାଜନ, ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟୀ ଧାବକ ବେନ୍ ଜନସନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭାରତୀୟ କ୍ରୀଡ଼ା ସହ ତତ୍ ସଂପର୍କିତ ବିଭିନ୍ନ ବିଭାଗ ଉପରେ ନିଜ ନିଜର ମତ ରଖିଥିଲେ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ‌ଲେଖିଥିବା ପୁସ୍ତକ ‘ଦି ଧୋନି ଟଚ୍-ଅନରାଭେଲିଂ ଦି ଏନିଗ୍ମା ଦାଟ୍ ଇଜ୍‌ ମହେନ୍ଦ୍ର ସିଂହ ଧୋନି’ ଉପରେ ଏହାର ଲେଖକ ଭରତ ସୁନ୍ଦର୍ସନ ଏବଂ ଆକାଶ ଚୋପ୍ରା ତାଙ୍କ ଲିଖିତ ପୁସ୍ତକ ‘ନମ୍ବର୍ସ ଡୋଣ୍ଟ ଲାଏ’ ନେଇ ବିସ୍ତୃତ ବିବରଣୀ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ହକି ବାଇଟ୍ସ’ର ପ୍ରଚ୍ଛଦ ପୃଷ୍ଠାର ଉନ୍ମୋଚନ କରିଥିଲେ। କ୍ରୀଡ଼ା ସଚିବ ବିଶାଲ ଦେବ ସ୍ବାଗତ ଭାଷଣ ଦେବା ପରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ ଷ୍ଟିଫାନି ରାଇସ୍ ଏବଂ ଲେଖକ ସନ୍ଦୀପ ମିଶ୍ର ଉଦ୍‌ଘାଟନୀ ମନ୍ତବ୍ୟ ଦେଇଥିଲେ। ଏହା ପରେ ଥମ୍ପସନ୍, ଚାର୍ଲୱର୍ଥ, ଅଜିତ, ଧନରାଜ, ଦିଲୀପ ଏବଂ ନ୍ୟୁ ସାଉଥ୍ ୱେଲ୍ସ ହକି ଦଳର ପ୍ରଶିକ୍ଷକ ବ୍ରେଣ୍ଟ ଲିଭରମୋର ହକି ବିଶ୍ବକପ୍ ନେଇ ନିଜ ନିଜ ମତ ରଖିଥିଲେ। ଶାନ୍ତି ସୌନ୍ଦରାଜନ ପୁରୁଷ ହର୍ମୋନ ନିୟମ ନେଇ ନିଜ ମତ ରଖିବା ପରେ ପ୍ରଥମ ଦିନର କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଶନିବାର ଦ୍ବିତୀୟ ଦିନରେ କ୍ରିକେଟର ମହମ୍ମଦ କୈଫ, ଯୋଗେଶ୍ବର ଦତ୍ତ, ବିନେଶ ଫୋଗଟ, ନୀରଜ ଚୋପ୍ରା, ଅଜିଙ୍କ୍ୟ ରାହାଣେ ପ୍ରମୁଖ ଅନ୍ତର୍ଜାତୀୟ କ୍ରୀଡ଼ା ବ୍ୟକ୍ତିତ୍ବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର