ଅଷ୍ଟ୍ରେଲିଆର ଶତକ ମରୁଡି ଅନ୍ତ ଘଟାଇଲେ ବର୍ନସ ଓ ହେଡ୍‌

କାନ୍‌ବେରା: ଶେଷ ୧୧ ‌ଟେଷ୍ଟ୍‌ ମଧ୍ୟରେ ଉସ୍‌ମାନ ଖୱାଜାଙ୍କ ଜରିଆରେ ଅଷ୍ଟ୍ରେଲିଆ ଏକମାତ୍ର ଶତକ ପାଇଥିଲା। ହେଲେ ଏଠାରେ ଶତକ ମରୁଡିର ଅନ୍ତ ଘଟାଇଛନ୍ତି ଜୋଏ ମର୍ନସ୍‌ ଓ ଟ୍ରାଭିସ୍‌ ହେଡ୍‌। ଶୁକ୍ରବାରଠୁ ଏଠାରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିବସରେ ହିଁ ଉଭୟ ବର୍ନସ୍‌ ଓ ହେଡ୍‌ ଶତକ ଜମାଇଛନ୍ତି। ବର୍ନସ୍‌ ୨୬ ଚୌକା ସହାୟତାରେ ୧୭୨ ରନ୍‌ କରି ଅପରାଜିତ ରହିଥିଲା ବେଳେ ହେଡ୍‌ ୨୧ ଚୌକା ଓ ୧ ଛକା ଜରିଆରେ ୧୬୧ ରନ୍‌ କରି ପାଭିଲିୟନ୍‌ ଫେରି ଯାଇଛନ୍ତି। ଉଭୟେ ଦଳ ପାଇଁ ଶତକ ମରୁଡିର ଅନ୍ତ ଘଟାଇଥିଲା ବେଳେ ଚତୁର୍ଥ ୱିକେଟ୍‌ରେ ୩୦୮ ରନ୍ ଯୋଡ଼ି ସ୍ଥିତି ମଜବୁତ୍‌ କରିଛନ୍ତି। ଖୱାଜା ଖାତା ଖେଳିବାକୁ ସମର୍ଥ ହୋଇନଥିଲା ବେଳେ ହାରିସ୍‌ ୧୧, ଲାମ୍ବୁସାନ୍‌ ୬ ରନ୍‌ କରିଥିଲେ। ପାଟରସନ୍‌ ୨୫ ରନ୍‌ରେ ଅପରାଜିତ ରହିଛନ୍ତି। ଯାହା ଫଳରେ ଟସ୍‌ ଜିତି ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ପ୍ରଥମ ଦିବସରେ ୮୭ ଓଭର ଖେଳିଥିବା ବେଳେ ୪ ୱିକେଟ୍‌ ବିନିମୟରେ ୩୮୪ ରନ୍‌ କରିନେଇଛି। ଫର୍ନାଣ୍ଡୋ ଏକା ୩ ୱିକେଟ୍‌ ନେଇଥିଲା ବେଳେ ଅବଶିଷ୍ଟ ୱି‌କେଟ୍‌ ଟି କରୁଣାରତ୍ନେଙ୍କୁ ମିଳିଛି। ଜୀବନର ପ୍ରଥମ ଶତକ ଜମାଇବା ପରେ ଅଷ୍ଟ୍ରେଲିଆର ଉପଅଧିନାୟକ ଟ୍ରାଭିସ୍‌ ହେଡ୍‌ଙ୍କ ଆଖିରେ ଲୋତକ ଭରି ଯାଇଥିଲା। ସେ ତାଙ୍କର ଏହି ଶତକକୁ ତାଙ୍କ ମନସ୍ତତ୍ବବିତ୍‌ ତଥା ସାଥୀ ଖେଳାଳି ପରଲୋକଗତ ଫିଲିପ୍‌ ହ୍ୟୁଗ୍‌ସକୁ ଉତ୍ସର୍ଗ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ଏହି ଟେଷ୍ଟ୍‌ର ପ୍ରଥମ ଦିବସରେ ବର୍ନସ୍‌ ବ୍ୟକ୍ତିଗତ ଚତୁର୍ଥ ଏବଂ ହେଡ୍‌ ନିଜର ପ୍ରଥମ ଟେଷ୍ଟ୍‌ ଶତକ ହାସଲ କରିଛନ୍ତି। ୮ ଟେଷ୍ଟ୍‌ ଖେଳିଥିବା ହେଡ୍‌ ଏହା ପୂର୍ବରୁ ୪ ଅର୍ଧଶତକ ହାସଲ କରିଥିଲେ। ବର୍ନସ୍‌ କିନ୍ତୁ ୧୯୯୫ ପରେ କୌଣସି ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ଡାହାଣହାତୀ ବ୍ୟାଟ୍‌ସମ୍ୟାନ୍‌ ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିଛନ୍ତି। ୧୯୯୫ ଡିସେମ୍ବରରେ ୱାକାରେ ଶ୍ରୀଲଙ୍କା ବିପକ୍ଷରେ ମାଇକେଲ ସ୍ଲାଟର ୨୧୯ ରନ୍‌ କରିବା ପରେ ବର୍ନସ୍‌ଙ୍କ ଅପରାଜିତ ୧୭୨ ରନ୍‌ ସର୍ବାଧିକ।

ଉଭୟ ବର୍ନସ୍‌ ଓ ହେଡ୍‌ଙ୍କ ମଧ୍ୟରେ ହୋଇଥିବା ୩୦୮ ରନ୍‌ର ଚତୁର୍ଥ ୱିକେଟ୍‌ ଭାଗୀଦାରି ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟ୍ରେଲିଆର ଯେକୌଣସି ୱିକେଟ୍‌ ପାଇଁ ସର୍ବାଧିକ। ଏକ୍ଷେତ୍ରରେ ବର୍ନସ୍‌ ଓ ହେଡ୍‌ ପ୍ରାୟ ୩୦ ବର୍ଷ ତଳର କୀର୍ତିମାନକୁ ଭାଙ୍ଗି ଦେଇଛନ୍ତି। ଶେଷଥର ପାଇଁ ୧୯୮୯ ଡିସେମ୍ବରରେ ହୋବାର୍ଟ ଟେଷ୍ଟ୍‌ରେ ଡିନ୍‌ ଜୋନ୍‌ସ ଓ ଷ୍ଟିଭ୍‌ ୱ’ ଅବିଭାଜିତ ୨୬୦ ରନ୍ ଯୋଡ଼ିଥିଲେ। ଯାହାକି ଏପର୍ଯ୍ୟନ୍ତ ଅତୁଟ ରହିଥିଲା। ତେବେ ଶ୍ରୀଲଙ୍କା ବିପକ୍ଷ ଚଳିତ ଟେଷ୍ଟ୍‌ ପୂର୍ବରୁ ୧୩ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ପାଇଁ ଗୋଟିଏ ହେଲେ ଦ୍ବିଶତକୀୟ ଭାଗୀଦାରି ଦେଖିବାକୁ ମିଳିନଥିଲା। ଶେଷ ଥର ପାଇଁ ୨୦୧୭ ଡିସେମ୍ବର ପର୍ଥ ଆସେସ୍‌ ଟେଷ୍ଟ୍‌ରେ ମିଚେଲ ମାର୍ସ ଓ ଷ୍ଟିଭ୍‌ ସ୍ମିଥ୍‌ ଏଭଳି ସଫଳତା ପାଇଥିଲେ। କିନ୍ତୁ ୨୦୧୫ରେ ୧୩ ଟେଷ୍ଟ୍‌ରେ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ମାନେ ୮ ଥର ଦ୍ବିଶତକୀୟ ଭାଗୀଦାରି ପାଇଥିଲେ। ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ ପ୍ରଥମ ପାଳି (୮୭ ଓଭର): ୩୮୪/୪ (ଜୋଏ ବର୍ନସ୍‌-୧୭୨*, ଟ୍ରାଭିସ୍‌ ହେଡ୍‌-୧୬୧, ଫର୍ନାଣ୍ଡୋ-୩/୯୯)।

ସମ୍ବନ୍ଧିତ ଖବର