ମାଗଣାରେ ଖେଳିବେ ଗମ୍ଭୀର!

ନୂଆଦିଲ୍ଲୀ: ଦିଲ୍ଲୀ ଡେୟାର ଡେଭିଲ୍‌ସର ଅଧିନାୟକ ପଦ ଛାଡ଼ିବା ପରେ ଗୌତମ ଗମ୍ଭୀର ଏକ ନିଆରା ନିଷ୍ପତ୍ତି ନେଇଛନ୍ତି। ଦଳର ଦୟନୀୟ ପ୍ରଦର୍ଶନ ପାଇଁ ସେ ଏହି ଋତୁ ପାଇଁ ଧାର୍ଯ୍ୟ ସମ୍ପୂର୍ଣ୍ଣ ୨.୮ କୋଟି ଟଙ୍କାର ଦରମାକୁ ନେବେ ନାହିଁ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି। ଏହା ବାସ୍ତବ ରୂପ ନେଲେ ଗମ୍ଭୀର ପ୍ରଥମ ଅଧିନାୟକ ଭାବେ ପ୍ରଦର୍ଶନ ନାହିଁ ଦରମା ନାହିଁ ଭଳି ଭିନ୍ନ ଉଦାହରଣ ଛାଡ଼ିବେ। ଚଳିତ ଋତୁରେ ଗମ୍ଭୀର ପ୍ରଥମ ମ୍ୟାଚ୍‌ରେ ଅର୍ଧଶତକ ଜମାଇ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୋଟ ୮୫ ରନ୍‌ କରିଛନ୍ତି। ‘ଗୌତମ ଏଣିକି ଦିଲ୍ଲୀ ଡେୟାର୍‌ ଡେଭିଲ୍‌ସଠାରୁ କୌଣସି ଦରମା ନେବେ ନାହିଁ ଏବଂ ଆଇପିଏଲ୍‌ର ଅବଶିଷ୍ଟ ଭାଗରେ ସେ ମାଗଣାରେ ଖେଳିବେ’ ବୋଲି ଗମ୍ଭୀରଙ୍କ ସହ ଘନିଷ୍ଠ ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି। ଗମ୍ଭୀର ପ୍ରତିଟି କଥାକୁ ଗର୍ବ ଓ ଗୌରବର ସହ ନେଇଥାନ୍ତି। ପ୍ରଦର୍ଶନ କରିବାକୁ ସେ ଗର୍ବ ଅନୁଭବ କରିଥାନ୍ତି ବୋଲି ସେ କହିଥିଲେ। ଚଳିତ ଋତୁରେ ସେ ଖେଳାଳିଭାବେ ଉପଲବ୍‌ଧ ରହିବେ ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ ଚଳିତ ଆଇପିଏଲ୍‌ ପରେ ତାଙ୍କ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବେ। ‘ଏ ସମ୍ପର୍କରେ କିଛି କହିବା ଏବେ କିଛି ଜଲ୍‌ଦି ହୋଇଯିବ। ମୁଁ ଭାବିଚିନ୍ତି ନିଷ୍ପତ୍ତି ନେବି। ମୋ ଖେଳ ଏବେ କେଉଁଠି ଅଛି ଚିନ୍ତା କରିବା ପରେ ବିଚାର କରିବି ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର