ନୂଆଦିଲ୍ଲୀ: ଗତ ସପ୍ତାହରେ କ୍ରିକେଟ୍ର ସବୁ ଫର୍ମାଟ୍ରୁ ଅବସର ନେଇଥିବା ବାମହାତୀ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଏବେ ଟ୍ବିଟର୍ରେ ଝଡ଼ ସୃଷ୍ଟି କରିଛନ୍ତି। ୨୦୧୨ ସିବି ଶୃଙ୍ଖଳା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଚୟନ ପ୍ରକ୍ରିୟାକୁ ଶନିବାର ନିଜ ଟ୍ବିଟର୍ ପୃଷ୍ଠାରେ ସେ ସମାଲୋଚନା କରିଛନ୍ତି। ଧୋନି ୨୦୧୨ ସିବି ଶୃଙ୍ଖଳା ବେଳେ ୨୦୧୫ ବିଶ୍ବକପ୍ ପାଇଁ ଦଳ ଚୟନ କରି ଦେଇଥିଲେ। ଗୌତମ ଗମ୍ଭୀର, ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହବାଗଙ୍କୁ ଏକାଠି ଖେଳାଇବାକୁ ଧୋନି ଚାହୁଁନଥିଲେ। ଏପରି ନିଷ୍ପତ୍ତି ଯେଉଁ କ୍ରିକେଟର୍ ଶୁଣିବ ତାକୁ ନିଶ୍ଚିତ ଝଟ୍କା ଲାଗିବ ବୋଲି ଗମ୍ଭୀର ଟ୍ବିଟର୍ରେ ପ୍ରକାଶ କରିଥିଲେ। ଯଦି ଜଣେ ଭଲ ବ୍ୟାଟିଂ କରୁଛି ତା ଲାଗି ବୟସର ମାନେ କିଛି ନଥାଏ। ଯଦି ଖରାପ ଖେଳୁଛି ତାହା ଅଲଗା କଥା। ୨୦୧୨ ସିବି ଶୃଙ୍ଖଳାରେ ଭାରତ ୮ ମ୍ୟାଚ୍ରୁ ୩ ବିଜୟ ପାଇଥିଲା ବେଳେ ଗୋଟିଏ ଟାଇ ରଖିଥିଲା। ଏଥିରେ ବିରାଟ କୋହଲି (୩୭୩) ସର୍ବାଧିକ ରନ୍ ସଂଗ୍ରହାକରୀ ହୋଇଥିଲା ବେଳେ ଗୌତମ ଗମ୍ଭୀର (୩୦୮) ଦ୍ବିତୀୟରେ ରହିଥିଲେ।