ସ୍ୱର୍ଣ୍ଣିମ ଶୁକ୍ରବାର: ଭାରତକୁ ୩ ସ୍ୱର୍ଣ୍ଣ ସହ ଆଉ ୧୧ ପଦକ

ଗୋଲ୍‌ଡକୋଷ୍ଟ୍‍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ଭାରତ ଚଳିତ ସଂସ୍କରଣ ଗୋଟିଏ ଦିନରେ ସର୍ବାଧିକ ୧୧ ପଦକ ଜିତିଛି। ଏହା ମଧ୍ୟରେ ୩ ସ୍ୱର୍ଣ୍ଣ ପଦକ ସାମିଲ ରହିଛି। ଏଥି ସହିତ ଭାରତ ମୋଟ ୪୨ ପଦକ ପାଇ ପଦକ ତାଲିକାରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ତଳକୁ ତୃତୀୟ ସ୍ଥାନ ବଜାୟ ରଖିଛି। ଶୁକ୍ରବାର ନିର୍ଣ୍ଣାୟକ ନବମ ଦିନରେ ଭାରତ ବଂଧୁକଚାଳନାରୁ ୨ ଏବଂ କୁସ୍ତିରୁ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଥିଲା। ପ୍ରଥମ ଥର ଟେବୁଲ୍‌ ଟେନିସ୍‌ରୁ ଐତିହାସିକ ମହିଳା ଯୁଗଳ ରୌପ୍ୟ ପଦକ ହାସଲ କରିଥିଲା। ସ୍ୱର୍ଣ୍ଣ ପଦକ (୧୭) ଅର୍ଜନରେ ଭାରତ ଗତ ସଂସ୍କରଣ (ଗ୍ଲାସ୍‌ଗୋ-୧୫)କୁ ଅତିକ୍ରମ କରି ସାରିଥିଲେ ମଧ୍ୟ ଏବେ ୨୦୧୦କୁ ଟପିବା ଆଶଙ୍କା ଭିତରେ ରହିଛି। ୨୦୧୪ରେ ଗ୍ଲାସ୍‌ଗୋରେ ଭାରତ ୧୫ ସ୍ୱର୍ଣ୍ଣ ସହ ମୋଟ ୬୪ ପଦକ ଜିତିଥିଲା। ୨୦୧୦ରେ ନୂଆଦିଲ୍ଲୀରେ କିନ୍ତୁ ଆୟୋଜକ ଭାରତ ୩୮ ସ୍ୱର୍ଣ୍ଣ ସହ ମୋଟ ୧୦୧ ପଦକ ଜିତି ଅଷ୍ଟ୍ରେଲିଆ ତଳକୁ ଦ୍ୱିତୀୟରେ ରହିଥିଲା। ଏବେ ଭାରତ ବିଗତ ଦୁଇ ସଂସ୍କରଣର ମୋଟ ପଦକକୁ ଟପିବା ସମ୍ଭାବନା କ୍ଷୀଣ ରହିଛି।

କୁସ୍ତିରୁ ବଜରଙ୍ଗ ସ୍ୱର୍ଣ୍ଣ

ଶୁକ୍ରବାର କୁସ୍ତିରୁ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଥିଲେ ବଜରଙ୍ଗ ପୁନିଆ। ୬୫ କିଲୋଗ୍ରାମ ପୁରୁଷ ଫ୍ରିଷ୍ଟାଇଲ୍‌ରେ ବଜରଙ୍ଗ ପୁନିଆ େଓ୍ଵଲ୍‌ସର କେନ୍‌ ଚାରିଗ୍‌ଙ୍କୁ ୧୦-୦ରେ ଏକତରଫା ଭାବେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ। ୨୪ ବର୍ଷୀୟ ଏହି ହରିଆନା ଯୁବକ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲେ। ୪ ବର୍ଷ ତଳେ ସେ ଗ୍ଲାସ୍‌ଗୋରେ ରୌପ୍ୟ ପଦକ ଜିତିଥିବାରୁ ଏବେ ନିଜ ସ୍ୱର୍ଣ୍ଣ ପଦକ ସ୍ୱପ୍ନକୁ ସାକାର କରିଛନ୍ତି। ଫାଇନାଲ୍‌ ଆସିବା ପଥରେ ଶୁକ୍ରବାର ବଜରଙ୍ଗ ନ୍ୟୁଜିଲାଣ୍ଡ୍‌ର ବ୍ରାମ୍‌ ରିଚାର୍ଡସ, ନାଇଜେରିଆର ଆମସ୍‌ ଡାନିଏଲ୍‌ ଏବଂ କାନାଡ଼ାର ଭିନ୍‌ସେଣ୍ଟ୍‌ ଡି ମାରିନିସ୍‌ଙ୍କୁ ପରାସ୍ତ କରିଥିଲେ। ୨୦୧୩ ମସିହାରେ ବଜରଙ୍ଗ ବିଶ୍ୱ କୁସ୍ତି କାଂସ୍ୟ ଜିତିଥିଲେ। ବିଗତ ଦୁଇ ବର୍ଷ ସେ ରାଜ୍ୟଗୋଷ୍ଠୀ କୁସ୍ତିରେ କିନ୍ତୁ ସ୍ୱର୍ଣ୍ଣ ପଦକ ଜିତି ଏହାକୁ ଶୁକ୍ରବାର କାରାରା ସ୍ପୋର୍ଟ ଆରେନାରେ ଦୋହରାଇଥିଲେ। ଶୁକ୍ରବାର ମହିଳା ୫୭ କିଲୋଗ୍ରାମରେ ପୂଜା ଧଣ୍ଡା ନାଇଜେରିଆର ଓଡୁଦାୟୋ ଆଦିକେରୋୟେଙ୍କଠାରୁ ୫-୭ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ସେହିଭଳି ପୁରୁଷ ବର୍ଗର ୯୭ କିଲୋଗ୍ରାମ ଫ୍ରିଷ୍ଟାଇଲ୍‌ରେ ମୌସମ ଖତ୍ରୀ ରୌପ୍ୟ ପଦକ ଜିତି ନେଇଥିଲେ। ୨୭ ବର୍ଷୀୟ ଏହି ହରିଆନା ଯୁବକ ମଧ୍ୟ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାର ୨୩ ବର୍ଷୀୟ ମାର୍ଟିନ ଏରାସମସ୍‌ଙ୍କଠାରୁ ହାରିଥିଲେ। ୨୦୧୦ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିବା ମୌସମ ୨୦୦୯ ଏବଂ ୨୦୧୧ରେ ଦୁଇ ଥର ବିଜେତା ହୋଇଥିଲେ। ଭାରତ ପାଇଁ କୁସ୍ତିରୁ ଚତୁର୍ଥ ପଦକ ଦେଇଥିଲେ ଦିବ୍ୟା କାକରନ। ମହିଳା ୬୮ କିଲୋଗ୍ରାମ ଫ୍ରିଷ୍ଟାଇଲ୍‌ରେ ଦିବ୍ୟା କାଂସ୍ୟ ପଦକ ଜିତିଥିଲେ। ବାଂଲାଦେଶର ସେରିନ ସୁଲତାନାଙ୍କୁ ଧରାଶାୟୀ କରି ସେ ଏହି ପଦକ ହାସଲ କରିଥିଲେ।

ଟିଟିରୁ ଐତିହାସିକ ରୌପ୍ୟ

ଟେବୁଲ୍‌ ଟେନିସ୍‌ରୁ ପ୍ରଥମ ଥର ଦଳଗତ ସ୍ୱର୍ଣ୍ଣ ପଦକ ଜିତି ସାରିଥିବା ଭାରତୀୟ ଖେଳାଳିମାନେ ଶୁକ୍ରବାର ଆଉ ଏକ ନୂଆ ଫର୍ଦ ଯୋଡ଼ିଛନ୍ତି। ମହିଳା ଯୁଗଳ ବର୍ଗରେ ମନିକା ବାତ୍ରା ଏବଂ ମୌମା ଦାସ ଯୋଡ଼ି ଫାଇନାଲରେ ଗତ ଥରର ବିଜେତା ଫେଙ୍ଗ୍‌ ତିଆନ୍‌େଓ୍ଵଇ ଓ ୟୁ ମେଙ୍ଗୁଙ୍କଠାରୁ ୫-୧୧, ୪-୧୧, ୫-୧୧ରେ ଏକତରଫା ଭାବେ ହାରିଯାଇଥିଲେ। ଦଳଗତ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିବା ମନିକା ବାତ୍ରା ଶୁକ୍ରବାର ମୌମା ଦାସଙ୍କ ସହ ସେଭଳି ଚମତ୍କାରିତା ଦେଖାଇ ପାରିନଥିଲେ। ତଥାପି ଭାରତ ପ୍ରଥମ ଥର ପାଇଁ ରୌପ୍ୟ ପଦକ ଜିତି ନୂଆ ଅଧ୍ୟାୟ ସଂଯୋଗ କରି ନେଇଥିଲା। ଏହା ପୂର୍ବରୁ ଟେବୁଲ୍‌ ଟେନିସ୍‌ରେ ଭାରତର ଶ୍ରେଷ୍ଠ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ଥିଲା କାଂସ୍ୟ (ମୌମା ଦାସ-ପୌଲମି ଘଟକ, ୨୦୧୦, ନୂଆଦିଲ୍ଲୀ)। କାଂସ୍ୟ ମୁକାବିଲାରେ କିନ୍ତୁ ଭାରତର ସୂତୀର୍ଥା ମୁଖାର୍ଜୀ ଏବଂ ପୂଜା ସହଶ୍ରବୁନ୍ଦେ ମାଲେସୀୟ ଯୋଡ଼ିଙ୍କଠାରୁ ହାରିଯାଇଥିଲେ। ଏବେ ଏହି ଖେଳରେ ଭାରତ ମଧ୍ୟ ପୁରୁଷ ଯୁଗଳ ଏବଂ ମିଶ୍ରିତ ଯୁଗଳରୁ ପଦକ ଜିତିବା ସମ୍ଭାବନା ରହିଛି। ଶରତ କମଲ-ଜି ସାଥିଆଁ ଫାଇନାଲ୍‌ରେ ପହଞ୍ଚିଛନ୍ତି।

ଅନିଶ ଓ ତେଜସ୍ୱିନୀଙ୍କୁ ସ୍ୱର୍ଣ୍ଣ
ବଂଧୁକଚାଳନାରୁ ଭାରତକୁ ୨ ସ୍ୱର୍ଣ୍ଣ ପଦକ ମିଳିଥିଲା। ଗୁରୁବାର ରୌପ୍ୟ ଜିତିଥିବା ତେଜସ୍ୱିନୀ ସାଓ୍ଵନ୍ତ ଶୁକ୍ରବାର ସ୍ୱର୍ଣ୍ଣ ପଦକ ଜିତି ବ୍ୟକ୍ତିଗତ ଦ୍ୱିତୀୟ ପଦକ ହାସଲ କରିଥିଲେ। ଗୁରୁବାର ସେ ୫୦ ମିଟର ମହିଳା ରାଇଫଲ୍‌ ପ୍ରୋନ ରୌପ୍ୟ ପଦକ ଜିତିଥିଲେ। କିନ୍ତୁ ଶୁକ୍ରବାର ଏହି ଇଭେଣ୍ଟ୍‌ର ରାଇଫଲ୍‌ ଥ୍ରି ପୋଜିସନ୍‌ରେ ଶୀର୍ଷରେ ରହିଥିଲେ। ସମାନ ବର୍ଗରେ ଅନ୍ୟତମ ଭାରତୀୟ ଅଞ୍ଜୁମ ମୌଦଗୁଲି ରୌପ୍ୟ ପଦକ ଜିତିବାରୁ ଭାରତ ୧-୨ ସଫଳତା ପାଇଥିଲା। ଏହା ଥିଲା ୩୭ ବର୍ଷୀୟା ତେଜସ୍ୱିନୀଙ୍କ ସପ୍ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ। ମହିଳା ଟ୍ରାପ୍‌ରେ ଶ୍ରେୟସୀ ସିଂହ ପଞ୍ଚମରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଭାରତ ପାଇଁ କିନ୍ତୁ ଉଦୀୟମାନ ପ୍ରତିଭା ଅନିଶ ସର୍ବକନିଷ୍ଠ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୧୫ ବର୍ଷୀୟ ଅନିଶ କେବଳ ସ୍ୱର୍ଣ୍ଣ ଜିତିନଥିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତିମାନ ମଧ୍ୟ ପ୍ରତିଷ୍ଠା କରିଥିଲେ। ବେଲ୍‌ମଣ୍ଟ୍‌ ସୁଟିଂ ରେଞ୍ଜ୍‌ରେ ଅନିଶ ପୁରୁଷ ୨୫ ମିଟର୍‌ ର‍୍ୟାପିଡ୍‌ ଫାୟାର୍‌ ପିସ୍ତଲ୍‌ରେ ଏହି ଗୌରବ ଆଣିଥିଲେ। ସେ ସ୍କୋର୍‌ କରିଥିବା ୩୦ ପଏଣ୍ଟ୍‌ ୨୦୧୪ ମସିହାରେ ଅଷ୍ଟ୍ରେଲିଆର ଡେଭିଡ୍‌ ଚାପମ୍ୟାନ୍‌ଙ୍କ କୀର୍ତିମାନ (୨୪)କୁ ପଛରେ ପକାଇ ଦେଇଥିଲା। ୬ ଜଣିଆ ଫାଇନାଲ୍‌ରେ ସର୍ବକନିଷ୍ଠ ଥିବା ଅନିଶ କିନ୍ତୁ ସ୍ଥିତପ୍ରଜ୍ଞ ଚିତ୍ତରେ ଲକ୍ଷ୍ୟ ଭେଦ କରି ଅଭିଜ୍ଞ ବଂଧୁକଚାଳକଙ୍କୁ ପଛରେ ପକାଇ ଦେଇଥିଲେ। ‘ମୁଁ ରାଜ୍ୟଗୋଷ୍ଠୀ ବିଜେତା ହୋଇଥିବାରୁ ବହୁ ଉଲ୍ଲସିତ ବୋଲି କହିଛନ୍ତି ଅନିଶ। ଏବେ ଚଳିତ ବର୍ଷର ବିଶ୍ୱ ପ୍ରତିଯୋଗିତା (ଦକ୍ଷିଣ କୋରିଆ) ଏବଂ ଏସୀୟ କ୍ରୀଡ଼ା (ଇନ୍ଦୋନେସିଆ)ରେ ପଦକ ଜିତି ପ୍ରଶିକ୍ଷକଙ୍କ ସହ ଉତ୍ସବ ପାଳିବାକୁ ଯୋଜନା କରିବି ବୋଲି କହିଥିଲେ ଏହି ଯୁବ ପ୍ରତିଭା।

ସମ୍ବନ୍ଧିତ ଖବର