ହରିଆଣା ହନୁମାନ

ଜାକର୍ତା: ଜାକର୍ତା-ପାଲେମବାଙ୍ଗ୍‌ ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ଭାରତକୁ ସ୍ୱର୍ଣ୍ଣ ଉପହାର ଦେଇଥିବା ବଜରଙ୍ଗ ପୁନିଆ ୧୯୯୪ ମସିହା ଫେବ୍ରୁଆରି ୨୪ ତାରିଖରେ ହରିଆଣାର ଝାଝର ଜିଲ୍ଲା ଖୁଦାନ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପିତାଙ୍କ ପ୍ରେରଣାରେ ମାତ୍ର ୭ ବର୍ଷ ବୟସରେ ହିଁ କୁସ୍ତି କରିବା ଆରମ୍ଭ କରି ଦେଇଥିଲେ। ତିନି ବର୍ଷ ତଳେ ଅର୍ଥାତ୍‌ ୨୦୧୫ରେ ସୋନେପତର ସାଇ କେନ୍ଦ୍ରରେ ଯୋଗଦେବା ପରେ ହିଁ ସେ ସଫଳତାର ନୂଆ ସ୍ତର ଛୁଇଁଥିଲେ। ବିନୋଦ କୁମାରଙ୍କ ପ୍ରଶିକ୍ଷଣରେ ବଜରଙ୍ଗ ଗୋଟିଏ ପରେ ଗୋଟିଏ ପଦକ ଜିତି ଚାଲିଥିଲେ। ୨୦୧୩ ବୁଦାପେଷ୍ଟ ବିଶ୍ୱ ପ୍ରତିଯୋଗିତାର ୬୦ କିଲୋଗ୍ରାମ ବର୍ଗରେ କାଂସ୍ୟ ଜିତିବା ତାଙ୍କ ଖେଳ ଜୀବନର ପ୍ରଥମ ବିଶ୍ୱସ୍ତରୀୟ ପଦକ ଥିଲା। ଏହା ପରେ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିବା ପରେ ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ବଜରଙ୍ଗ। ସେହିଭଳି ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିବା ପରେ ଜାକର୍ତାରେ ସେ ବ୍ୟକ୍ତିଗତ ଭାବେ ପ୍ରଥମ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ହାସଲ କରିଛନ୍ତି। ୨୦୧୩ ନୂଆଦିଲ୍ଲୀ ଏସୀୟ ଚାମ୍ପଅନ୍‌ସିପ୍‌ରେ କାଂସ୍ୟ, ୨୦୧୪ ଆସ୍ତନା ଏସୀୟ ଚାମ୍ପଅନ୍‌ସିପ୍‌ରେ ରୌପ୍ୟ, ୨୦୧୭ ନୂଆଦିଲ୍ଲୀ ଏସୀୟ ଚାମ୍ପଅନ୍‌ସିପ୍‌ରେ ସ୍ୱର୍ଣ୍ଣ, ଚଳିତ ବର୍ଷର ବିଶକେକ୍‌ ଏସୀୟ ଚାମ୍ପଅନ୍‌ସିପ୍‌ରେ କାଂସ୍ୟ, ୨୦୧୭ ବିଜୋସିଜ୍‌ ବିଶ୍ୱ ଯୁବ କୁସ୍ତିରେ ରୌପ୍ୟ, ୨୦୧୬ ରାଜ୍ୟଗୋଷ୍ଠୀ ଚାମ୍ପଅନ୍‌ସିପ୍‌ରେ ସ୍ୱର୍ଣ୍ଣ, ୨୦୧୭ ବ୍ରାକପ୍ୟାନ୍‌ ରାଜ୍ୟଗୋଷ୍ଠୀ ଚାମ୍ପଅନ୍‌ସିପ୍‌ରେ ସ୍ୱର୍ଣ୍ଣ, ୨୦୧୭ ଅସଗାବାତ୍‌ ଏସୀୟ ଇନ୍‌ଡୋର ଓ ସାମରିକ କଳା କ୍ରୀଡ଼ାରେ ସ୍ୱର୍ଣ୍ଣ ଆଦି ହେଉଛି ତାଙ୍କର କେତେକ ସ୍ମରଣୀୟ ଅନ୍ତର୍ଜାତୀୟ ସଫଳତା। ପ୍ରୋ କୁସ୍ତି ଲିଗ୍‌ରେ ସେ ବେଙ୍ଗାଲୁରୁ ଦଳର ପ୍ରତିନିଧିତ୍ୱ କରନ୍ତି। ୨୪ ବର୍ଷୀୟ ବଜରଙ୍ଗ ୨୦୧୫ରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଭ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପାଲେମବାଙ୍ଗ୍‌: ବଜରଙ୍ଗ ପୁନିଆଙ୍କ ନିକଟକୁ ଏବେ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ୨୦୦୮ ଏସିଆନ ଗେମ୍‌ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ହୋଇଥିବାରୁ ଏହା ସ୍ୱତନ୍ତ୍ର। ଭବିଷ୍ୟତ ପାଇଁ ଶୁଭକାମନା ବୋଲି ମୋଦି ତାଙ୍କ ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି। ପୁନିଆଙ୍କୁ ମଧ୍ୟ କ୍ରିକେଟର୍‌ ବୀରେନ୍ଦ୍ର ସେହବାଗ ଅଭିନନ୍ଦନ ଜଣାଇଛନ୍ତି। ଆମକୁ ଗର୍ବିତ କରିଛ ଏବଂ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ସାବାସ୍‌ ବୋଲି ବୀରୁ ଲେଖିଛନ୍ତି। ସମ୍ପୂର୍ଣ୍ଣ ଦେଶ ତୁମ ପାଇଁ ଗର୍ବିତ ବୋଲି କହିଛନ୍ତି ଭାଜପା ଅଧ୍ୟକ୍ଷ ଅମିତ ଶାହ। କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର୍‌ ମଧ୍ୟ ପୁନିଆଙ୍କୁ ଅଭିନନ୍ଦନ ଜଣାଇ ଜାପାନୀ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ଉନ୍ନତ ବୈଷୟିକ କୌଶଳରେ ସଫଳ ହୋଇଥିବାରୁ ସାବାସୀ ଦେଇଛନ୍ତି।

ସୁଶୀଲଙ୍କୁ ଶକ୍ତ ଧକ୍କା

ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ୭୪ କିଲୋଗ୍ରାମ ବର୍ଗର ପ୍ରଥମ ଲଢ଼େଇରେ ବାହାରିନର ଆଦାମ ବାତିରୋଭଙ୍କଠାରୁ ଅପ୍ରତ୍ୟାଶିତ ଭାବେ ୩-୫ରେ ହାରି ଯାଇଥିଲେ। ସୁଶୀଲ ଏହି ସଂଘର୍ଷପୂର୍ଣ୍ଣ ଲଢ଼େଇର ପ୍ରଥମ ପର୍ଯ୍ୟାୟରେ ୨-୦ରେ ଆଗୁଆ ରହିଥିଲେ। ହେଲେ ପରବର୍ତୀ ସମୟରେ ବାତିରୋଭ ଜବରଦସ୍ତ ପ୍ରତ୍ୟାବର୍ତନ କରି ତାଙ୍କୁ ଦୁଇ ପଏଣ୍ଟ ବ୍ୟବଧାନରେ ଚିତ୍‌ କରି ଦେଇଥିଲେ। ସୁଶୀଲଙ୍କ ପରାଜୟ ଭାରତୀୟ ଶିବିରକୁ ବିସ୍ମିତ କରିଥିଲା। ନିଜେ ସୁଶୀଲ ମଧ୍ୟ ଏହାକୁ ବିଶ୍ୱାସ କରି ପାରି ନଥିଲେ। ୫୭ କିଲୋଗ୍ରାମରେ ସନ୍ଦୀପ ତୋମାର ପ୍ରଥମ ଲଢ଼େଇ ଜିତିବା ପରେ ଦ୍ୱିତୀୟରେ ପରାଜିତ ହୋଇଥିଲେ। ମୌସୁମ ଖତ୍ରୀ ୯୭ କିଲୋଗ୍ରାମର ପ୍ରଥମ ରାଉଣ୍ଡରେ ବାଇ ପାଇଥିଲେ। କ୍ୱାର୍ଟରରେ କିନ୍ତୁ ଉଜବେକିସ୍ତାନର ଇବ୍ରାଜିମୋଭ ମଗୋମେଦଙ୍କଠାରୁ ଏକତରଫା ଭାବେ ୦-୮ରେ ପରାଜିତ ହୋଇଥିଲେ। ସେହିଭଳି ପବନ କୁମାର ୮୬ କିଲୋଗ୍ରାମରେ ପ୍ରଥମ ରାଉଣ୍ଡ ଲଢ଼େଇ ଜିତିବା ପରେ କ୍ୱାର୍ଟରରେ ହାରି ଯାଇଥିଲେ। ପବନ ରିପିଚେଜ୍‌ ରାଉଣ୍ଡରେ ଅବତୀର୍ଣ୍ଣ ହୋଇଥିଲେ। ହେଲେ ସେଠାରେ ମଧ୍ୟ ନିରାଶ କରିଥିଲେ।

ସନ୍‌ ଜିତିଲେ ପ୍ରଥମ ସ୍ୱର୍ଣ୍ଣ
ଅଷ୍ଟାଦଶ ଏସୀୟ କ୍ରୀଡ଼ାର ପ୍ରଥମ ସ୍ୱର୍ଣ୍ଣ ଚୀନ ଖାତାକୁ ଯାଇଥିଲା। ୨୯ ବର୍ଷୀୟ ସନ୍‌ ପିଓ୍ଵାନ୍‌ ଉଷୁରେ ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ରଚିଥିଲେ। ଆୟୋଜକ ଇଣ୍ଡୋନେସିଆ ମଧ୍ୟ ପୁରୁଷ ଉଷୁରୁ ପଦକ ଅଭିଯାନ ଆରମ୍ଭ କରିଥିଲା। ସ୍ଥାନୀୟ ତାରକା ଏଡଗାର ମାର୍ଭେଲୋ ଏହି ବର୍ଗର ରୌପ୍ୟ ଏବଂ ତାଇଓ୍ଵାନର ସାଇ ସେମିତ କାଂସ୍ୟ ପଦକ ଜିତିଥିଲେ। ଗତଥରର ବିଜେତା ଲି-ହା-ସଙ୍ଗ ନୈରାଶ୍ୟଜନକ ଭାବେ ଦ୍ୱାଦଶ ସ୍ଥାନରେ ରହିଥିଲେ।

ରୋଇଂରେ ସଂଜୁକ୍ତା-ହରପ୍ରୀତ ପଞ୍ଚମ
ଏସୀୟ କ୍ରୀଡ଼ା ରବିବାର ରୋଇଂରେ ଓଡ଼ିଆ ଝିଅ ସଂଜୁକ୍ତା ଡୁଙ୍ଗ୍‌ଡୁଙ୍ଗ୍‌ ମଇଦାନକୁ ଓହ୍ଲାଇଥିଲେ। ପେୟାର ବର୍ଗରେ ହରପ୍ରୀତ କୌରଙ୍କୁ ସାଥୀ କରି ଖେଳୁଥିବା ସଂଜୁକ୍ତା ହିଟ୍‌ରେ ଶେଷ ତଥା ପଞ୍ଚମ ସ୍ଥାନରେ ରହିଥିଲେ। ଏହି ଭାରତୀୟ ଯୋଡ଼ି ୯.୦୨.୮୮ ମିନିଟ୍‌ ସମୟ ନେଇଥିଲା ବେଳେ କୋରିଆର ଜିଅନ୍‌ ସିଅଙ୍ଗ-କିମ୍‌ ସିଓ ହି (୮.୨୩.୭୧) ଏବଂ ଇଣ୍ଡୋନେସିଆର ଜୁଲିଆନ୍ତି-ରୋକାୟାହା (୮.୩୨.୫୪) ପ୍ରଥମ ଦୁଇ ସ୍ଥାନରେ ରହି ସିଧାସଳଖ ଫାଇନାଲ୍‌ରେ ପହଞ୍ଚିଥିଲେ। ଫାଇନାଲ୍‌ ପାଇଁ ଏବେ ସଂଜୁକ୍ତା-ହରପ୍ରୀତ ରିପିଚେଜ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସମ୍ବନ୍ଧିତ ଖବର