ବୋଲର ଦେଲେ ବିଜୟ:ପଞ୍ଜାବଠୁ ପ୍ରତିଶୋଧ ନେଲା ହାଇଦ୍ରାବାଦ

ହାଇଦ୍ରାବାଦ: ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଦଳର ବୋଲିଂ ବାହିନୀ ଆଉ ଏକ ନାଟକୀୟ ବିଜୟ ଉପହାର ଦେଇଛି। ଲଗାତାର ମ୍ୟାଚ୍‌ରେ ୧୧୮ (ବନାମ ମୁମ୍ବାଇ) ଏବଂ ୧୩୨ ରନ୍‌ (ବନାମ ପଞ୍ଜାବ) କରି ଏହାକୁ ବଞ୍ଚାଇ ରଖି ମ୍ୟାଚ୍‌ ଜିତିଛି ହାଇଦ୍ରାବାଦ। ଗୁରୁବାର ୧୩୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ବୋଲରଙ୍କ ମିଳିତ ପ୍ରୟାସ ପାଇଁ ହାଇଦ୍ରାବାଦ ୧୩ ରନ୍‌ରେ ଶକ୍ତିଶାଳୀ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ପଞ୍ଜାବ ଏକଦା ବିନା କ୍ଷତିରେ ୫୪ ରନ୍‌ କରି ନେଇଥିଲା। ହେଲେ ୧୯ ରନ୍‌ ମଧ୍ୟରେ ୬ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ହାତଛଡ଼ା କରିିଥିଲା। ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇ ୪ ବଲ୍‌ ପୂର୍ବରୁ ମାତ୍ର ୧୧୯ ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା। ଶେଷ ଓ୍ଵିକେଟ୍‌ରେ ଅଙ୍କିତ ରାଜପୁତ ଏବଂ ମୁଜିବୁର ରେହମାନ ଅବଶ୍ୟ ୧୮ ରନ୍‌ ଯୋଡ଼ିଥିଲେ। ତେବେ ଏହା ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନଥିଲା।

୨୦ତମ ଓଭରର ଦ୍ୱିତୀୟ ବଲ୍‌ରେ ରାଜପୁତଙ୍କୁ ବାସିଲ ଥମ୍ପି ବୋଲ୍ଡ କରି ହାଇଦ୍ରାବାଦ ବିଜୟରେ ମୁଣ୍ଡି ମାରିଥିଲେ। ଲୋକେଶ ରାହୁଲ ସର୍ବାଧିକ ୩୨ ରନ୍‌ କରିଥିଲା ବେଳେ ବିସ୍ଫୋରକ କ୍ରିସ୍‌ ଗେଲ୍‌ ୨୨ ବଲ୍‌ରୁ ମାତ୍ର ୨୩ ରନ୍‌ର ଯୋଗଦାନ ଦେଇ ପାରିଥିଲେ। ଉତ୍କଣ୍ଠାପୂର୍ଣ୍ଣ ଶେଷ ଓଭର ବିଜୟ ସହ ହାଇଦ୍ରାବାଦ ପଞ୍ଚମ ବିଜୟ ପାଇ ଦ୍ୱିତୀୟକୁ ଉଠିଥିଲା। ଅନ୍ୟ ପକ୍ଷରେ ପଞ୍ଜାବ ଦ୍ୱିତୀୟ ପରାଜୟ ବରଣ କରି ଦ୍ୱିତୀୟରୁ ତୃତୀୟକୁ ଖସି ଯାଇଥିଲା। ଦୁଇ ଦଳ ମଧ୍ୟରେ ଗତ ୧୯ ତାରିଖରେ ଗେଲଙ୍କ ଶତକ ସହିତ ପ୍ରଥମ ମୁକାବିଲାକୁ ପଞ୍ଜାବ ୧୫ ରନରେ ଜିତି ନେଇଥିଲା। ହାଇଦ୍ରାବାଦ ଗୁରୁବାର ଏହାର ମଧୁର ପ୍ରତିଶୋଧ ନେଇଥିଲା। ସେପଟେ ପଞ୍ଜାବ ବୋଲର ରାଜପୁତଙ୍କ ପ୍ରଥମ ପାଞ୍ଚ ଓ୍ଵିକେଟ୍‌ ସଫଳତା ବେକାର ଯାଇଥିଲା। ପୂର୍ବରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ଅଙ୍କିତ ସିଂହ ରାଜପୁତ (୪-୦-୧୪-୫)ଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ବଳରେ ହାଇଦ୍ରାବାଦକୁ ପଞ୍ଜାବ ମାତ୍ର ୧୩୨/୬ରେ ଅଟକାଇ ଦେଇଥିଲା। ରାଜପୁତଙ୍କ ଅଗ୍ନିବର୍ଷୀ ବୋଲିଂର ସମ୍ମୁଖୀନ ହୋଇ ନପାରି ହାଇଦ୍ରାବାଦ ୨୭ ରନ୍‌ ଭିତରେ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ଙ୍କ ସହ ୩ ଓ୍ଵିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା।

ମନୀଷ ପାଣ୍ଡେ (୫୪ ରନ୍‌, ୫୧ ବଲ୍‌, ୩ ଚୌକା, ୧ ଛକା)ଙ୍କ ଅର୍ଧଶତକ ବଳରେ ତିନି ଅଙ୍କ ଛୁଇଁ ପାରିଥିଲା। ରାଜପୁତ ୫ ଓ୍ଵିକେଟ୍‌ ନେବା ଚଳିତ ଋତୁର ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା। ସେପଟେ ମନୀଷଙ୍କ ୪୮ ବଲ୍‌ ଅର୍ଧଶତକ ଚଳିତ ଋତୁର ମନ୍ଥରତମ ଅର୍ଧଶତକ ହୋଇଥିଲା।
ସଂକ୍ଷିପ୍ତ ସ୍କୋର: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୩୨/୬ (ମନୀଷ ପାଣ୍ଡେ ୫୪, ସକିବ-ଅଲ୍‌-ହାସନ ୨୮, ୟୁସୁଫ ପଠାନ ୨୧, ଅଙ୍କିତ ରାଜପୁତ ୫/୧୪, ମୁଜିବୁର ରେହମାନ ୧/୧୭)। କିଙ୍ଗ୍ସ ଏକାଦଶ ପଞ୍ଜାବ ୧୯.୨ ଓଭରରେ ୧୧୯ (ଲୋକେଶ ରାହୁଲ ୩୨, କ୍ରିସ୍‌ ଗେଲ୍‌ ୨୩, କରୁଣ ନାୟର ୧୩, ରସିଦ ଖାନ୍‌ ୩/୧୯, ସନ୍ଦୀପ ଶର୍ମା ୨/୧୭)।

ସମ୍ବନ୍ଧିତ ଖବର