ଆଇ ଲିଗ୍‌: ନେରୋକା ୩-୨ ଗୋଲ୍‌ରେ ଜିତିଲା

କଳିଙ୍ଗରେ ପୁଣି ହାରିଲା ଆରୋଜ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଘରୋଇ ଇଣ୍ଡିଆନ୍‌ ଆରୋଜ୍‌ ପରାଜୟ ଧାରା ଜାରି ରଖିଛି। ପୂର୍ବରୁ ଏଠାରେ ଖେଳାଯାଇଥିବା ଚର୍ଚିଲ ବ୍ରଦର୍ସ ଓ ଇଷ୍ଟ୍‌ ବେଙ୍ଗଲ ବିପକ୍ଷ ମ୍ୟାଚ୍‌ ହାରିଥିବା ଏହି ଘରୋଇ ଯୁବ ଦଳ ଶୁକ୍ରବାର ୨-୩ ଗୋଲ୍‌ରେ ନେରୋକା ଏଫ୍‌ସିଠୁ ପରାସ୍ତ ହୋଇଛି। ଫଳରେ ଆରୋଜ୍‌ ବିପକ୍ଷରେ ନେରୋକାର ଏହା ଦ୍ବିତୀୟ ବିଜୟ। ପୂର୍ବରୁ ଘ‌ରୋଇ ପଡ଼ିଆରେ ୩-୦ ଗୋଲ୍‌ରେ ଆରୋଜ୍‌କୁ ମଣିପୁରୀ ଦଳ ହରାଇଥିଲା। ବିଜୟ ସହ ନେରୋକା ୧୫ ମ୍ୟାଚ୍‌ରୁ ୨୫ ପଏଣ୍ଟ୍‌ ପାଇ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ‌ଅନ୍ୟପକ୍ଷରେ ଆରୋଜ (୧୩ ପଏଣ୍ଟ୍‌) ଦଶମ ପରାଜୟ ସହ ଗୋଟିଏ ସ୍ଥାନ ତଳକୁ ଖସି ନବମରେ ରହିଛି। ଶୁକ୍ରବାର ମ୍ୟାଚ୍‌ର ୩୫ତମ ମିନିଟ୍‌ରେ ବୋରିସ ସିଂହ ଥାଙ୍ଗଜାମ ଗୋଲ୍‌ ଦେଇ ଆରୋଜକୁ ଆଗୁଆ କରିଥିଲେ। ହେଲେ ଏହି ଖୁସି ବେଶି ସମୟ ରହି ନଥିଲା। ଏହାର ମାତ୍ର ୪ ମିନିଟ୍‌ ପରେ ନେରୋକାର ଜାପାନୀ ଖେଳାଳି କାସୁମି ଉସାଙ୍କ ଏକ ପାସ୍‌କୁ ନାଇଜେରିଆ ତାରକା ଫେଲିକ୍ସ ଓଦିଲି ଚିଡି (୩୯ ମିନିଟ୍‌) ଗୋଲ୍‌ ପୋଷ୍ଟ୍‌ ପଠାଇ ସ୍ଥିତି ୧-୧ ସ୍ତରକୁ ଆଣିଥିଲେ। ପ୍ରଥମାର୍ଧ ୧-୧ରେ ସରିବା ପରେ ଦ୍ବିତୀୟାର୍ଧରେ ରୋହିତ ଦାନି (୬୨ ମିନିଟ୍‌)ଙ୍କ ଗୋଲ୍‌ରେ ଆରୋଜ୍‌ ପୁଣି ଆଗୁଆ ହୋଇଯାଇଥିଲା। ନେରୋକାର ପ୍ରଥମ ଗୋଲ୍‌ରେ ଭାଗୀଦାରି ରଖିଥିବା କାସୁମି ‌(୬୮ ମିନିଟ୍‌) ଏକ ସୁନ୍ଦର ହେଡ୍‌ ଜରିଆ ଗୋଲ୍‌ ପୋଷ୍ଟ୍‌କୁ ବଲ୍‌ ପଠାଇ ସ୍ଥିତି ପୁଣି ସାମନସ୍ତରକୁ ଆଣିଥିଲେ। ୮୭ତମ ମିନିଟ୍‌ରେ ‌ନେରୋକାକୁ ଏକ ପେନାଲ୍‌ଟି ମିଳିଥିଲା। ଏହାକୁ ନେରୋକାର ମଧ୍ୟଭାଗ ଖେଳାଳି କାସୁମି ଗୋଲ୍‌ରେ ପରିଣତ କରି ବ୍ୟକ୍ତିଗତ ଭାବେ ଯୁଗଳ ସଫଳତା ପାଇଥିଲେ। ଏଥି ସହ ସେ ମଧ୍ୟ ଦଳର ୩ ଗୋଲ୍‌ରେ ନିଜର ଭାଗୀଦାରି ରଖିଥିଲେ ଏବଂ ଦଳକୁ ୩-୨ ବିଜୟ ଭେଟି ଦେଇଥିଲେ। ହେଲେ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ଆରୋଜର ବୋରିସ୍‌ ସିଂହ ଥାଙ୍ଗଜାମ୍‌ଙ୍କୁ ‘ହିରୋ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ମିଳିଥିଲା। ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଅତିଥି ଭାବେ ଯୋଗଦେଇ ବୋରିସ୍‌ଙ୍କୁ ୨୫,୦୦୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର