ବ୍ୟାଡ୍‌ମିଣ୍ଟନରେ ଯୁଗଳ ବିଜୟ:ଶ୍ରୀଲଙ୍କା ଓ ପାକିସ୍ତାନକୁ ହରାଇଲା ଭାରତ

ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଶା ଅନୁଯାୟୀ ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳ ଚମତ୍କାର ଆରମ୍ଭ କରିଛି। ଗୁରୁବାର ପ୍ରଥମ ଦିବସରେ ମିଶ୍ରିତ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ଖେଳିଥିବା ଦୁଇଟି ମ୍ୟାଚ୍‌ ଭାରତ ଜିତିନେଇଛି। ଭାରତ ପ୍ରଥମେ ଶ୍ରୀଲଙ୍କାକୁ ଏବଂ ପରେ ପାକିସ୍ତାନକୁ ସମାନ ବ୍ୟବଧାନ ୫-୦ ଲେଖାଏଁରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଶ୍ରୀଲଙ୍କା ବିପକ୍ଷରେ ସାଇନା ନେହ୍ଵାଲ ୨୧-୧୮, ୨୧-୧୪ରେ ମଧୁସିକା ବେରୁଇଲାଗେଙ୍କୁ, କିଦାମ୍ବି ଶ୍ରୀକାନ୍ତ ୨୧-୧୬, ୨୧-୧୦ରେ ନିଲୁକା କରୁଣାରତ୍ନେଙ୍କୁ, ସାତ୍ତ୍ୱିକ୍‌ ରାଙ୍କିରେଡ୍ଡୀ-ଚିରାଗ ସେଟୀ ୨୧-୧୭, ୨୧-୧୪ରେ ଦିନୁକା କରୁଣାରତ୍ନେ-ବୁଓ୍ଵାନେକା ଗୁଣଥିଲେକାଙ୍କୁ, ପ୍ରଣବ ଚେପ୍ରା-ଋତ୍ୱିକା ଗାଡେ ୨୧-୧୫, ୧୯-୨୧ ଓ ୨୨-୨୦ରେ ସଚିନ୍‌ ଡିଆସ୍‌-ଥିଲିନି ପ୍ରମୋଦିକାଙ୍କୁ ଏବଂ ଅଶ୍ୱିନୀ ପୋନାପ୍ପା-ଏନ୍‌ ସିକି ରେଡ୍ଡୀ ୨୧-୧୨, ୨୧-୧୪ରେ ଥିଲିନି ପ୍ରମୋଦିକା-କାବିଦି ସିରିଆନେଗେଙ୍କୁ ପରାସ୍ତ କରିଥିଲେ। ଏହା ପରେ ପାକିସ୍ତାନ ବିପକ୍ଷରେ
ସାଇନା ନେହ୍ଵାଲ ୨୧-୭, ୨୧-୧୧ରେ ମହୁର ସେହଜାଦ୍‌ଙ୍କୁ, କିଦାମ୍ବି ଶ୍ରୀକାନ୍ତ ୨୧-୧୬, ୨୨-୨୦ରେ ମୋରାଦ୍‌ ଅଲ୍ଲୀଙ୍କୁ, ସାତ୍ତ୍ୱିକ୍‌ ରାଙ୍କିରେଡ୍ଡୀ-ଏନ୍‌ ସିକି ରେଡ୍ଡୀ ୨୧-୧୦, ୨୧-୧୩ରେ ମହମ୍ମଦ ଇର୍ଫାନ୍‌ ସଇଦ୍‌ ଭଟ୍ଟୀ-ପଲ୍‌ଓ୍ଵାସା ବାସିର୍‌ଙ୍କୁ, ପ୍ରଣବ ଚେପ୍ରା-ଚିରାଗ ସେଟ୍ଟୀ ୨୧-୯, ୨୧-୧୫ରେ ମହମ୍ମଦ ଇର୍ଫାନ୍‌-ମୁରାଦ୍‌ ଅଲ୍ଲୀଙ୍କୁ ଏବଂ ଅଶ୍ୱିନୀ ପୋନାପ୍ପା-ଋତ୍ତ୍ୱିକା ଗାଡେ ୨୧-୬, ୨୧-୧୦ରେ ମହୁର୍‌ ସେହଜାଦ୍‌-ପଲ୍‌ଓ୍ଵାସା ବାସିର୍‌ଙ୍କୁ ପରାସ୍ତ କରିଥିଲେ।
ମହିଳା ଟିଟି: ଶ୍ରୀଲଙ୍କାକୁ ହରାଇଲା ଭାରତ
ମହିଳା ଟେୁବଲ ଟେନିସ୍‌ରେ ମଧ୍ୟ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗୁରୁବାର ପ୍ରଥମ ଦିବସରେ ଭାରତୀୟ ମହିଳା ଦଳ ୩-୦ରେ ଶ୍ରୀଲଙ୍କାକୁ ପରାସ୍ତ କରିଦେଇଛି। ମନିକା ବାତ୍ରା ୧୧-୩, ୧୧-୫, ୧୧-୩ରେ ଈରାଣ୍ଡି ଓ୍ଵାରୁସାଓ୍ଵିଥାନାଙ୍କୁ, ସତୀର୍ଥ ମୁଖାର୍ଜୀ ୧୧-୫, ୧୧-୮ ଓ ୧୧-୪ରେ ଈସାରା ବଦୁଙ୍କୁ ଏବଂ ସତୀର୍ଥ-ପୂଜା ଶହସ୍ରବୁଦ୍ଧେ ଯୋଡ଼ି ହାନ୍‌ସନି କାପୁଗିକିୟାନା-ଈସାରା ବଦୁ ଯୋଡ଼ିକୁ ପରାସ୍ତ କରି ଭାରତ ବିଜୟ ପକ୍କା କରିଦେଇଥିଲେ।
ବାସ୍କେଟ୍‌ବଲ୍‌ରେ ପରାଜୟ
ଭାରତୀୟ ପୁରୁଷ ଏବଂ ମହିଳା ବାସ୍କେଟ୍‌ବଲ୍‌ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ଦଳ ୮୭-୯୭ରେ କାମେରୁନ୍‌ଠୁ ଏବଂ ମହିଳା ଦଳ ଜାମାଇକାଠୁ ୫୭-୬୬ରେ ହାରି ଯାଇଥିଲା।
ମୁଷ୍ଟିଯୁଦ୍ଧ ପ୍ରି-କ୍ୱାର୍ଟର୍‌ରେ ମନୋଜ
ଭାରତୀୟ ମୁଷ୍ଟିଯୋଦ୍ଧା ମନୋଜ କୁମାର ୬୯ କିଲୋଗ୍ରାମ୍‌ ବର୍ଗରେ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ୫-୦ରେ ନାଇଜେରିଆର ଓସିତା ଓମେଙ୍କୁ ମାତ୍‌ ଦେଇଥିଲେ।
ସ୍କ୍ଵାସ୍‌: ଦୀପିକା, ଜ୍ୟୋତ୍ସ୍ନା, ବିକ୍ରମ ଆଗେଇଲେ
ସ୍କ୍ଵାସ୍‌ରେ ଦୀପିକା ପାଲିକଲ୍‌, ଜ୍ୟୋତ୍ସ୍ନା ଚିନ୍ନାପ୍ପା ଏବଂ ବିକ୍ରମ ମାଲହୋତ୍ରା ଆଗକୁ ବଢ଼ି ପରବର୍ତୀ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ତେବେ ହରିନ୍ଦର ପାଲ ସାନ୍ଧୁ ଏବଂ ସୌରଭ ଘୋଷାଲ ହାରି ବିଦାୟ ନେଇଛନ୍ତି।
ସାଇକଲ୍‌ ଚାଳନାରେ ଭାରତ ବିଫଳ
ସାଇକେଲ ଚାଳନରେ ଭାରତ ପ୍ରଥମ ଦିନ ଯୋଗ୍ୟତା ପର୍ଯ୍ୟାୟ ଅତିକ୍ରମ କରିବାରେ ବିଫଳ ହୋଇଛି। ଆଲିନା ରେଜି, ଦେବୋରା ହେରୋଲ୍ଡ, ମନୋରମା ଦେବୀ ଏବଂ ଅମ୍ରିତା ରଘୁନାଥ ଭାରତକୁ ନିରାଶ କରିଛନ୍ତି।

ସମ୍ବନ୍ଧିତ ଖବର