ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଆରମ୍ଭ

ଧର୍ମଶାଳା: ୫୦ ଓଭର ବିଶ୍ବକପ୍‌ରେ ନିରାଶ ହୋଇଥିବା ଦକ୍ଷିଣ ଆଫ୍ରିକାର ୨୦୨୯ ଅଭିଯାନ ବିପର୍ଯ୍ୟୟ ଭିତରେ ରହିଛି। ଏଥିରୁ ବାହାରି ଦକ୍ଷିଣ ଆଫ୍ରିକା ଏବେ ଆସନ୍ତା ବର୍ଷର ଟି-୨୦ ବିଶ୍ବକପ୍‌ ଉପରେ ନଜର କେନ୍ଦ୍ରୀଭୂତ କରିଛି। କ୍ବିଣ୍ଟନ୍ ଡି’କକ୍‌ଙ୍କ ନେତୃତ୍ବରେ ଯୁବ ଦକ୍ଷିଣ ଆଫ୍ରିକା ଦଳ ଏହି ଅଭିଯାନ ଭାରତ ଗସ୍ତରୁ ରବିବାରଠାରୁ ଆରମ୍ଭ କରିବ। ୩ ମ୍ୟାଚ୍‌ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ରବିବାର ଧର୍ମଶାଳାର ଏଚପିସିଏ ଷ୍ଟାଡିୟମ୍‌ରେ ଖେଳାଯିବ। ସଂଧ୍ୟା ୭ଟାରୁ ଏହି ମ୍ୟାଚ୍‌ ଆରମ୍ଭ ହେବ।

ଭାରତ ବିପକ୍ଷ ତିନିଟି ଲେଖାଏଁ ଟି-୨୦ ଏବଂ ଟେଷ୍ଟ୍ ଶୃଙ୍ଖଳା ଲାଗି କିଛି ଦକ୍ଷିଣ ଆଫ୍ରିକା ଖେଳାଳି ଗତ ମାସରେ ବେଙ୍ଗାଲୁରୁ ଆସି ଭାରତୀୟ ପରିବେଶ ସହିତ ଖାପ ଖୁଆଇ ନେଇଥିଲେ। କିଛି ଖେଳାଳି ଭାରତରେ ଆଇପିଏଲ୍‌ ଖେଳିବାର ଅଭିଜ୍ଞତା ମଧ୍ୟ ରଖିଛନ୍ତି। ମୋଟା ମୋଟି ଭାବେ କିନ୍ତୁ ଦକ୍ଷିଣ ଆଫ୍ରିକା ନିକଟରେ ଟି-୨୦ ଅଭିଜ୍ଞତା କମ୍‌ ରହିଛି। ଏହି ଦଳର ସମସ୍ତ ଖେଳାଳି ମିଳିତ ଭାବେ ୨୨୦ ଅନ୍ତର୍ଜାତୀୟ ଟି-୨୦‌‌ ଖେଳିଛନ୍ତି। ଭାରତର ଶୀର୍ଷ ୩ ଜଣ ରୋହିତ ଶର୍ମା, ଶିଖର ଧାୱନ ଏବଂ ଅଧିନାୟକ ବିରାଟ କୋହଲି ମିଳିତ ଭାବେ ୨୧୯ ମ୍ୟାଚ୍‌ର ଅଭିଜ୍ଞତା ରଖିଛନ୍ତି। ବିଶ୍ବକପ୍‌ ବିଫଳତା ପରେ ହାସିମ୍ ଆମଲା, ଇମ୍ରାନ୍ ତାହିର୍‌ ଏବଂ ଜେପି ଡୁମିନି ପ୍ରମୁଖ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି। ଏବେ ଦକ୍ଷିଣ ଆଫ୍ରିକାର ଦାୟିତ୍ବ କ୍ବିଣ୍ଟନ୍ ଡି’କକ୍‌ ଏବଂ ରାଶି ଭାନ୍ ଡେର୍ ଦସେନ୍‌ଙ୍କ ଉପରେ ରହିବ। ବୋଲିଂରେ କାଗିସୋ ରବାଦା, ଜୁନିଅର ଡାଲା, ୨୫ ବର୍ଷୀୟ ନବାଗତ ଆନରିଚ୍ ନର୍ଜେ ନିର୍ଣ୍ଣାୟକ ହେବେ। ୱେଷ୍ଟଇଣ୍ଡିଜ୍‌କୁ ଗତ ଶୃଙ୍ଖଳାରେ ୩-୦ରେ ହରାଇଥିବା ଭାରତ ସମାନ ସଫଳତାକୁ ଏଠାରେ‌ ଦୋହରାଇବା ଲକ୍ଷ୍ୟରେ ରହିବ। ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ୍‌ଙ୍କୁ ମଧ୍ୟକ୍ରମରେ ପ୍ରତିଷ୍ଠା ଅର୍ଜନ ଲାଗି ସ‌ୁଯୋଗ ଆସିଛି। ବିଗତ ୫ ଲେଖାଏଁ ମ୍ୟାଚ୍‌ ଦେଖିଲେ ଭାରତ ୩-୨ରେ ଆଗୁଆ ରହିଛି। ଦକ୍ଷିଣ ଆଫ୍ରିକା ନିଜ ଶେଷ ୫ ଟି-୨୦ରୁ ମାତ୍ର‌ ଗୋଟିଏ ଜିତି ଚାପରେ ରହିଛି। କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲଙ୍କ ବଦଳରେ ସ୍ପିନର୍‌ ୱାସିଂଟନ୍ ସୁନ୍ଦର, କୃନାଲ ପାଣ୍ଡ୍ୟା, ରାହୁଲ ଚହରଙ୍କୁ ମଧ୍ୟରୁ କିଏ ଖେଳିବେ ପ୍ରଶ୍ନ ଅସମାହିତ ରହିଛି।

ପାଗ ଓ ପିଚ୍‌: ପିଚ୍‌ ସମ୍ପର୍କରେ ଆକଳନ କଷ୍ଟକର ରହିଛି। ଶନିବାର ବର୍ଷା ହୋଇଥିବାରୁ ଏହାକୁ ଘୋଡ଼ାଇ ରଖାଯାଇଛି। ରବିବାର ମଧ୍ୟ ବର୍ଷାର ପୂର୍ବାନୁମାନ କରାଯାଇଛି। ଶେଷ ଥର ପାଇଁ ୨୦୧୫ରେ ଦକ୍ଷିଣ ଆଫ୍ରିକା ଏଠାର ପଡ଼ିଆରେ ପ୍ରଥମ ଟି-୨୦ ଖେଳିଥିଲା। ରୋହିତ ଶର୍ମାଙ୍କ ଶତକକୁ ବେକାର କରି ଦକ୍ଷିଣ ଆଫ୍ରିକା କିନ୍ତୁ ୨୦୦ ରନ୍‌କୁ ପଛରେ ପକାଇ ମ୍ୟାଚ୍‌ ଜିତି ନେଇଥିଲା।

ଭାରତ ଏକାଦଶ (ସମ୍ଭାବ୍ୟ): ରୋହିତ ଶର୍ମା, ଶିଖର ଧାୱନ/କେଏଲ୍ ରହୁଲ, ବିରାଟ‌ କୋହଲି, ମନୀଷ ପାଣ୍ଡେ, ଋଷବ ପନ୍ତ୍‌ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା/ରାହୁଲ ଚହର, ୱାସିଂଟନ୍ ସୁନ୍ଦର, ଦୀପକ ଚହର, ନଭଦୀପ ସଇନି।

ଦକ୍ଷିଣ ଆଫ୍ରିକା ଏକାଦଶ (ସମ୍ଭାବ୍ୟ): କ୍ବିଣ୍ଟନ୍ ଡି’କକ୍ (ଅଧିନାୟକ/ୱିକେଟରକ୍ଷକ), ରିଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା, ରାସି ଭାନ୍ ଡେର୍ ଦସେନ୍‌, ଡେଭିଡ୍‌ ମିଲର, ଆନ୍ଦିଲ ଫେଲୁକ୍ବାୟୋ, ଡ୍ବାଇନ୍ ପ୍ରିଟୋରିୟସ୍‌, ବର୍ନ ଫର୍ତୁନ/ଆନରିଚ୍‌ ନର୍ଜେ, କାଗିସୋ ରବାଦା, ଜୁନିଆର୍ ଡାଲା, ତାବ୍ରାଇଜ୍‌ ସାସମୀ।

ସମ୍ବନ୍ଧିତ ଖବର