ପ୍ରଥମ ଥର ଲାଭ କରିବେ ସବୁ ଦଳ

ମୁମ୍ବାଇ: ଆଇପିଏଲ୍‌ର ଏକଦଶ ସଂସ୍କରଣ ଏହାର ଆଠଟି ଯାକ ଦଳ ଲାଗି ଶୁଭ ଖବର ନେଇ ଆସିଛି। ଚଳିତ ଋତୁରେ ପ୍ରଥମ ଥର ପାଇଁ ଏହି ଚର୍ଚିତ ତଥା ଲୋକପ୍ରିୟ ଦଳର ସମସ୍ତ ୮ ଦଳ ଲାଭ କରିବାକୁ ଯାଉଛନ୍ତି। ଏକ ହିସାବ ଅନୁଯାୟୀ ଚଳିତବର୍ଷ ଆଇପିଏଲ୍‌ର ପ୍ରତ୍ୟେକ ଦଳ ଅନ୍ୟୁନ ୨୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିବେ। ଏହା କେବଳ ପ୍ରସାରଣ ଅଧିକାର ବିକ୍ରିରୁ ମିଳିବାକୁ ଥିବା ୬,୦୩୨ କୋଟି ଟଙ୍କାର ଆଖି ଖୋସି ହୋଇଗଲା ଭଳି ଅଙ୍କ ପାଇଁ ସମ୍ଭବ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ଆଇପିଏଲ୍‌ ଲୋକପ୍ରିୟତାର ଶୀର୍ଷ ଛୁଇଁଛି। ତେବେ ଦୁର୍ଭାଗ୍ୟଜନକ ଭାବେ ଏଥିରେ ଖେଳି ଆସୁଥିବା କେତେକ ଦଳ ଟଙ୍କାଟିଏ ମଧ୍ୟ ଲାଭ କରି ନାହାନ୍ତି। ହେଲେ ଏବର୍ଷ ସେମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଏବର୍ଷ ପ୍ରତ୍ୟେକ ଦଳ ଅନ୍ୟୁନ ୭୫ କୋଟି ଟଙ୍କାର ଲାଭ କରିବେ। କେତେକ ୧୦୦ରୁ ୧୨୫ କୋଟି ଟଙ୍କାର ଲାଭ ମଧ୍ୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବ ବର୍ଷଗୁଡ଼ିକରେ ବିସିସିଆଇ ଆଇପିଏଲ୍‌ରୁ ପାଉଥିବା ରାଜସ୍ୱର ସବୁଦଳ ପାଖାପାଖି ୬୫ କୋଟି ଟଙ୍କା ପାଉଥିଲେ। ବିସିସିଆଇ ଆସନ୍ତା ପାଞ୍ଚବର୍ଷ ପାଇଁ ଆଇପିଏଲ୍‌ର ପ୍ରସାରଣ ଅଧିକାରକୁ ଷ୍ଟାର ଇଣ୍ଡିଆକୁ ୧୬,୩୪୭.୫ କୋଟି ଟଙ୍କାରେ ବିକ୍ରି କରିବା ପରେ ଏହି ବାବଦରେ ପ୍ରତ୍ୟେକ ଦଳ ୨୦୦ରୁ ୨୫୦ କୋଟି ଟଙ୍କା ପାଇବେ ବୋଲି ଜଣାପଡ଼ିଛି। ସେହିଭଳି ଟାଇଟଲ ପ୍ରାୟୋଜକ ଭାବେ ଭିଭୋ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେବାକୁ ଥିବା ୨୧୯୯ କୋଟି ଟଙ୍କାରୁ ମଧ୍ୟ ଦଳଗୁଡ଼ିକ ଲାଭବାନ ହେବେ।

ସମ୍ବନ୍ଧିତ ଖବର