ଓଡ଼ିଶାକୁ ହରାଇ ଗାଙ୍ଗ୍‌ପୁର ସେମିରେ

କନିଷ୍ଠ ଜାତୀୟ ବାଳିକା ହକି

ଭୁବନେଶ୍ୱର: ମଧ୍ୟପ୍ରଦେଶର ଭୋପାଳରେ ଚାଲିଥିବା କନିଷ୍ଠ ବାଳକ ଓ ବାଳିକା ଜାତୀୟ ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ର ଅଷ୍ଟମ ସଂସ୍କରଣରେ ହକି ଗାଙ୍ଗ୍‌ପୁର-ଓଡ଼ିଶା ବାଳିକା ଦଳ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି। ଗୁରୁବାର ଏକ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲ୍‌ରେ ଗାଙ୍ଗ୍‌ପୁର ଦଳ ୩-୧ ପେନାଲ୍‌ଟି ସୁଟ୍‌ଆଉଟ୍‌ ଗୋଲ୍‌ରେ ଓଡ଼ିଶା ଦଳକୁ ପରାସ୍ତ କରିଦେଇଛି। ଦୁଇ ଓଡ଼ିଶା ଦଳ ଗୁରୁବାର ତୃତୀୟ କ୍ୱାର୍ଟର ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ। ମ୍ୟାଚ୍‌ ଖୁବ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଫଳରେ ନିର୍ଧାରିତ ସମୟ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଷଷ୍ଠ ମିନିଟ୍‌ରେ ଇଲିମା ମିଞ୍ଜ୍‌ଙ୍କ ଗୋଲ୍‌ ବଳରେ ଓଡ଼ିଶା ଦଳ ଆଗୁଆ ହୋଇଥିଲା। ହେଲେ ଏହାର ୫ ମିନିଟ୍‌ ପରେ ତଥା ୧୧ ମିନିଟ୍‌ରେ ନମ୍ରତା ଜସ୍ମିନ୍‌ ବାରା ଗୋଟିଏ ଗୋଲ୍‌ କରି ଗାଙ୍ଗ୍‌ପୁର ପାଇଁ ସ୍ଥିତି ସମାନ କରିଦେଇଥିଲେ। ୨୦ ମିନିଟ୍‌ରେ ଅସ୍ମିତା ବାର୍ଲାଙ୍କ ଗୋଲ୍‌ଙ୍କ ଗୋଲ୍‌ ପୁଣି ଥରେ ଓଡ଼ିଶା ଦଳକୁ ଆଗୁଆ କରିଥିଲା। ତେବେ ୩୮ ମିନିଟ୍‌ରେ ଜାହ୍ନବୀ ପ୍ରଧାନଙ୍କ ଗୋଲ୍‌ ଗାଙ୍ଗ୍‌ପୁର ସ୍ଥିତିକୁ ୨-୨ କରିଦେଇଥିଲା। ନିର୍ଧାରିତ ସମୟରେ ଆଉ କୌଣସି ଗୋଲ୍‌ ନହେବାରୁ ମ୍ୟାଚ୍‌ ୨-୨ ସ୍ଥିତିରେ ରହିଥିଲା। ଶେଷରେ ଫଳାଫଳ ମିଳିବା ପାଇଁ ପେନାଲ୍‌ଟି ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ସେଥିରେ ଗାଙ୍ଗ୍‌ପୁର ଦଳ ବାଜି ମାରିନେଲା। ଗାଙ୍ଗ୍‌ପୁର ପକ୍ଷରୁ ରୋଜିତା କୁଜୁର, ଜାହ୍ନବୀ ପ୍ରଧାନ ଓ ଅଧିନାୟିକା ଜୀବନ କିଶୋରୀ ଟପ୍ପୋ ସୁଟ୍‌ଆଉଟ୍‌ରେ ଗୋଲ୍‌ କରିଥିଲା ବେଳେ ଓଡ଼ିଶା ପକ୍ଷରୁ ଏକମାତ୍ର ଅଧିନାୟିକା ଅଜ୍‌ମୀନା କୁଜୁର ଗୋଲ୍‌ କରିବାକୁ ସମର୍ଥ ହୋଇଥିଲେ। ଏଥି ସହିତ ଗାଙ୍ଗ୍‌ପୁର ଦଳ ୩-୧ ଗୋଲ୍‌ରେ ବିଜୟୀ ହୋଇ ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଆସନ୍ତାକାଲି ସେମିଫାଇନାଲ୍‌ରେ ଗାଙ୍ଗ୍‌ପୁରର ମୁକାବିଲା ଝାଡ଼ଖଣ୍ଡ ସହ ହେବ। ସେହିପରି ଅନ୍ୟ ସେମିଫାଇନାଲ୍‌ରେ ହରିଆନା ଓ ଉତ୍ତର ପ୍ରଦେଶ ମୁହାଁମୁହିଁ ହେବେ।

ଗୁରୁବାର ଅନ୍ୟ ତିନିଟି କ୍ୱାର୍ଟର ଫାଇନାଲ୍‌ରେ ଝାଡ଼ଖଣ୍ଡ ସାଙ୍ଗକୁ ହରିଆନା ଓ ଉତ୍ତର ପ୍ରଦେଶ ବିଜୟୀ ହୋଇଥିଲେ। ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ହରିଆନା ୧-୦ ଗୋଲ୍‌ରେ ମଧ୍ୟପ୍ରଦେଶ ହକି ଏକାଡେମିକୁ ପରାସ୍ତ କରିଥିଲା। ଅର୍ମିନ୍ଦର କୌର ୧୨ ମିନିଟ୍‌ରେ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ କରି ହରିଆନାକୁ ସେମିଫାଇନାଲ୍‌ ପହଞ୍ଚାଇଥିଲେ। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ରେ ମଧ୍ୟ ଉତ୍ତର ପ୍ରଦେଶ ୧-୦ ଗୋଲ୍‌ରେ ମିଜୋରାମକୁ ପରାସ୍ତ କରିଥିଲା। ୨୮ ମିନିଟ୍‌ରେ ସୋନାଲ ତିଓ୍ଵାରୀ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ କରିଥିଲେ। ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ୍‌ ସଂପୂର୍ଣ୍ଣ ଏକପାଖିଆ ରହିଥିଲା। ଏଥିରେ ଝାଡ଼ଖଣ୍ଡ ୯-୦ ଗୋଲ୍‌ରେ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ)କୁ ପରାସ୍ତ କରି ଦେଇଥିଲା। ସଙ୍ଗୀତା କୁମାରୀ (୧୯, ୨୭ ଓ ୫୧ ମିନିଟ୍‌) ୩, ବିଉଟୀ ଡୁଙ୍ଗ୍‌ଡୁଙ୍ଗ୍‌ (୩ ଓ ୪୦ ମିନିଟ୍‌) ୨, ପିଙ୍କି ଏକ୍କା (୫୨ ମିନିଟ୍‌), ସାଲିମା ଟେଟେ (୬୪ ମିନିଟ୍‌), ସୁଷମା କୁମାରୀ (୬୬ ମିନିଟ୍‌) ଏବଂ ଅଲ୍‌ବେଲା ରାଣୀ ଟପ୍ପୋ (୭୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ।

ବାଳକ ସେମିରେ ଓଡ଼ିଶା-ପଞ୍ଜାବ, ଗାଙ୍ଗ୍‌ପୁର-ହରିଆନା
ଭୁବନେଶ୍ୱର: ବାଳିକାଙ୍କ ଭଳି ହକି ଗାଙ୍ଗ୍‌ପୁର-ଓଡ଼ିଶା ବାଳକ ଦଳ ମଧ୍ୟ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲା ବେଳେ ଓଡ଼ିଶା ବାଳକ ଦଳ ବି ସେମିରେ ପହଞ୍ଚିଛି। ଗୁରୁବାର କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶା ବାଳିକା ଦଳ ଗାଙ୍ଗ୍‌ପୁରଠୁ ହାରିଥିଲା ବେଳେ ବାଳକ ଦଳ ୩-୧ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଦେଇଛି। ନିର୍ଧାରିତ ସମୟ ୧-୧ ଗୋଲ୍‌ରେ ଅମୀମାଂସିତ ରହିବା ପରେ ଓଡ଼ିଶା ସୁଟ୍‌ଆଉଟ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ନିର୍ଧାରିତ ସମୟରେ ସୁଧୀର କୁଜୁର ୩୯ ମିନିଟ୍‌ରେ ଓଡ଼ିଶା ପାଇଁ ଏବଂ ୬୪ ମିନିଟ୍‌ରେ ମହମ୍ମଦ ତଲିବ୍‌ ମଧ୍ୟପ୍ରଦେଶ ପାଇଁ ଗୋଲ୍‌ କରିଥିଲେ। ସୁଟ୍‌ଆଉଟ୍‌ରେ ଅଶ୍ୱିନ୍‌ କୁଜୁର, ସୁଧୀର କୁଜୁର ଓ କୃଷ୍ଣ ତିର୍କି ଗୋଲ୍‌ କରି ଓଡ଼ିଶାକୁ ବିଜୟ ଭେଟି ଦେଇଥିଲା ବେଳେ ମଧ୍ୟପ୍ରଦେଶ ପକ୍ଷରୁ ଏକମାତ୍ର ଗୋଲ୍‌ ହର୍ଷଦୀପ୍‌ କାପୁର କରିଥିଲେ। ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍‌ରେ ଗାଙ୍ଗ୍‌ପୁର ବାଳକ ୪-୨ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଥିଲା। ଗାଙ୍ଗ୍‌ପୁର ପକ୍ଷରୁ ଅଧିନାୟକ ପ୍ରତାପ ଲାକ୍ରା (୫ ମିନିଟ୍‌) ଓ ମନୋଜ ଜୋଜୋ (୨୪ ମିନିଟ୍‌) ଏବଂ ଉତ୍ତର ପ୍ରଦେଶ ପକ୍ଷରୁ ଅଜୟ ଯାଦବ (୨୩ ମିନିଟ୍‌) ଓ ମହମ୍ମଦ ଫରାଜ୍‌ (୩୮ ମିନିଟ୍‌)ଙ୍କ ଗୋଲ୍‌ ବଳରେ ନିର୍ଧାରିତ ସମୟ ୨-୨ ସମାନ ସ୍ଥିତିରେ ଶେଷ ହୋଇଥିଲା। ପରେ ସୁଟ୍‌ଆଉଟ୍‌ରେ ଶିବ୍ରେନ୍‌ ଲାକ୍ରା, ସଞ୍ଜୟ ଖାଲ୍‌ଖୋ, ସୁଦୀପ ଚିର୍ମାକୋ ଓ ପ୍ରତାପ ଲାକ୍ରାଙ୍କ ଗୋଲ୍‌ ବଳରେ ଗାଙ୍ଗ୍‌ପୁର ବିଜୟୀ ହୋଇଥିଲା। ଉତ୍ତର ପ୍ରଦେଶ ପକ୍ଷରୁ ବିଶାଲକାନ୍ତ ସିଂହ ଓ ଉତ୍ତମ ସିଂହ ଗୋଲ୍‌ କରି କେବଳ ବ୍ୟବଧାନ କମାଇ ପାରିଥିଲେ। ଶୁକ୍ରବାର ସେମିଫାଇନାଲ୍‌ରେ ଓଡ଼ିଶାର ମୁକାବିଲା ପଞ୍ଜାବ ସହ ଏବଂ ଗାଙ୍ଗ୍‌ପୁରର ମୁକାବିଲା ହରିଆନା ସହ ହେବ।

ସମ୍ବନ୍ଧିତ ଖବର