୪ ନମ୍ବରକୁ ‌ନେଇ କପିଳଙ୍କ ଭିନ୍ନ ମତ

ମ୍ୟାଚ୍‌ ସ୍ଥିତି ଦେଖି ଖେଳାଳି ସ୍ଥିର କରାଯାଉ

ନୂଆଦିଲ୍ଲୀ: ଆଗାମୀ ବିଶ୍ବକପ୍‌ରେ ଭାରତ ପକ୍ଷରୁ ୪ ନମ୍ବରରେ କିଏ ବ୍ୟାଟିଂ କରିବେ ସେ ନେଇ ବିତର୍କ ଜାରି ରହିଛି। ଦଳ ଜଣେ ଖେଳାଳିଙ୍କୁ ସ୍ଥାୟୀ ଭାବେ ଏହି କ୍ରମରେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେବାକୁ ଚାହୁଁଥିଲା ବେଳେ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କପିଳ ଦେବ ତାଙ୍କ ମତ ଉପସ୍ଥାପନ କରିଛନ୍ତି। ଭାରତକୁ ପ୍ରଥମ ଥର ପାଇଁ ବିଶ୍ବ ବିଜେତା କରାଇଥିବା କପିଳ ଦେବଙ୍କ କହିବା କଥା ହେଲା, ୪ ନମ୍ବର ହେଉ ବା ଅନ୍ୟ ଯେକୌଣସି ସ୍ଥାନ ପାଇଁ କୌଣସି ଖେଳାଳିଙ୍କ ସ୍ଥାୟୀ ଭାବେ ବାଛିବା ଠିକ୍‌ ନୁହେଁ। ବରଂ ମ୍ୟାଚ୍‌ର ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଟିଂ କ୍ରମ ସଜାଡ଼ିବା ଉଚିତ ବୋଲି କପିଳ ଦେବ ମତ ରଖିଛନ୍ତି। ପୂର୍ବ ସମୟରେ ବ୍ୟାପକ ପରିବର୍ତନ ଦେଖାଦେଲାଣି। ଏବେ ଦଳରେ କୌଣସି ସଂଖ୍ୟାର କ୍ରମ ନିର୍ଧାରଣ କରିବା ଠିକ୍‌ ନୁହେଁ। ସମସ୍ତ ଖେଳାଳି ‌କୌଣସି ବି କ୍ରମରେ ବ୍ୟାଟିଂ କରିପାରିବାର ସାମର୍ଥ୍ୟ ରଖିଛନ୍ତି। ଖେଳାଳି ଏକ ଦଳ ଭାବେ ଖେଳିବା ଊଚିତ୍‌। ତେଣୁ କ୍ରମ ସ୍ଥିର କରନାହିଁ। ଅମ୍ବାତି ରାୟୁଡୁ, ବିଜୟ ଶଙ୍କର, ଆଜିଙ୍କ୍ୟ ରହାଣେ ବା ଦୀନେଶ କାର୍ତିକ କାହାରିକୁ ସ୍ଥାୟୀ କ୍ରମରେ ବ୍ୟାଟିଂ କରିବାକୁ ପଠାଅନାହିଁ। ସ୍ଥିତିକୁ ଦେଖି ଖେଳିବା ହିଁ ବୁଦ୍ଧିମାନ ହେବ ବୋଲି ‘ବ୍ରିଟାନିଆ ଖାଅ ବିଶ୍ବ କପ୍‌ ଜାଅ’ ବିଜ୍ଞାପନ ପ୍ରଚାର ଶୁଭାରମ୍ଭ ଅବସରରେ ୧୯୮୩ ବିଶ୍ବ ବିଜେତା ଅଧିନାୟକ କପିଳ କହିଛନ୍ତି। ତେବେ ଋଷଭ ପନ୍ତ୍‌ ବିଶ୍ବକପ୍‌ ଖେଳିବାର ସାମର୍ଥ୍ୟ ରଖିଛନ୍ତି ବୋଲି କପିଳ ଚେତାଇ ଦେଇଛନ୍ତି। ଏହି ଅବସରରେ ମହେନ୍ଦ୍ର ସିଂହ ଧୋନିଙ୍କୁ ମଧ୍ୟ କପିଳ ଉଚ୍ଚରେ ରଖିଛନ୍ତି। ପନ୍ତ୍‌ଙ୍କୁ କଦାପି ଧୋନିଙ୍କ ସହ ତୁଳନା କରାଯାଇନପାରେ ବୋଲି କପିଳ ରୋକ୍‌ଠୋକ୍‌ କହିଛନ୍ତି।

ପନ୍ତ ଜଣେ ପ୍ରତିଭାବାନ ଖେଳାଳି, ହେଲେ ଧୋନିଙ୍କ ସହ ତୁଳନା କରି ତାଙ୍କ ଉପରେ ଅଯଥା ଚାପ ସୃଷ୍ଟି କରିବା ଉଚିତ ନୁହେଁ। ଧୋନିଙ୍କ ସ୍ଥାନ କେହି ବି ନେଇ ପାରିବେ ନାହିଁ। ପନ୍ତଙ୍କ ସମୟ କିନ୍ତୁ ନିଶ୍ଚୟ ଆସିବ।’

ସମ୍ବନ୍ଧିତ ଖବର