କଟକ ଆସୁଛନ୍ତି କିରଣ ମୋରେ

କଟକ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓ୍ଵିକେଟ ରକ୍ଷକ କିରଣ ମୋରେ ଗୁରୁବାର କଟକ ଆସୁଛନ୍ତି। ୟୁନିଅନ୍‌ ସ୍ପୋର୍ଟିଂ କ୍ଲବ୍‌ ଆନୁକୂଲ୍ୟରେ ବୋସ୍‌ ପଡ଼ିଆରେ ଚାଲିଥିବା ପିଭିଆର୍‌ ମୂର୍ତ୍ତି ଅନ୍ତଃ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚରେ କିରଣ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୨୦୦୪ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚରେ ପ୍ରତ୍ୟେକ ବର୍ଷ ଜଣେ ଆନ୍ତର୍ଜାତିକ କ୍ରିକେଟରଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥାଏ। ଚଳିତ ବର୍ଷ କିରଣଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଉଥିବା କ୍ଲବ୍‌ ସମ୍ପାଦକ ପ୍ରଦୀପ ଚୌହାନ ଜଣାଇଛନ୍ତି। ଗୁରୁବାର ହେବାକୁ ଥିବା ପ୍ରତିଯୋଗିତାର ଫାଇନାଲ୍‌ରେ ସିଡିଏ ଡିଏଭି ଓ କିସ୍‌ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।
କିରଣ ମୋରେ ୧୯୮୩ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ ଭାରତୀୟ ଦଳରେ ନିୟମିତ ସଦସ୍ୟ ରହି ଥିଲେ। ତେବେ ତିନିବର୍ଷ ଧରି ସେ ଭାରତୀୟ ଦଳରେ ରହିଥିଲେ ବି ଟେଷ୍ଟ ମ୍ୟାଚରେ ପଦାର୍ପଣ କରିବାକୁ ତାଙ୍କୁ ୩ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୧୯୮୬ ଜୁନ୍‌ ୫ ତାରିଖରେ ଲର୍ଡ୍ସଠାରେ ଇଂଲଣ୍ଡ ବିପକ୍ଷରେ ସେ ଟେଷ୍ଟ ପଦାର୍ପଣ କରିଥିଲେ। ସେହି ଶୃଙ୍ଖଳାରେ ସେ ୩ ମ୍ୟାଚରେ ୧୬ ଆଉଟ୍‌ କରାଇ (ଷ୍ଟମ୍ପିଂ/କ୍ୟାଚ୍‌) କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହାବ୍ୟତୀତ ସେ ଖେଳିଥିବା ମୋଟ ୪୯ ଟେଷ୍ଟରୁ ୨୫.୭୦ ହାରରେ ୭ ଅର୍ଧଶତକ ସହ ୧୨୮୫ ରନ୍‌ ସଂଗ୍ରହ କରିଥିଲେ। ଅନେକ ସମୟରେ ସେ ନିମ୍ନକ୍ରମରେ ବ୍ୟାଟିଂ କରୁଥିବାରୁ ଶତକ ସୁଯୋଗ ହରାଉଥିଲେ। ତାଙ୍କର ସର୍ବାଧିକ ଟେଷ୍ଟ ରନ୍‌ (୭୩) ନ୍ୟୁଜିଲାଣ୍ଡ ବିପକ୍ଷରେ ୧୯୯୦ ମସିହାରେ ନାପିଅର୍‌ ଟେଷ୍ଟରେ ହାସଲ କରିଥିଲେ। ଅନ୍ୟପକ୍ଷରେ ୯୪ ଦିନିକିଆରୁ ୧୩.୦୯ ହାରରେ ୫୬୩ ରନ୍‌ ସଂଗ୍ରହ କରିଥିଲେ। ୧୯୮୪ ମସିହା ଡିସେମ୍ବର ୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ପୁନେଠାରେ ଦିନିକିଆ ପଦାର୍ପଣ କରିଥିଲେ।

୪୨* ରନ୍‌ ତାଙ୍କର ସର୍ବାଧିକ ସ୍କୋର ଥିଲା। ଏହା ବ୍ୟତୀତ ୧୫୧ ପ୍ରଥମ ଶ୍ରେଣୀ ମ୍ୟାଚରୁ ୨୯ ଅର୍ଧଶତକ ଓ ୭ ଶତକ ସହ ୫୨୨୩ ରନ୍‌ ଏବଂ ୧୪୫ ଲିଷ୍ଟ ଏ’ରୁ ୨ ଅର୍ଧଶତକ ସହ ୧୧୫୧ ରନ୍‌ ସଂଗ୍ରହ କରିଥିଲେ। ୭ ବର୍ଷର ଆନ୍ତର୍ଜାତିକ କ୍ରିକେଟ ଜୀବନ ଭିତରେ ପାକିସ୍ଥାନ ଅଧିନାୟକ ଜାଭେଦ ମିଆଁଦାଦ୍‌ଙ୍କ ସହିତ କିରଣଙ୍କ ଯୁକ୍ତିତର୍କ ଓ ପରେ ଜାଭେଦଙ୍କ ପିଚ୍‌ ଉପରେ ଡେଇଁବା ଘଟଣା ସାରା ବିଶ୍ୱରେ ଚର୍ଚ୍ଚିତ ରହିଛି। ୧୯୯୨ ବିଶ୍ୱକପ୍‌ରେ ପାକିସ୍ଥାନ ସହିତ ଖେଳାଯାଇଥିବା ଏହି ମ୍ୟାଚରେ ମିଆଁଦାଦ୍‌ ବ୍ୟାଟିଂ କରୁଥିବାବେଳେ କିରଣ ଓ୍ଵିକେଟ ପଛପଟୁ ସ୍ଲେଜିଂ କରିଥିଲେ। ତାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଅମ୍ପାୟାରଙ୍କୁ ମିଅାଁଦାଦ୍‌ ଅଭିଯୋଗ କରିଥିଲେ। ସେହି ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ବଲ୍‌କୁ ଖେଳି ରନ୍‌ ନେଉଥିବାବେଳେ ବଲ୍‌ ମୋରେଙ୍କ ହାତକୁ ଆସିବା ପୂର୍ବରୁ ମିଆଁଦାଦ୍‌ କ୍ରିଜ୍‌ରେ ପହଞ୍ଚିସାରିଥିଲେ। ତଥାପି ମୋରେ ଓ୍ଵିକେଟ ଭାଙ୍ଗିବାରୁ ମିଆଁଦାଦ୍‌ ତାଙ୍କୁ ଚିଡ଼ାଇବା ପାଇଁ ପିଚ୍‌ ଉପରେ ୩/୪ଥର ଡେଇଁଥିଲେ। ଏହି ଘଟଣା ବର୍ତ୍ତମାନ ସୁଦ୍ଧା ଚର୍ଚ୍ଚିତ ଘଟଣା ରହିଛି। କ୍ରିକେଟରୁ ସନ୍ୟାସ ନେବା ପରେ ମୋରେ ନିଜସ୍ୱ ଏକାଡେମୀ ଗଢିଥିଲାବେଳେ ଆଇସିସିର କ୍ରିକେଟ ଉନ୍ନୟନ ସମିତି ଓ ବିସିସିଆଇର ଚୟନ ସମିତିର ସଦସ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି। ଗତ ୨ ବର୍ଷ ତଳେ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନି ଉପରେ ଆଧାରିତ ‘ଏମ୍‌ଏସ୍‌ ଧୋନି: ଦି ଅନ୍‌ଟୋଲ୍ଡ ଷ୍ଟୋରି’ ସିନେମାରେ ସେ କିଛି ସମୟ ପାଇଁ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର