ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର୍ ତଥା କିମ୍ବଦନ୍ତୀ କ୍ରିକେଟର୍ ସେନ୍ ୱର୍ନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବକୁ ବିଶ୍ବର ଶ୍ରେଷ୍ଠ ବୋଲି ଅଭିହିତ କରିଛନ୍ତି। କିନ୍ତୁ କୌଶଳରେ ସେ ଅଷ୍ଟ୍ରେଲିଆର ଟିମ୍ ପେନ୍ ଏବଂ ନ୍ୟୁଜିଲାଣ୍ଡ୍ର କେନ୍ ୱିଲିୟମ୍ସଙ୍କଠାରୁ ପଛରେ ରହିଥିବା ମତ ଦେଇଛନ୍ତି। ‘ଅଧିନାୟକତ୍ବ, କୌଶଳ ଏବଂ ଦଳର ନେତା’ ମଧ୍ୟରେ ଅନେକ ଫରକ ରହିଛି। କ୍ରିକେଟ୍ ପାଇଁ କୋହଲି ନିଶ୍ଚିତ ମହାନ, ଦଳର ଭଲ ନେତୃତ୍ବ ସେ ନେଉଛନ୍ତି। କିନ୍ତୁ କୌଶଳରେ ସେ ନିଶ୍ଚିତ ପଛରେ ରହିଛନ୍ତି। ସେହିଭଳି ଆଗାମୀ ବିଶ୍ବକପ୍ ପାଇଁ ୱର୍ନ ନିଜ ଦେଶ ଅଷ୍ଟ୍ରେଲିଆକୁ ଦାବିଦାର ନ କହି ଭାରତ ଏବଂ ଇଂଲଣ୍ଡକୁ ବାଛିଛନ୍ତି। ସେହିଭଳି ଭାରତୀୟ ଦଳରେ ମହେନ୍ଦ୍ର ସିଂହ ଧୋନିଙ୍କ ମୂଲ୍ୟ ଅଧିକ ରହିଛି ବୋଲି କହିଛନ୍ତି। ଦଳର ଗୁରୁତ୍ବପୂର୍ଣ୍ଣ ସମୟରେ ଧୋନିଙ୍କ ଅଭିଜ୍ଞତାର ଆବଶ୍ୟକତା ରହିଛି। ଦଳର ସ୍ଥିତି ଅନୁସାରେ ସେ ୪, ୫ କିମ୍ବା ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିପାରିବେ। ଦଳର ମୁଖ୍ୟ ୱିକେଟ୍ରକ୍ଷକ ବି ରହିପାରିବେ। ବିଶ୍ବକପ୍ ଜିତିବାକୁ ହେଲେ ତାଙ୍କ ଅଭିଜ୍ଞତା ଆବଶ୍ୟକ ବୋଲି କହିଥିଲେ ୱର୍ନ। ଦଳର ପ୍ରମୁଖ ଖେଳାଳିଙ୍କୁ ବି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂହ ଧୋନି, ଭୁବନେଶ୍ବର କୁମାର, ଯଶପ୍ରୀତ୍ ବୁମରାଙ୍କ ଭଲ ପ୍ରଦର୍ଶନ ଉପରେ ଭାରତର ବିଶ୍ବକପ୍ ଭାଗ୍ୟ ନିର୍ଭର କରିବ ବୋଲି ୱର୍ନ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସଚ୍ଚୋଟ ବୋଲି ସମସ୍ତେ ଭଲ ପାଆନ୍ତି
ବିରାଟ କୋହଲି ସଚ୍ଚୋଟ ଏବଂ ସେଭଳି ଢଙ୍ଗରେ କଥା କହୁଥିବାରୁ ତାଙ୍କୁ ସମସ୍ତେ ଭଲ ପାଆନ୍ତି ଓ ପସନ୍ଦ କରନ୍ତି ବୋଲି ମଧ୍ୟ ୱର୍ନ କହିଛନ୍ତି। ଏପରିକି ଅଷ୍ଟ୍ରେଲୀୟ ଏବଂ ସମଗ୍ର ବିଶ୍ବ କ୍ରିକେଟ୍ପ୍ରେମୀ ମଧ୍ୟ ତାଙ୍କୁ ଭଲ ପାଆନ୍ତି। କୋହଲି ସତେଜ ମନରେ ସଚ୍ଚୋଟ ଓ ଖୋଲା ଖୋଲି କଥା କହିଥାନ୍ତି। ମୁକାବିଲା କରିବାକୁ ବି ସେ ଭଲ ପାଆନ୍ତି। ସେଥି ପାଇଁ ପଶ୍ଚାତଧାବନରେ ବି ସେ ଏତେ ଶତକ ହାସଲ କରିଛନ୍ତି। ଗୋଟିଏ ପରେ ଗୋଟିଏ କ୍ରିକେଟ୍ ଯୁଗ ପରିବର୍ତନ ହୋଇଥିବାରୁ କାହାରି ସହ ତୁଳନା କରିବା ଠିକ୍ ହେବ ନାହିଁ। ସଚିନ-କୋହଲିଙ୍କ ମଧ୍ୟରୁ ଶ୍ରେଷ୍ଠ କିଏ ବୋଲି ପ୍ରଶ୍ନ କରିବା ଠିକ୍ ହେବ ନାହିଁ। ଏହା କଷ୍ଟକର କାମ। ତଥାପି ନିଜ ଯୁଗରେ ବ୍ରାଏନ୍ ଲାରା ଓ ସଚିନ ତେନ୍ଦୁଲକର ଶ୍ରେଷ୍ଠ ଥିଲେ ବୋଲି ୱର୍ନ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଆଇପିଏଲ୍ ପାଇଁ ରାଜସ୍ଥାନ ରୟାଲ୍ସର ମାର୍ଗଦର୍ଶକ ନିଯୁକ୍ତ ହେବା ପରେ ଭାରତ ଆସି ଏଭଳି କହିଛନ୍ତି। ୧୧ ବର୍ଷ ତଳେ ରାଜସ୍ଥାନକୁ ପ୍ରଥମ ସଂସ୍କରଣ ବିଜେତା କରାଇଥିଲେ ୱର୍ନ। ଚଳିତ ଋତୁରୁ ରାଜସ୍ଥାନ ରୟାଲ୍ସ ମଧ୍ୟ ନିଜ ଜର୍ସି ରଙ୍ଗକୁ ଗୋଲାପୀ ରଙ୍ଗ କରିଥିବା ସୂଚନା ମିଳିଛି।
ନୂଆଦିଲ୍ଲୀ: ଚଳିତ ବର୍ଷ ଇଂଲଣ୍ଡରେ ହେବାକୁ ଯାଉଥିବା ଆଇସିସି ବିଶ୍ବକପ୍ ଲାଗି ଯୁବ ୱିକେଟରକ୍ଷକ ଋଷବ ପନ୍ତ୍ ଏବଂ ବ୍ୟାଟସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଦାବିଦାର ତାଲିକାରେ ରହିଛନ୍ତି ବୋଲି କହିଛନ୍ତି ବିସିସିଆଇର ମୁଖ୍ୟ ଚୟନକର୍ତା ଏମ୍ଏସ୍କେ ପ୍ରସାଦ। ପନ୍ତ୍ଙ୍କୁ ‘ସୁସ୍ଥ ମୁଣ୍ଡବ୍ୟଥା’ ଦର୍ଶାଇ ପ୍ରସାଦ କହିଛନ୍ତି ସେ ନିଶ୍ଚିତ ଭାବେ ଦୌଡ଼ରେ ରହିଛନ୍ତି। ବିଗତ ଗୋଟିଏ ବର୍ଷ ହେବ ସେ ସବୁ ଫର୍ମାଟରେ ଅଭୂତପୂର୍ବ ପ୍ରଦର୍ଶନ କରି ଆସୁଛନ୍ତି। ତାଙ୍କୁ କେବଳ ଅଧିକ କିଛି ପରିପକ୍ବତା ଏବଂ ଅଭିଜ୍ଞତାର ଆବଶ୍ୟକତା ରହିଛି। ଦଳ ପ୍ରତି ସଙ୍କଳ୍ପବଦ୍ଧ ଥିବାରୁ ତାଙ୍କୁ ଜଣେ ପରିପକ୍ବ ଖେଳାଳି ଭାବେ ଦେଖିବାକୁ ଚାହୁଁଛି ବୋଲି ପ୍ରସାଦ କହିଥିଲେ। ଅନ୍ୟପକ୍ଷରେ ଭାରତର ଦିନିକିଆ ଯୋଜନା ବାହାରେ ରହିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟସମ୍ୟାନ୍ ଅଜିଙ୍କ୍ୟ ରାହାଣେଙ୍କ ବିଶ୍ବକପ୍ ଦ୍ବାର ବନ୍ଦ ହୋଇନାହିଁ ବୋଲି ପ୍ରସାଦ ସୂଚନା ଦେଇଛନ୍ତି। ଘରୋଇ କ୍ରିକେଟ୍ରେ ରାହାଣେ ଭଲ କରି ଆସୁଛନ୍ତି। ଚଳିତ ଋତୁରେ ସେ ୧୧ ପାଳିରୁ ୭୪.୬୨ ହାରରେ ୫୯୭ ରନ୍ କରିଛନ୍ତି। ପ୍ରସାଦ ମଧ୍ୟ ଅଲରାଉଣ୍ଡର୍ ବିଜୟ ଶଙ୍କରଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ସୀମିତ ସୁଯୋଗ ମଧ୍ୟରେ ଶଙ୍କର ନିଜ ଦକ୍ଷତା ଦେଖାଇନ୍ତି ବୋଲି ମଧ୍ୟ ପ୍ରସାଦ କହିଥିଲେ।