ୱାର୍ନରଙ୍କ ଚମତ୍କାର ଆଗମନ ଫିକା, ରସେଲ୍‌ ଛଡ଼ାଇନେଲେ ବିଜୟ

କୋଲ୍‌କାତା: ଶେଷ ୩ ଓଭରରୁ ୫୩ ରନ୍ ଆବଶ୍ୟକ କରୁଥିବା କୋଲକାତା ନାଇଟ୍ ରାଇଡର୍ସକୁ ଆନ୍ଦ୍ରେ ରସେଲ (୪୯*, ୧୯ ବଲ, ୪‌ ଚୌକା, ୪ ଛକା) ଅବିଶ୍ବସନୀୟ ବିଜୟ ପ୍ରଦାନ କଲେ। ଏଥି ସହିତ କେକେଆର ୬ ୱିକେଟ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ବଲ୍ ବିକୃତ ବିବାଦ ପାଇଁ ବର୍ଷକର ନିଲମ୍ବନରୁ ଫେରିଥିବା ଡେଭିଡ୍ ୱାର୍ନର (୮୫, ୫୩ ବଲ, ୯ ଚୌକା, ୩ ଛକା) ଚମତ୍କାର ପାଳି ଖେଳିଥିଲେ ମଧ୍ୟ ଏହା ସନ୍‌ରାଇଜର୍ସ ପାଇଁ ଯଥେଷ୍ଟ ହୋଇନଥିଲା। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍ ହାରି ହାଇଦ୍ରାବାଦ ବ୍ୟାଟିଂ ପାଇଥିଲା। ଦଳର ଅଷ୍ଟ୍ରେଲିଆ-ଇଂଲଣ୍ଡ ପ୍ରାରମ୍ଭିକ ଯୋଡ଼ି ଡେଭିଡ୍ ୱାର୍ନର (୮୫, ୫୩ ବଲ, ୯ ଚୌକା, ୩ ଛକା) ଏବଂ ଜନି ବେୟାରଷ୍ଟୋ (୩୯, ୩୫ ବଲ, ୩ ଚୌକା, ୧ ଛକା) ପ୍ରଥମରୁ ଧୂଲେଇ ଆରମ୍ଭ କରିଥିଲେ। ପ୍ରଥମ ୱିକେଟ୍ ପାଇଁ ଏମାନେ ୧୨.୫ ଓଭରରେ ୧୧୮ ରନ୍ କରିଥିଲେ। ଉଭୟଙ୍କ ଆଉଟ୍ ପରେ ରନ୍ ହାର କମିଥିଲେ ମଧ୍ୟ ଶେଷ ଭାଗରେ ବିଜୟ ଶଙ୍କର ୪୦*, ୨୪ ବଲ, ୨ ଚୌକା, ୨ ଛକା) ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ୧୮୧ ରନ୍‌ର ଲଢ଼ୁଆ ସ୍କୋର୍ ପ୍ରଦାନ କରିଥିଲେ। ୭ ଜଣ ବୋଲରଙ୍କ ମଧ୍ୟରେ ଆନ୍ଦ୍ରେ ରସେଲ (୩-୦-୩୨-୨) ସବୁଠୁ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସଫଳତମ ଥିଲେ। ଜବାବରେ କେକେଆର୍ ଦଳକୁ ଭଲ ଆରମ୍ଭ ମିଳିନଥିଲା। କ୍ରିସ୍ ଲିନ୍‌ (୭)ଙ୍କୁ ସକିବ୍ ଅଲ୍ ହାସନ୍‌ ଦ୍ବିତୀୟ ଓଭରରେ ଆଉଟ୍ କରିଦେବା ପରେ ନୀତିଶ ରାଣା (୬୮, ୪୭ ବଲ, ୮ ଚୌକା, ୩ ଛକା) ଏବଂ ରବିନ୍‌ ଉଥପ୍ପା (୩୫, ୨୭ ବଲ, ୩‌ ଚୌକା, ୧ ଛକା) ପ୍ରତ୍ୟାବର୍ତନ କରାଇଥିଲେ। ଅଧିନାୟକ ଦୀନେଶ କାର୍ତିକ (୨)ଙ୍କ ବିଦାୟ ପରେ ଚାପ ବଢ଼ିଥିଲେ ମଧ୍ୟ ଶେଷକୁ ଆନ୍ଦ୍ରେ ରସେଲ (୪୯*, ୧୯ ବଲ, ୪‌ ଚୌକା, ୪ ଛକା) ଏବଂ ଶୁଭମନ ଗିଲ୍‌ (୧୮*, ୧୦ ବଲ, ୨ ଛକା) ୨ ବଲ୍ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ। ୧୮ ଓ ୧୯ତମ ଓଭରରୁ ରସେଲ୍‌ ୪୦ ରନ୍ ଆଦାୟ କରିବା ପରେ ସକିବ୍‌ଙ୍କ ଶେଷ ଓଭରରେ ୨ ଛକା ମାରି ଯୁବ ତାରକା ଗିଲ୍‌ ମ୍ୟାଚ୍‌ ଶେଷ କରିଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ରସେଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ସନ୍‌ରାଇଜର୍ସ ହାଇଦ୍ରାବାଦ- ୨୦ ଓଭରରେ ୧୮୧/୩ (ଡେଭିଡ୍ ୱାର୍ନର-୮୫, ଜନି ବେୟାରଷ୍ଟୋ-୩୯, ବିଜୟ ଶଙ୍କର-୪୦*, ଆନ୍ଦ୍ରେ ରସେଲ-୨/୩୨, ପୀୟୂଷ ଚାୱଲା-୧/୨୩)। କୋଲକାତା ନାଇଟ୍ ରାଇଡର୍ସ-୧୯.୪ ଓଭରରେ ୧୮୩/୪ (ନୀତିଶ ରାଣା-୬୮, ରବିନ୍ ଉଥପ୍ପା-୩୫, ଆନ୍ଦ୍ରେ ରସେଲ-୪୯*, ଶୁଭମନ ଗିଲ୍‌-୧୮*, ରସିଦ୍ ଖାନ-୧/୨୬, ସିଦ୍ଧାର୍ଥ କୌଲ-୧/୩୫, ସନ୍ଦୀପ ଶର୍ମା-୧/୪୨, ସକିବ୍ ଅଲ ହାସନ୍-୧/୪୨)।

ସମ୍ବନ୍ଧିତ ଖବର