ଆଡିଲେଡ୍‌ରେ ଭାରତ ପାଇଁ ଲିଅନ୍‌ ବିପଦ

ଆଡିଲେଡ୍‌: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ୪ ଟିକିଆ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଚଳିତ ମାସ ୬ ତାରିଖରୁ ଆଡିଲେଡ୍‌ରେ ଖେଳିବ। କିନ୍ତୁ ‌ଏହି ଟେଷ୍ଟ୍‌ ଭାରତ ପାଇଁ ସହଜ ହେବ ନାହିଁ। ଇତିହାସ କହୁଛି ଆଡିଲେଡ୍‌ରେ ଭାରତର ପ୍ରଦର୍ଶନ ‌ଭଲ ନାହିଁ। ଏଠାରେ ଅଷ୍ଟ୍ରେଲିଆ ସ୍ପିନର ନାଥନ୍‌ ଲିଅନ୍‌ ଭାରତ ଆଗରେ ବିପଦ ହେବାର ସମ୍ଭାବନା ରହିଛି। ଶେଷ ଥର ଲାଗି ଭାରତ ୨୦୧୪ରେ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌‌ ଏଠାରେ ଖେଳିଥିଲା। ବିଜୟରୁ ଅଭିଯାନ ଆରମ୍ଭ କରିବା ଆଶାରେ ଥିବା ଭାରତ ପାଇଁ ସୁଯୋଗ ଥିଲା। ହେଲେ ଦ୍ବିତୀୟ ପାଳିର ଶେଷ ୮ ୱିକେଟ୍‌ ୭୩ ରନ୍‌‌ ମଧ୍ୟରେ ହରାଇ ଭାରତ ୪୮ ରନ୍‌ ପଛରେ ରହିଯାଇଥିଲା। ଏହି ମ୍ୟାଚ୍‌ରେ ନାଥନ୍‌ ଲିଅନ୍‌ ‌ମୋଟ ୧୨ ୱିକେଟ୍‌ (ପ୍ରଥମ ପାଳିରେ ୫ ଓ ଦ୍ବିତୀୟ ପାଳିରେ ୭) ଅକ୍ତିଆର କରି ଅଷ୍ଟ୍ରେଲିଆକୁ ୧-୦ ଅଗ୍ରଣୀ ଦେଇଥିଲେ। ଫଳରେ ଆଡିଲେଡ୍‌ ଇତିହାସ ଲିଅନ୍‌ଙ୍କ ପକ୍ଷରେ ଥିବାରୁ ଭାରତ ଆଗରେ ସେ ପୁଣି ଥରେ ବିପଦ ସାଜିବାର ସମ୍ଭାବନା ରହିଛି। ଆଗାମୀ ଶୃଙ୍ଖଳା ପାଇଁ ଲିଅନ୍ ହିଁ ଅଷ୍ଟ୍ରେଲିଆ ଦଳର ସବୁଠୁ ଅଭିଜ୍ଞ ସ୍ପିନର। ‌ଦ୍ରୁତ ବୋଲରମାନଙ୍କୁ ସେ ହିଁ ସହାୟତା ଦେଇ ଭାରତକୁ ଅସ୍ତବ୍ୟସ୍ତ କରିପାରିବେ। ଏବେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ କିଭଳି ତାଙ୍କୁ ସାମ୍‌ନା କରିବେ ତାହା ପ୍ରଶ୍ନବାଚୀ। ଲିଅନ୍‌ ଟେଷ୍ଟ୍‌ରେ ୧୫ ବ୍ୟାଟ୍ସମ୍ୟନ୍‌ଙ୍କୁ ୫ରୁ ଅଧିକ ଥର ଆଉଟ୍‌ କରିଛନ୍ତି। ଏମାନଙ୍କ ମଧ୍ୟରେ ୫ ଭାରତୀୟ ରହିଛନ୍ତି। ଭାରତର ଆଶା ଚେ‌ତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ ଏବଂ ବିରାଟ କୋହଲି ଏଥିରେ ସାମିଲ। ପୂଜାରା ୭, ରାହାଣେ ୬ ଏବଂ କୋହଲି ୫ ଥର ଲିଅନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଛନ୍ତି। ଭାରତ ବିରୋଧରେ ଲିଅନ୍‌ ୩୦ ୱିକେଟ୍‌ ପାଇଛନ୍ତି। ଆଡିଲେଡ୍‌ ଓଭାଲ ମଧ୍ୟ ଲିଅନ୍‌ଙ୍କ ପାଇଁ ସବୁଠାରୁ ପସନ୍ଦର ପଡ଼ିଆ। ‌ଏଠାରେ ସେ ୭ ମ୍ୟାଚ୍‌ରୁ ୩୭ ୱିକେଟ୍‌ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର