ଭୁବନେଶ୍ୱର: ୨୧ ବର୍ଷ ତଳେ ଦେବାଶିଷ ମହାନ୍ତି ପ୍ରଥମ ଓଡ଼ିଆ ଭାବେ ଭାରତୀୟ କିି୍ରିକେଟ୍ ଦଳରୁ ଖେଳିଥିଲେ। ଦୁଇ ଦଶନ୍ଧିର କ୍ରିକେଟ୍ ଯାତ୍ରାରେ ଦେବାଶିଷ ଓଡ଼ିଶାର ଅଗ୍ରଣୀ ଓ୍ଵିକେଟହାସଲକାରୀ, ରାଜ୍ୟ ରଣଜୀ ଦଳର ନେତୃତ୍ୱ, ସବୁଠୁ ଲମ୍ବା ୬ ଋତୁ ଧରି ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବା ପରେ ଏବେ ବିସିସିଆଇର ଜାତୀୟ ଚୟନକର୍ତା (କନିଷ୍ଠ) ପାଲଟିଛନ୍ତି। ଏହା ରାଜ୍ୟ ପାଇଁ ଏକ ବଡ଼ ଉପଲବ୍ଧି ହୋଇଛି ଏଇଥି ପାଇଁ ଯେ ତୃତୀୟ ଓଡ଼ିଆ ଭାବେ ଦେବାଶିଷଙ୍କୁ ଏହି ଲୋକପ୍ରିୟ ତଥା ଗ୍ଲାମରସ୍ ଖେଳରେ ମିଳିଛି ଜାତୀୟ ଦାୟିତ୍ୱ। ରଂଜୀବ ବିଶ୍ୱାଳ ଏବଂ ଜୀମୂତ ମହାନ୍ତି ପୂର୍ବରୁ ଜାତୀୟ କନିଷ୍ଠ ଚୟନକର୍ତା ପାଲଟିଥିଲେ। ଦୁଇ ଦଶନ୍ଧି ପରେ ମଧ୍ୟ ଦେବାଶିଷ ଶନିବାର ନିଜ କ୍ଲବ୍ ‘ସହିଦ୍ ସ୍ପୋର୍ଟିଂ’ ପରିସରରେ ସାମ୍ବାଦିକ ସମ୍ମିଳନୀ ଆହ୍ଵାନ କରିଥିଲେ ଏବଂ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ, ବଖାଣିଥିଲେ ନୂଆ ଅଭିଯାନର ଅଭିଳାଷ।
Sambad is now on WhatsApp
Join and get latest news updates delivered to you via WhatsApp
କେବଳ ବଦଳିଛି ଦାୟିତ୍ୱ
ଖେଳାଳି, ଅଧିନାୟକ, ପ୍ରଶିକ୍ଷକ ପରେ ଏବେ ଚୟନକର୍ତା। ଦୁଇ ଦଶନ୍ଧିର କ୍ରିକେଟ୍ ଯାତ୍ରାରେ କେବଳ ମୋର ଦାୟିତ୍ୱ ବଦଳିଛି। ଖେଳାଳି ଭାବେ ମୁଁ କେତେ ଭଲ ଖେଳିପାରିବି ଚିନ୍ତା କରୁଥିଲି। ପ୍ରଶିକ୍ଷକ ହେବାପରେ କେତେ ସଫଳ ହେଲି ଏବଂ ଖେଳାଳିଙ୍କଠାରୁ ଶ୍ରେଷ୍ଠତ୍ୱ ବାହାର କରିବା ଚେଷ୍ଟା କରିଥିଲି। ଏବେ କିନ୍ତୁ ସମ୍ପୂର୍ଣ୍ଣ ନୂଆ ଦାୟିତ୍ୱ। ମୁଁ ଏହି ଦାୟିତ୍ୱରେ ମାସକର ପିଲା ଭଳି। ଓସିଏ (ଓଡ଼ିଶା କ୍ରିକେଟ୍ ସଂଘ)ରେ ବି ମୁଁ ଏହି ଦାୟିତ୍ୱ ତୁଲାଇନଥିଲି। ସାଥୀ ଚୟନକର୍ତାଙ୍କ ସହିତ ମିଶିବା ପରେ ନିଶ୍ଚିତ ଆଗକୁ ବଢ଼ିବି। ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକଙ୍କ ମନୋଭାବ ନେଇ ଦଳ ଚୟନ କରିବାକୁ ପ୍ରୟାସ ରହିବ।
ବିଶ୍ୱକପ୍ ଭଳି ଅପ୍ରତ୍ୟାଶିତ
୧୯୯୯ ବିଶ୍ୱକପ୍ ଭଳି ମୁଁ ବି ଚୟନକର୍ତା ଦାୟିତ୍ୱ ନେବା ଅପ୍ରତ୍ୟାଶିତ ରହିଛି। ଓଡ଼ିଶା ରଣଜୀ ଦଳକୁ ନୂଆ ଋତୁ ଲାଗି ପ୍ରସ୍ତୁତି କରାଉଥିବା ବେଳେ ଏଭଳି ଖବର ପାଇଛି। ସେତେବେଳେ ଇଂଲଣ୍ଡ ବିଶ୍ୱକପ୍ ପାଇଁ ମୁଁ ସମ୍ଭାବ୍ୟ ଦଳରେ ନଥିଲି କିନ୍ତୁ ଅଧାରୁ ଡାକରା ପାଇ ଇଂଲଣ୍ଡ ଯାଇଥିଲି। ସେତେବେଳେ ଆଶା କରିନଥିଲି, ଆଶ୍ଚର୍ଯ୍ୟ ହୋଇଥିଲି। ଈଶ୍ୱରଙ୍କ ଆଶୀର୍ବାଦ ଥିଲା। ଏବେ ସେଭଳି ହୋଇଛି। ନୂଆ ଦାୟିତ୍ୱକୁ ନେଇ ମୁଁ ଉତ୍ସାହିତ ରହିଛି।
ଚାପ ରହିବ ନାହିଁ
ଜାତୀୟ ଦଳ ପାଇଁ ଖେଳାଳିଙ୍କୁ ବାଛିବା ଭାରତରେ ନିଶ୍ଚିତ ଏକ ବଡ଼ ଦାୟିତ୍ୱ। ଅଭିଜ୍ଞତା ନ ଥିଲେ ବି ସୁଯୋଗ ଆଣିଛି। କ୍ରିକେଟ୍ରେ ଚାପରେ ଖେଳିବା ଓ ଚାପକୁ ହାତେଇବା ଏକ ଅଂଶବିଶେଷ। ସେ ଅଭିଜ୍ଞତାକୁ ଉପଯୋଗ କରିହେବ। ଆଗକୁ ଆଗକୁ ନିଶ୍ଚିତ ଶିଖିବି। କିନ୍ତୁ ଗୋଟିଏ କଥାରେ ଚାପ ନିଶ୍ଚିତ ରହିବ। ପ୍ରତିଭା ଚିହ୍ନଟ କରିବା ଏବଂ ଜାତୀୟ ଦଳକୁ ଆସିବାକୁ ବ୍ୟଗ୍ର ଦକ୍ଷ ଖେଳାଳିଙ୍କୁ ଠିକଣା ଯାଗାରେ ପହଞ୍ଚାଇବାର ଦାୟିତ୍ୱ ନିଶ୍ଚିତ ଚାପ ଓ ଆହ୍ଵାନ ଆଣିବ।
ରଘୁନାଥ ଓ ରାଜେଶଙ୍କ ପାଇଁ ସୁଯୋଗ
ପ୍ରତିବର୍ଷ ବିଭିନ୍ନ ବୟସ ବର୍ଗର ଜାତୀୟ ତଥା ଘରୋଇ ଦଳ କଥା ଦେଖିଲେ ୧୦୦ରୁ ଊର୍ଧ୍ୱ ଖେଳାଳିଙ୍କୁ ମିଳିଥାଏ ସୁଯୋଗ। କିନ୍ତୁ ପ୍ରାୟ ଦେଢ଼ ଦଶନ୍ଧି ଧରି ଓଡ଼ିଶାରୁ କେହି ସୁଯୋଗ ପାଇନାହାନ୍ତି ପୁରୁଷ ବର୍ଗରେ। ଭାରତୀୟ ଦଳରେ ଓଡ଼ିଆ ନଥିଲେ କଷ୍ଟ ଲାଗିଥାଏ। ପରିବର୍ତନ ଲାଗି ନିଶ୍ଚିତ ଚେଷ୍ଟା କରିବି। କିନ୍ତୁ ଆମ ଖେଳାଳିଙ୍କୁ ପ୍ରଭାବୀ ପ୍ରଦର୍ଶନ ଦେଖାଇବାକୁ ପଡ଼ିବ। କନିଷ୍ଠ ବର୍ଗରେ ମୁଁ ଏତେଟା ଏକାଗ୍ର ନ ଥିଲି। ଏବେ ନଜର ରଖିବାକୁ ପଡ଼ିବ। ବ୍ୟାଟସମ୍ୟାନ୍ ରଘୁନାଥ ମଲ୍ଲ ଏବଂ ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କ ପାଇଁ ସୁଯୋଗ ରହିଛି।
ଓଡ଼ିଶା ବଞ୍ଚିତ ହେବନି
ଜାତୀୟ ଦଳର ଚୟନକର୍ତା ଦାୟିତ୍ୱ ପାଇଥିଲେ ବି ମୁଁ ଓଡ଼ିଶାର ସେବା ପାଇଁ ଉତ୍ସର୍ଗର୍ୀକୃତ ମନୋଭାବରେ କାମ କରିବାକୁ ପ୍ରସ୍ତୁତ। ରାଜ୍ୟ ପ୍ରତି ଦାୟିତ୍ୱବୋଧତାର ଗୁରୁତ୍ୱ ରଖିବି। ଶିବସୁନ୍ଦର ଦାସ ଏନ୍ସିଏ ବ୍ୟାଟିଂ ଦାୟିତ୍ୱ ନେବା ପରେ ମୋତେ ଏହି ଦାୟିତ୍ୱ ମିଳିଛି। ମୋତେ ନୂଆ ଦାୟିତ୍ୱ ପରେ ରଶ୍ମିରଂଜନ ପରିଡ଼ାଙ୍କୁ ଓଡ଼ିଶା ଦଳ ପ୍ରଶିକ୍ଷକ ନିଯୁକ୍ତ କରାଯିବା ମଧ୍ୟ ଭଲ ପଦକ୍ଷେପ ହୋଇଛି।