ଜାତୀୟ ହକି କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଅଷ୍ଟମ ଜାତୀୟ ପୁରୁଷ ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ତୃତୀୟ ବିଜୟ ସହ ହକି ଓଡ଼ିଶା ଦଳ ପୁଲ୍‌-ଏରୁ ଦ୍ୱିତୀୟ ଦଳ ଭାବେ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛି। ମଙ୍ଗଳବାର ଷଷ୍ଠ ଦିବସରେ ଏକ ମ୍ୟାଚ୍‌ରେ ଓଡ଼ିଶା ୪-୨ ଗୋଲ୍‌ରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଥିଲା। କ୍ୱାର୍ଟର ଫାଇନାଲ୍‌ ପ୍ରବେଶ ପାଇଁ ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ କର ବା ମର ଥିଲା ବେଳେ ଓଡ଼ିଶା ବାଜିି ମାରିନେଲା। ମ୍ୟାଚ୍‌ର ୨୫ ମିନିଟ୍‌ ମଧ୍ୟରେ ଓଡ଼ିଶା ୨-୦ ଗୋଲ୍‌ରେ ଆଗେଇ ଯାଇଥିଲା। ପ୍ରସନ୍ନ ତିର୍କି (୧୫ ମିନିଟ୍‌) ଓ ମୁକେଶ ଟିଗା (୨୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଓଡ଼ିଶାକୁ ଅଗ୍ରଣୀ ଦେଇଥିଲେ। ହେଲେ ଅଜୟ ଯାଦବଙ୍କ ୪୧ ମିନିଟ୍‌ ଗୋଲ୍‌ ବଳରେ ଉତ୍ତର ପ୍ରଦେଶ ବ୍ୟବଧାନ କମାଇଥିଲା। କିନ୍ତୁ ୪୬ ମିନିଟ୍‌ରେ ଗୋଟିଏ ଗୋଲ୍‌ କରି ପ୍ରସାଦ କୁଜୁର ଓଡ଼ିଶାକୁ ୩-୧ର ଅଗ୍ରଣୀ ଦେଇ ବିଜୟ ସୁଯୋଗ ଦେଇଥିଲେ। ଏହାପରେ ୫୧ ମିନିଟ୍‌ରେ ଗୋପୀ ଶଙ୍କର ଗୋଟିଏ ଗୋଲ୍‌ କରି ଉତ୍ତର ପ୍ରଦେଶ ବ୍ୟବଧାନ ୨-୩ରେ ପହଞ୍ଚାଇଥିଲେ ମଧ୍ୟ ୫୫ ମିନିଟ୍‌ରେ ପ୍ରସନ୍ନ ତିର୍କିଙ୍କ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ହିଁ ଉତ୍ତର ପ୍ରଦେଶର କ୍ୱାର୍ଟର ଫାଇନାଲ୍‌ ଆଶା ଧୂଳିସାତ୍‌ କରିଦେଲା। ଏଥି ସହିତ ଓଡ଼ିଶା ପୁଲ୍‌-ଏରେ ୩ ବିଜୟ ସହ ୯ ପଏଣ୍ଟ୍‌ ପାଇଁ ରେଳବାଇ ସ୍ପୋର୍ଟସ୍‌ ପ୍ରମୋସନ୍‌ ବୋର୍ଡ (୧୨ ପଏଣ୍ଟ୍‌) ପଛକୁ ଦ୍ୱିତୀୟ ସ୍ଥାନ ପାଇଥିଲା। ଆସନ୍ତା ଗୁରୁବାର (୨୨ ତାରିଖ) କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶାର ମୁକାବିଲା ପୁଲ୍‌-ବିର ପ୍ରଥମ ସ୍ଥାନ ପାଇଥିବା ଏୟାର ଇଣ୍ଡିଆ ସ୍ପୋର୍ଟସ୍‌ ପ୍ରମୋସନ୍‌ ବୋର୍ଡ ସହ ହେବ। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟତମ ଓଡ଼ିଶା ଦଳ ହକି ଗାଙ୍ଗ୍‌ପୁର (ପୁଲ୍‌-ବି) କ୍ୱାର୍ଟର ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଛି। ଏହି ସଫଳତା ଲାଗି ହକି ଓଡ଼ିଶା ସଂପାଦକ ପ୍ରତାପ ଶତପଥୀ ରାଜ୍ୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ମଙ୍ଗଳବାର ପୁଲ୍‌ ପର୍ଯ୍ୟାୟ ଶେଷ ହୋଇଥିଲା ବେଳେ ଓଡ଼ିଶା, ରେଳବାଇ ଏବଂ ଏୟାର ଇଣ୍ଡିଆ ବ୍ୟତୀତ ପଞ୍ଜାବ ଓ ସିନ୍ଦ୍‌ ବ୍ୟାଙ୍କ୍‌, ପେଟ୍ରୋଲିୟମ୍‌ ସ୍ପୋର୍ଟସ୍‌ ପ୍ରମୋସନ୍‌ ବୋର୍ଡ, ପଞ୍ଜାବ, ଭାରତୀୟ କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର୍‌ ଜେନେରାଲ ଏବଂ ଚଣ୍ଡୀଗଡ଼ କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ପୁଲ୍‌-ଡିରେ ଚଣ୍ଡୀଗଡ଼ ନିଜର ଶେଷ ମ୍ୟାଚ୍‌ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍‌ ବଳକୁ ୨-୦ରେ ପରାସ୍ତ କରି ଦ୍ୱିତୀୟ ସ୍ଥାନ ପାଇଥିଲା ବେଳେ କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର୍‌ ଜେନେରାଲ ୨-୧ରେ ନାମଧାରୀ ଏକାଦଶକୁ ପରାସ୍ତ କରି ପଏଣ୍ଟ୍‌ ତାଲିକାର ଶୀର୍ଷରେ ରହିଥିଲା। ପୁଲ୍‌-ସିରେ ପେଟ୍ରୋଲିୟମ୍‌ ସ୍ପୋର୍ଟସ୍‌ ପ୍ରମୋସନ୍‌ ବୋର୍ଡ ଏବଂ ପଞ୍ଜାବ ୨-୨ ଗୋଲ୍‌ରେ ମ୍ୟାଚ୍‌ ଅମୀମାଂସିତ ରଖିଥିଲା ବେଳେ ଉଭୟେ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ପୁଲ୍‌-ବିରେ ଏୟାର ଇଣ୍ଡିଆ ୩-୧ ଗୋଲ୍‌ରେ ହରିଆନାକୁ ଏବଂ ପଞ୍ଜାବ ଓ ସିନ୍ଦ୍‌ ବ୍ୟାଙ୍କ୍‌ ୪-୦ରେ ଝାଡ଼ଖଣ୍ଡକୁ ହରାଇ କ୍ୱାର୍ଟରରେ ପହଞ୍ଚି ଯାଇଥିଲା ବେଳେ ପୁଲ୍‌-ଏରେ ରେଳବାଇ ଦଳ ୪-୦ରେ ଭୋପାଳକୁ ପରାସ୍ତ କରିଥିଲା। ପୁଲ୍‌-ସିରେ କର୍ଣ୍ଣାଟକ ୫-୨ରେ ମୁମ୍ବାଇ ପରାସ୍ତ କରିବା ସତ୍ତ୍ୱେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା।

ସମ୍ବନ୍ଧିତ ଖବର