କରୋନା ପାଇଁ ସହାୟତା : ଦେଢ଼ କୋଟି ଦେଲା ଓସିଏ

ଓଡ଼ିଶାକୁ ୨୧ ଲକ୍ଷ ଦେଲା ହକି ଇଣ୍ଡିଆ

କଟକ : କରୋନା ମୁକାବିଲା ପାଇଁ ଓଡ଼ିଶା କ୍ରିକେଟ ସଂଘ (ଓସିଏ) ଆଗେଇ ଆସିଛି। ଓସିଏ ପକ୍ଷରୁ ଦେଢ଼ କୋଟି ଟଙ୍କା ଦାନ କରାଯାଇଛି। ସେଥିମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଏବଂ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବୁଧବାର ଅପରାହ୍ନରେ ଓସିଏ ସମ୍ପାଦକ ସଂଜୟ ବେହେରା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କୁ ସାକ୍ଷାତ କରି କୋଟିଏ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ରାଜ୍ୟରେ କରୋନା ମୁକାବିଲା ପାଇଁ କୋଭିଡ୍‌-୧୯ ଡ଼ାକ୍ତରଖାନାଗୁଡ଼ିକରେ ଭେଣ୍ଟିଲେଟରର ଅଭାବ ଦେଖାଦେଉଛି। ଏଥସହ ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷାଜନିତ ଉପକରଣ କିଣିବା ଏବଂ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଏକ ଛୋଟ ଅବଦାନ ବୋଲି ସଂଜୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ମଧ୍ୟ ବ୍ୟକ୍ତିଗତ ଭାବେ ୧ କୋଟି (ନିଜସ୍ବ ପରିଚାଳିତ କଂପାନି ଏମ୍‌ଜିଏମ୍‌ ମିନେରାଲ୍‌ସ ଆକାଉଣ୍ଟ୍‌ରୁ) ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ଏହା ପୂର୍ବରୁ ଓଡ଼ିଶା ଅଲିମ୍ପିକ ସଂଘ ପକ୍ଷରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ଓଡ଼ିଶାକୁ ୨୧ ଲକ୍ଷ ଦେଲା ହକି ଇଣ୍ଡିଆ
ଭୁବନେଶ୍ବର : କାରୋନା ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ନିକଟରେ ୧ କୋଟି ଟଙ୍କା ଦାନ କରିଥିବା ହକି ଇଣ୍ଡିଆ ବୁଧବାର ଭାରତରେ ହକିକୁ ପ୍ରାୟୋଜନ କରିଥିବା ଓଡ଼ିଶାକୁ ମଧ୍ୟ ସହାୟତାର ହାତ ବଢ଼ାଇଛି। ହକି ଇଣ୍ଡିଆ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ଦାନ କରିଥିବା ଘୋଷଣା କରିଛି। ଓଡ଼ିଶା ସବୁବେଳେ ହକି ପାଇଁ ବୃହତ୍‌ ସମର୍ଥନ ଦେଇଆସୁଛି। ତେଣୁ ହକି ପ୍ରେମୀ ଓଡ଼ିଶାବାସୀଙ୍କୁ ମହାମାରୀ କରୋନା ଭୂତାଣୁ ବିପକ୍ଷରେ ଲଢ଼େଇ ପାଇଁ ଏହି ସହାୟତା ଦେଉଛୁ ବୋଲି ହକି ଇଣ୍ଡିଆ କହିଛି। ଓଡ଼ିଶା ସରକାର କରୋନା ବିପକ୍ଷ ଲଢ଼େଇରେ ସବୁଠୁ ଆଗରେ ରହିଛନ୍ତି। ସରକାରଙ୍କ ଦୂରଦୃଷ୍ଟି ଯୋଗୁଁ ଓଡ଼ିଶାରେ ଏହାର କରୋନା କାୟାବିସ୍ତାର କରିପାରୁନାହିଁ। ଏପରି ସଂକଟଜନକ ସ୍ଥିତିରେ ଆମର ସ୍ବଳ୍ପ ଅବଦାନ କରୋନା ଆକ୍ରାନ୍ତଙ୍କ କାର୍ଯ୍ୟରେ ଲାଗିପାରିବ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ। ସଭାପତିଙ୍କ ଏଭଳି ଚିନ୍ତାଧାରାକୁ ମଧ୍ୟ ସମର୍ଥନ ଜଣାଇଛନ୍ତି ହକି ଇଣ୍ଡିଆ ମହାସଚିବ ରାଜିନ୍ଦର ସିଂହ। ଓଡ଼ିଶାକୁ ଏହି ସହାୟତା ପାଇଁ ମୁଁ ଗର୍ବିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର