ବିଜୟଧାରା ଲମ୍ବାଇବା ଆମର ଲକ୍ଷ୍ୟ

-ଭିଭିଏସ୍‌ ଲକ୍ଷ୍ମଣ-

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଦ୍ବାଦଶ ସଂସ୍କରଣର ଗତ ୧୦ ଦିନ ମଧ୍ୟରେ ଚମତ୍କାର କ୍ରିକେଟ୍‌ ଦେଖିବାକୁ ମିଳିଛି। ବିଭିନ୍ନ ଦଳମାନଙ୍କ ଦର୍ଶନୀୟ ଶୈଳୀ ଓ ଦମ୍‌ଦାର ପ୍ରଦର୍ଶନ ଏହି ପ୍ରତିଯୋଗିତାକୁ ଆରମ୍ଭରୁ ଜୀବନ୍ତ କରିତୋଳିଛି। ସେଥିପାଇଁ ମୋର ଆଶା ପରବର୍ତୀ ୬ ସପ୍ତାହ ମଧ୍ୟ ଆହୁରି ଆକର୍ଷଣୀୟ ହେବ। ଆମ ଦୃଷ୍ଟିରୁ, ସନ୍‌ ରାଇଜର୍ସ ହାଇଦ୍ରାବାଦ ‌ଯେଭଳି ପରାଜୟରୁ ବାହାରି ବିଜୟ ଧାରାରେ ରହିଛି ତାହା ମୋତେ ଖୁବ୍‌ ଆନନ୍ଦିତ କରିଛି। ଆମ ଦଳ ପ୍ରଥମ ମ୍ୟାଚ୍‌କୁ କେକେଆର୍‌ଠୁ ଆଶ୍ଚର୍ଯ୍ୟଜନକ ଭାବେ ହାରିଯିବା ପରେ ଆଉ ପଛକୁ ଫେରି ଚାହିଁନାହିଁ। ଅବଶ୍ୟ କେକେଆର୍‌ ବିପକ୍ଷ ମ୍ୟାଚ୍‌ ୧୭ ଓଭର ଶେଷ ପର୍ଯ୍ୟନ୍ତ ଆମ ନିୟଂତ୍ରଣରେ ରହିଥିଲା। ହେଲେ ଆନ୍ଦ୍ରେ ରସେଲ୍‌ ବିସ୍ଫୋରକ ରୂପ ଦେଖାଇ ଆମଠୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ମୁଁ ଦଳ ସହ ଜଡ଼ିତ ଥିଲେ ମଧ୍ୟ ହାଇଦ୍ରାବାଦକୁ ସହାୟତା କରିପାରିନଥିଲି। ତଥାପି ପରାଜୟରୁ ବାହାରି ଯେପରି ଲଗାତାର ଦୁଇଟି ବିଜୟ ହାସଲ କରିଛୁ ତାହା ଚମତ୍କାର।
ଆମ ଫ୍ରାଞ୍ଚାଇଜ୍‌ର ମୂଳ ଲକ୍ଷ୍ୟ ହେଲା ଆମେ କାନ୍ଧରୁ ବୋଝ ଖସାଇନୁ କିମ୍ବା ମୁଣ୍ଡ ନୋଇନାହୁଁ। ଖେଳାଳିମାନଙ୍କ ନିକଟରେ ଯଥେଷ୍ଟ ଅଭିଜ୍ଞତା ଓ ସାମର୍ଥ୍ୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଜଣେ ସହକାରୀ ସଦସ୍ୟ ଭାବେ ଖେଳାଳିଙ୍କ ମାନସିକତା ବୃଦ୍ଧି କରିବା ମୋର କର୍ତବ୍ୟ। ଯେଉଁଥିପାଇଁ ଖେଳାଳିମାନେ ସେମାନଙ୍କ ଶ୍ରେଷ୍ଠତ୍ବ ଦେଇ ଗତ ୨ ମ୍ୟାଚ୍‌ରେ ଦମ୍‌ଦବା ଦେଖାଇ ପାରିଛନ୍ତି। ବିଶେଷକରି ଡେଭିଡ୍‌ ୱର୍ନର ସବୁଠୁ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଗୋଟିଏ ବର୍ଷ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଦୂରେଇ ରହିବା ପରେ ସେ ଯେମିତି ଭୋକିଲା ରହିଛନ୍ତି ତା’ର ପ୍ରମାଣ ଛାଡ଼ିଛନ୍ତି। ଜନି ବେୟାରଷ୍ଟୋ ମଧ୍ୟ ତାଙ୍କୁ ଭରପୁର ସହାୟତା ଦେଉଛନ୍ତି। ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଉଭୟଙ୍କ ଚମକ ଦେଖିବାକୁ ମିଳିଥିଲା। ବୋଲିଂରେ ରସିଦ୍‌ ଖାନ୍‌ଙ୍କ ଜବାବ ନାହିଁ। ଦଳରେ ଗଭୀରତା ହିଁ ଆମର ଶକ୍ତି। ବାଙ୍ଗାଲୋର ବିପକ୍ଷରେ ମହମ୍ମଦ ନବିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ଚୂଡାନ୍ତ ଏକାଦଶରେ ସୁଯୋଗ ପାଇଲା ମାତ୍ରେ ସେ ହାତଛଡ଼ା କରନ୍ତି ନାହିଁ। ଆମେ ୩ ମ୍ୟାଚ୍‌ରୁ ପ୍ରଥମ ୨ଟିରେ ଆମର ନିୟମିତ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ବିନା ଖେଳିଥିଲୁ। ହେଲେ ସେ ଫେରିବା ପରେ ଶକ୍ତି ବଢ଼ିଯାଇଛି। ତେଣୁ ଲଗାତାର ୨ ବିଜୟ ପରେ ଏବେ ସେହି ଧାରାକୁ ଲମ୍ବାଇବା ଆମର ଲକ୍ଷ୍ୟ ରହିଛି।

ସମ୍ବନ୍ଧିତ ଖବର