ଶ୍ରୀଲଙ୍କାର ଶୋଚନୀୟ ପରାଜୟ:ପାକିସ୍ତାନ ୫-୦ରେ ଶୃଙ୍ଖଳା ଜିତିଲା

ସାର୍‌ଜା: ସୀମିତ ଓଭର କ୍ରିକେଟ୍‌ରେ ପୂର୍ବତନ ବିଶ୍ୱବିଜେତା ଶ୍ରୀଲଙ୍କାର ଶୋଚନୀୟ ପରାଜୟ ଜାରି ରହିଛି। ପାକିସ୍ତାନ ବିପକ୍ଷ ପାଞ୍ଚ ଟିକିଆ ଶୃଙ୍ଖଳାର ପ୍ରଥମ ୪ ମ୍ୟାଚ୍‌କୁ ହାରି ୦-୪ରେ ପଛୁଆ ଥିବା ସିଂହଳୀ ଦଳ ସୋମବାର ପଞ୍ଚମ ତଥା ଶେଷ ଦିନିକିଆକୁ ମଧ୍ୟ ୯ ଓ୍ଵିକେଟ୍‌ରେ ହାରି ୦-୫ରେ ଶୃଙ୍ଖଳା ହାରିଛି। ତା’ ସହ ଦିନିକିଆ କ୍ରିକେଟ୍‌ରେ ଲଗାତାର ୧୨ ମ୍ୟାଚ୍‌ ହାରିବାର ଲଜ୍ଜାଜନକ ସ୍ଥିତିରେ ରହିଛି। ଟେଷ୍ଟ ଶୃଙ୍ଖଳାକୁ ଜିତି ଦିନିକିଆକୁ ଆସିଥିବା ଶ୍ରୀଲଙ୍କା ଆଶ୍ଚର୍ଯ୍ୟଜନକ ଭାବେ ପ୍ରତିପକ୍ଷ ପାକିସ୍ତାନ ଆଗରେ ପୂରା ଆତ୍ମସମର୍ପଣ କରିଛି।
ସାରଜାକୁ ପାକିସ୍ତାନ କ୍ରିକେଟ୍‌ ଦଳର ଗଡ଼ ବୋଲି କୁହାଯାଏ। ଏହା ନିରାଟ ସତ ବୋଲି ଶ୍ରୀଲଙ୍କାକୁ ଦଳି ମକଚି ପାକିସ୍ତାନ ପୁଣି ଥରେ ପ୍ରମାଣିତ କରିଛି। ସୋମବାରର ଶେଷ ଦିନିକିଆରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଉସମାନ ଖାନ୍‌ (୭-୦-୩୪-୫), ହାସନ ଅଲ୍ଲୀ (୫.୨-୦-୧୯-୨) ଓ ସଦାବ ଖାନ୍‌ (୫-୧-୨୪-୨)ଙ୍କ ଶାଣିତ ବୋଲିିଂର ସମ୍ମୁଖୀନ ହୋଇ ନପାରି ୨୬.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୧୦୩ ରନ୍‌ କରିପାରି ଥିଲା। ଦଳର ୬ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ସେପଟେ ପାକିସ୍ତାନ ୧୦୪ ରନ୍‌ର ଛୋଟିଆ ଲକ୍ଷ୍ୟକୁ ୨୯.୪ ଓଭର ପୂର୍ବରୁ କେବଳ ଗୋଟିଏ ଓ୍ଵିକେଟ୍‌ ବିନିମୟରେ ହାସଲ କରି ଶୃଙ୍ଖଳା ପୋଛି ନେଇଥିଲା। ପୂର୍ବତନ ଅଧିନାୟକ ଇଞ୍ଜମାମ ଉଲ୍‌ ହକଙ୍କ ପୁତୁରା ଇମାମ ଉଲ୍‌ ହକ୍‌ ୪୫* ଏବଂ ଫକର ଜମନ ୪୮ ରନ୍‌ କରିଥିଲେ। ଉସମାନ ଖାନ୍‌ ମ୍ୟାଚ୍‌ ଏବଂ ହାସନ ଅଲ୍ଲୀ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉସମାନ୍‌ ୨୧ ବଲ୍‌ ଭିତରେ ଶ୍ରୀଲଙ୍କାର ପାଞ୍ଚ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇବା ସୋମବାର ମ୍ୟାଚ୍‌ର ମୁଖ୍ୟ ଆକର୍ଷର ଥିଲା।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ୨୬.୨ ଓଭରରେ ୧୦୩ (ଥିସାରା ପେରେରା ୨୫, ଲାହିରୁ ଥିରିମାନେ ୧୯, ଉସମାନ ଖାନ୍‌ ୫/୩୪, ହାସନ ଅଲ୍ଲୀ ୨/୧୯, ସଦାବ ଖାନ୍‌ ୨/୨୪)। ପାକିସ୍ତାନ ୨୦.୨ ଓଭରରେ ୧୦୫/୧ ( ଫକର ଜମନ ୪୮, ଇମାମ-ଉଲ୍‌-ହକ୍‌ ୪୫, ଜେଫ୍ରି ଭାଣ୍ଡରସେ ୧/୩୦)।

ସମ୍ବନ୍ଧିତ ଖବର