ଦ୍ବୈତ ସ୍ୱାର୍ଥ ମାମଲାରୁ ଜାତୀୟ କ୍ରିକେଟ୍‌ ଏକାଡେମି ମୁଖ୍ୟ ରାହୁଲ ଦ୍ରାବିଡ଼ ମୁକ୍ତ

ନୂଆଦିଲ୍ଲୀ : ଦ୍ବୈତ ସ୍ବାର୍ଥ ମାମଲାରୁ ଜାତୀୟ କ୍ରିକେଟ୍‌ ଏକାଡେମି ମୁଖ୍ୟ ରାହୁଲ ଦ୍ରାବିଡ଼ ମୁକ୍ତ ହୋଇଛନ୍ତି। ବିସିସିଆଇ ‌ନୈତିକ ଅଧିକାରୀ ଜଷ୍ଟିସ୍ ଡି‌କେ ଜୈନ ଗୁରୁବାର ଦ୍ରାବିଡ଼ ଦ୍ବୈତ ସ୍ବାର୍ଥ ମାମଲାରେ ଜଡ଼ିତ ନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ‌ଦ୍ରାବିଡ଼ ଦ୍ବୈତ ସ୍ବାର୍ଥରେ ଜଡ଼ିତ ଥିବା ନେଇ ତଦନ୍ତରୁ ମୁଁ କୌଣସି ପ୍ରମାଣ ପାଇଲିନି। ଫଳରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ରଦ୍ଦ କରାଯାଇଛି। ଏଥିସହ ବିସିସିଆଇକୁ ଏହି ଶୁଣାଣିର ନକଲ ପଠାଯାଇଛି ବୋଲି ଜଷ୍ଟିସ୍‌ ଜୈନ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବତନ ଭାରତୀୟ ଅଧିନାୟକ ଦ୍ରାବିଡ଼ ଏନ୍‌ସିଏର ଅଧ୍ୟକ୍ଷ ସହ ଇଣ୍ଡିଆ ସିମେଣ୍ଟ୍‌ ଗ୍ରୁପ୍‌ର ଉପସଭାପତି ରହିଥିବା ନେଇ ମଧ୍ୟପ୍ରଦେଶ କ୍ରିକେଟ୍‌ ସଂଘର ଆଜୀବନ ସଦସ୍ୟ ସଞ୍ଜୟ ଗୁପ୍ତା ତାଙ୍କ ନାମରେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆଣିଥିଲେ। ଇଣ୍ଡିଆ ସିମେଣ୍ଟ ମାଲିକାନାରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ ରହିଛି। ଏହି ଦୁଇଟି ସଂସ୍ଥା ସହ ଦ୍ରାବିଡ଼ ଜଡ଼ିତ ଥିବାରୁ ଗୁପ୍ତାଙ୍କ ଅଭିଯୋଗ ପରେ ନୈତିକ ଅଧିକାରୀ ଶ୍ରୀ ଜୈନ ଦ୍ରାବିଡ଼ଙ୍କୁ ନୋଟିସ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ଦ୍ରାବିଡ଼ ମଧ୍ୟ ଜ‌ଷ୍ଟିସ୍‌ ଜୈନ୍‌ଙ୍କ ସମ୍ମୁଖରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ।

ସମ୍ବନ୍ଧିତ ଖବର