ରାହୁଲ-ପନ୍ତ ପରାକ୍ରମ ବେକାର:ପଞ୍ଚମ ଟେଷ୍ଟ୍‌କୁ ୧୧୮ ରନ୍‌ରେ ହାରିଲା ଭାରତ

ଇଂଲଣ୍ଡ ୪-୧ରେ ଶୃଙ୍ଖଳା ବିଜୟୀ:କୁକ୍‌ ମ୍ୟାଚ୍‌, କୋହଲି-କରନ୍‌ ଶୃଙ୍ଖଳା ଶ୍ରେଷ୍ଠ

ଲଣ୍ଡନ୍‌: ଶେଷ ଟେଷ୍ଟ୍‌କୁ ଇଂଲଣ୍ଡ ୧୧୮ ରନ୍‌ରେ ଜିତି ନେଇଛି। ତା’ ସହ ୪-୧ରେ ଶୃଙ୍ଖଳା ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପାଞ୍ଚ ଟିକିଆ ଶୃଙ୍ଖଳାକୁ ପୂର୍ବରୁ ହାରି ସାରିଥିବା ଭାରତ ସାନ୍ତ୍ୱନାମୂଳକ ବିଜୟରେ ଗସ୍ତ ଶେଷ କରିବାର ସୁଯୋଗ ହରାଇଛି। ଲୋକେଶ ରାହୁଲ ଏବଂ ଋଷବ ପନ୍ତଙ୍କ ଜାଜ୍ଜୁଲ୍ୟମାନ ଶତକ ସତ୍ତ୍ୱେ କୋହଲି ବାହିନୀ ପୁଣି ଥରେ ଇଂଲଣ୍ଡ ଆଗରେ ଆତ୍ମସମର୍ପଣ କରିଛି। ୪୬୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୩୪୫ରେ ଅଲଆଉଟ୍‌ ହୋଇ ଯାଇଛି। ଆଇସିସି ଟେଷ୍ଟ୍‌ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଇଂଲଣ୍ଡ ପ୍ରଥମ ସ୍ଥାନରେ ଥିବା ଭାରତକୁ ଏକତରଫା ଭାବେ ହରାଇ ଏକ ବଡ଼ ବିପର୍ଯ୍ୟୟ ମଧ୍ୟ ସୃଷ୍ଟି କରିଛି।
୪ ଟେଷ୍ଟ୍‌ ଓ ୯ ପାଳି ପରେ ଲୋକେଶ ରହୁଲ (୧୪୯)ଙ୍କ ବ୍ୟାଟ୍‌ ରନ୍‌ କଲା। ଯୁବ ଓ୍ଵିକେଟ୍‌ ରକ୍ଷକ ଋଷବ ପନ୍ତ୍‌ (୧୧୪) ମଧ୍ୟ ପରାକ୍ରମ ଦେଖାଇଲେ। ଉଭୟ ମିଶି ଷଷ୍ଠ ଓ୍ଵିକେଟ୍‌ରେ ୨୦୪ ରନ୍‌ ଯୋଡ଼ି ଇଂଲଣ୍ଡ ବୋଲରଙ୍କର ତୀବ୍ର ପ୍ରତିରୋଧ କଲେ। ହେଲେ ଭାରତ ପରାଜୟକୁ ଟାଳି ପାରିଲେ ନାହିଁ। ଉଭୟଙ୍କୁ ୧୭ ବଲ୍‌ ଭିତରେ ଆଉଟ୍‌ କରି ଇଂଲଣ୍ଡ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କଲା। ୪୬୪ ରନ୍‌ର ଅସାଧ୍ୟ ଲକ୍ଷ୍ୟକୁ ପିଛା କରି ରାହୁଲ ୩୨୫ ଏବଂ ପନ୍ତ ୩୨୮ ରନ୍‌ର ଦଳୀୟ ସ୍କୋରରେ ଆଉଟ୍‌ ହେଲା ପରେ ଇଂଲଣ୍ଡ ମାତ୍ର ୧୭ ରନ୍‌ ଭିତରେ ଭାରତର ବଳକା ୩ ଓ୍ଵିକେଟ୍‌ ଝଡ଼ାଇ ବିଜୟୀ ହେଲା। ଭାରତର ଦୁଃସ୍ୱପ୍ନ ପାଲଟିଥିବା ଜେମ୍ସ ଆଣ୍ଡରସନ୍‌ ଶୃଙ୍ଖଳାର ଶେଷ ଓ୍ଵିକେଟ୍‌ ଭାବେ ମହମ୍ମଦ ସାମିଙ୍କୁ ବୋଲ୍ଡ କରି ଇଂଲଣ୍ଡ ବିଜୟରେ ମୁଣ୍ଡି ମାରିଲେ। ତା’ ସହ ନିଜ ପୂର୍ବତନ ଅଧିନାୟକ ଆଲେଷ୍ଟର କୁକ୍‌ଙ୍କୁ ସ୍ମରଣୀୟ ମ୍ୟାଚ୍‌ ଏବଂ ଶୃଙ୍ଖଳା ବିଜୟ ଉପହାର ମଧ୍ୟ ଦେଲେ। ବ୍ୟକ୍ତିଗତ ଭାବେ କୁକ୍‌ ମଧ୍ୟ ନିଜ ଶେଷ ଟେଷ୍ଟ୍‌ର ପ୍ରଥମ ପାଳିରେ ଅର୍ଧଶତକ ଏବଂ ଦ୍ୱିତୀୟରେ ଶତକ ଜମାଇ ଅଭୁଲା ଅଭିଜ୍ଞତା ପାଇଲେ। ସେ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସାମ୍‌ କରନ୍‌ ଓ କୋହଲି ମିଳିତ ଭାବେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଓଭାଲ ପିଚ୍‌ରେ ପଞ୍ଚମ ଦିନ ଚତୁର୍ଥ ପାଳି ଖେଳି ୪୬୪ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିବା କଷ୍ଟକର ଥିଲା। ଚତୁର୍ଥ ଦିବସରେ ଭାରତ ୨ ରନ୍‌ରେ ଧାଓ୍ଵନ, ପୂଜାରା ଓ ଅଧିନାୟକ ବିରାଟ କୋହଲିଙ୍କୁ ହରାଇବା ପରେ ଏହା ଏକବାର ଅସମ୍ଭବ ହୋଇ ଯାଇଥିଲା। ତଥାପି ରାହୁଲ ଏବଂ ପନ୍ତ୍‌ କ୍ରିଜରେ ଥିଲା ବେଳେ ଭାରତ ମ୍ୟାଚ୍‌ ବଞ୍ଚାଇନେବ ବୋଲି ଆଶା କରାଯାଉଥିଲା। ଏହି ଦୁଇ ଜଣ କେବଳ ଓ୍ଵିକେଟ୍‌୍‌ ବଞ୍ଚାଇ ନଥିଲେ, ଦ୍ରୁତ ରନ୍‌ ମଧ୍ୟ କରିଥିଲେ। ଫଳରେ ଏକଦା ଭାରତ ଅସାଧ୍ୟକୁ ସାଧ୍ୟ କରିବ ବୋଲି ଆଶା ଜାଗ୍ରତା ହୋଇଥିଲା। ହେଲେ ଠିକଣା ସମୟରେ ଓ୍ଵିକେଟ୍‌ ନେଇ ଇଂଲଣ୍ଡ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଚତୁର୍ଥ ବିଜୟ ପାଇଲା। ରାହୁଲ ଏହା ପୂର୍ବରୁ ନିଜ ପଞ୍ଚମ ଏବଂ ପନ୍ତ୍‌ ପ୍ରଥମ ଶତକ ହାସଲ କରିନେଇଥିଲେ। ଭାରତ ଚତୁର୍ଥ ଦିନର ସ୍କୋର ୫୮/୩ରୁ ଖେଳ ଆରମ୍ଭ କରି ମଙ୍ଗଳବାର ଆଉ ୨୮୭ ରନ୍‌ରେ ବଳକା ୭ ଓ୍ଵିକେଟ୍‌ ହରାଇଥିଲା। ଉତ୍‌ଥାନ ପତନ ଭରା ପଞ୍ଚମ ମ୍ୟାଚ୍‌ର ପ୍ରଥମ ପାଳିରେ ଇଂଲଣ୍ଡ ୩୩୨ ରନ୍‌ କରିଥିଲା। ଜବାବରେ ଭାରତ ୨୯୨ ରନ୍‌ କରି ୪୦ ରନ୍‌ରେ ପଛୁଆ ରହିଥିଲା। ଇଂଲଣ୍ଡ ୪୨୩/୮ରେ ଦ୍ୱିତୀୟ ପାଳି ଘୋଷଣା କରିବା ପରେ ଭାରତ ସମ୍ମୁଖରେ ୪୬୪ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।
ମ୍ୟାକ୍‌ଗ୍ରାଙ୍କୁ କାଟିଲେ ଆଣ୍ଡରସନ୍‌
ଭାରତ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟର ଅନ୍ତିମ ଦିବସରେ ମହମ୍ମଦ ସାମିଙ୍କ ଓ୍ଵିକେଟ୍‌ ଦଖଲ କରି ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ଇଂଲଣ୍ଡ୍‌ ବିଜୟ ମୁଣ୍ଡି ମାରିଥିଲେ। ଏଥି ସହିତ ନିଜର ଓ୍ଵିକେଟ୍‌ ସଂଖ୍ୟା ୫୬୪ରେ ପହଞ୍ଚାଇଥିଲେ ଆଣ୍ଡରସନ୍‌। ଫଳରେ ଆଣ୍ଡରସନ୍‌ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଗ୍ଲେନ୍‌ ମ୍ୟାକ୍‌ଗ୍ରା (୫୬୩)ଙ୍କୁ କାଟି ଦେଇଥିଲେ। ମ୍ୟାକ୍‌ଗ୍ରା ୧୨୪ ଟେଷ୍ଟ୍‌ରୁ ୫୬୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲା ବେଳେ ଆଣ୍ଡରସନ୍‌ଙ୍କୁ ଏହାକୁ ଟପିବା ପାଇଁ ୧୪୩ ଟେଷ୍ଟ ଖେଳିବାକୁ ପଡ଼ିଥିଲା। ମ୍ୟାକ୍‌ଗ୍ରାଙ୍କୁ ଟପିବା ସହିତ ଆଣ୍ଡରସନ୍‌ ସର୍ବାଧିକ ଓ୍ଵିକେଟ୍‌ ଦଖଲରେ ଇଂଲଣ୍ଡ୍‌ର ପ୍ରଥମ ବୋଲର ହୋଇଥିଲା ବେଳେ ବିଶ୍ୱର ଚତୁର୍ଥ ହୋଇଛନ୍ତି। ଏବେ ଆଣ୍ଡରସନ୍‌ ବିଶ୍ୱର ତିନି ସ୍ପିନ୍‌ କିମ୍ବଦନ୍ତୀ ଶ୍ରୀଲଙ୍କା ମୁଥେୟା ମୁରଲୀଧରନ୍‌ (୮୦୦), ଅଷ୍ଟ୍ରେଲିଆର ସେନ୍‌ ଓ୍ଵର୍ନ (୭୦୮) ଏବଂ ଭାରତର ଅନିଲ କୁମ୍ବଲେ (୬୧୯)ଙ୍କ ପଛକୁ ରହିଛନ୍ତି। ଆଣ୍ଡରସନ୍‌ ମଧ୍ୟ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ସର୍ବାଧିକ ଓ୍ଵିକେଟ୍‌ ଅକ୍ତିଆର କରିବାର ଗୌରବ ବହନ କରିଛନ୍ତି। ଅନ୍ୟ ପକ୍ଷରେ ଆଲେଷ୍ଟର କୁକ୍‌ ମଧ୍ୟ ଇଂଲଣ୍ଡର ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍‌ସମ୍ୟାନ୍‌ ଭାବେ ବିଦାୟ ନେଇଛନ୍ତି। କୁକ୍‌ ୧୬୧ ଟେଷ୍ଟ୍‍ରୁ ୧୨,୪୭୨ ରନ୍‌ କରି ସର୍ବାଧିକ ରନ୍‌ ସଂଗ୍ରହକାରୀ ତାଲିକାରେ ପଞ୍ଚମ ସ୍ଥାନରେ ରହିଲେ। କୁକ୍‌ଙ୍କ ଉପରକୁ ଭାରତର ରାହୁଲ୍‌ ଦ୍ରାବିଡ୍‌ (୧୩,୨୮୮), ଦକ୍ଷିଣ ଆଫ୍ରିକାର ଜାକ୍ସ କାଲିସ୍‌ (୧୩,୨୮୯), ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୧୩,୩୭୮) ଏବଂ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର (୧୫,୯୨୧) ରହିଛନ୍ତି।

ସମ୍ବନ୍ଧିତ ଖବର