ରାଇଜିଂ ଜିତିଲା କଟକ ପ୍ରିମିୟର ଲିଗ୍‌:ସୂର୍ଯ୍ୟକାନ୍ତ ଓ ପ୍ରତୀକ ଶ୍ରେଷ୍ଠ

କଟକ/ଜଗତପୁର: ରାଇଜିଂ ଷ୍ଟୁଡେଣ୍ଟସ କ୍ଲବ୍‌ କଟକ ପ୍ରିମିୟର ଲିଗ୍‌ର ବିଜେତା ହୋଇଛି। ନିମପୁର ସ୍ପୋର୍ଟ୍ସ ଓ କ୍ରିକେଟ କ୍ଲବ୍‌ ଆନୁକୂଲ୍ୟରେ ଖେଳାଯାଇଥିବା ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ରାଇଜିଂ ଷ୍ଟୁଡେଣ୍ଟସ ୪ ଓ୍ଵିକେଟରେ ସୋଲାରକୁ ହରାଇଛି। ଟସ୍‌ ଜିତି ରାଇଜିଂ ଷ୍ଟୁଡେଣ୍ଟସ ବୋଲିଂ କରିଥିଲା। ବ୍ୟାଟିଂ ବିପର୍ଯର୍୍ୟୟର ସମ୍ମୁଖୀନ ହୋଇ ସୋଲାର ୧୯.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୭୬ ରନ୍‌ କରିଥିଲା। ପ୍ରଦୀପ୍ତ ଦାଶ ୧୧, ସତ୍ୟଜୀତ ସାବତ ୧୫ ରନ୍‌ କରିଥିଲାବେଳେ ଅନ୍ୟମାନେ ଦୁଇ ଅଙ୍କ ସ୍ପର୍ଶ କରିପାରି ନଥିଲେ।

ରାଇଜିଂର ସୂର୍ଯ୍ୟକାନ୍ତ ପ୍ରଧାନ ୩, ଦେବପ୍ରିୟ ପଟ୍ଟନାୟକ ୩, ବିପ୍ଳବ ସାମନ୍ତରାୟ ୨, ଆଲୋକ ସାହୁ ଓ ଶୁଭମ୍‌ ନାୟକ ଗୋଟିଏ ଲେଖାଏଁ ଓ୍ଵିକେଟ ପାଇଥିଲେ। ୭୭ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରାଇଜିଂ ମଧ୍ୟ ଆରମ୍ଭରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଆଲୋକ ସାହୁ ୮, ପ୍ରତୀକ ତ୍ରିପାଠୀ ୧୨, ଅରବିନ୍ଦ ସିଂହ ୧୨, ପି ରୋଶନ କୁମାର ରାଓ ୭, ବିଭୂଦତ୍ତ ପଣ୍ଡା ୫ ଓ ବିପ୍ଳବ ସାମନ୍ତରାୟ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ। ମଧ୍ୟକ୍ରମରେ ସୁଜିତ ଲେଙ୍କା ୧୬* ଓ ସୂର୍ଯ୍ୟକାନ୍ତ ପ୍ରଧାନ ୮* ରନ୍‌ କରି ୧୫.୩ ଓଭରରେ ଦଳକୁ ଜିତାଇଥିଲେ। ସୋଲାର ପକ୍ଷରୁ ମଳୟ ଜେନା ୨, ତାପସ ଦାସ ୨ ଓ ଆନନ୍ଦ ସାହୁ ଗୋଟିଏ ଲେଖାଏଁ ଓ୍ଵିକେଟ ଅକ୍ତିଆର କରିଥିଲେ।
ଉଦ୍‌ଯାପନୀ ସମାରୋହରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ବିଜେତା ଦଳକୁ ଟ୍ରଫି ସହ ୪୦ ହଜାର ଟଙ୍କା ଏବଂ ଉପ ବିଜେତା ଦଳକୁ ଟ୍ରଫି ସହ ୨୫ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା। ଏହି ଅବସରରେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ରାଇଜିଂ ଷ୍ଟୁଡେଣ୍ଟସର ପ୍ରତୀକ ତ୍ରିପାଠୀଙ୍କୁ ୪ ହଜାର ଟଙ୍କା, ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ, ଶ୍ରେଷ୍ଠ ବୋଲର ନିମପୁର କ୍ଲବ୍‌ର ପ୍ରକାଶ ପଣ୍ଡାଙ୍କୁ ଟ୍ରଫି ସହ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ହାଇଟେକ୍‌ ମେଡିକାଲ୍‌ କଲେଜର କ୍ରୀଡ଼ା ନିର୍ଦ୍ଦେଶକ ପ୍ରେମ୍‌ ରଂଜନ ଓଝା, କଟକ ପବ୍ଲିକ୍‌ ସ୍କୁଲ୍‌ ସଭାପତି ଜିତେନ୍ଦ୍ର ଗୁପ୍ତା, କ୍ଲବ୍‌ ଉପଦେଷ୍ଟା ଆରତ ରଂଜନ ବିଶ୍ୱାଳ, ନିମପୁର କ୍ଲବ୍‌ ସଭାପତି ବିଭୂ ଶତପଥୀ, ସମ୍ପାଦକ ତଥା ମଲ୍‌ବେରୀ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ନୃସିଂହ ଚରଣ ପରିଡ଼ା, ଉପ ସଭାପତି ବିରବର ନାୟକ, ଯୁଗ୍ମ ସମ୍ପାଦକ ଫକିର ଦଳାଇ, ଲଳିତେନ୍ଦୁ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ତାପସ ଦାସ, ବିଶ୍ୱଜିତ ମହାନ୍ତି, ନବକିଶୋର ସ୍ୱାଇଁ, ଶରତ ମହାନ୍ତି, ଲଗ୍ନଜିତ ବେଜ୍‌, ଅକ୍ଷୟ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପବିତ୍ର ପ୍ରଧାନ, ଅସିତ୍‌ ପଟ୍ଟନାୟକ ଓ ସିପି ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର