ଫେୟାର୍‌ ପ୍ଲେ ନିୟମ ବଦଳିବନି: ଫିଫା

ମସ୍କୋ: ବିଶ୍ୱକପ୍‌ର ଫେୟାର୍‌ ପ୍ଲେ ନିୟମରେ କୌଣସି ପରିବର୍ତନ କରାଯିବା ଯୋଜନା ନାହିଁ ବୋଲି ଫୁଟ୍‌ବଲ୍‌ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫିଫା ସ୍ପଷ୍ଟ କରି ଦେଇଛି। ଗୁରୁବାର ସେନେଗାଲ୍‌କୁ ଫେୟାର ପ୍ଲେ ଆଧାରରେ ପଛରେ ପକାଇ ଜାପାନ ପ୍ରିକ୍ୱାର୍ଟରରେ ପହଞ୍ଚିବା ବିବାଦ ପରେ ଫିଫା ଏଭଳି ସ୍ପଷ୍ଟୀକରଣ ରଖିଛି। ବୁଧବାର ପୋଲାଣ୍ଡ୍‌ ୧-୦ରେ ଜାପାନକୁ ହରାଇ ଦେଇଥିଲା। କିନ୍ତୁ ଗ୍ରୁପ୍‌ ‘ଏଚ୍‌’ରେ ଜାପାନ ଓ ସେନେଗାଲ୍‌ ସମାନ ୪ ପଏଣ୍ଟ୍‌ ଓ ସମାନ ଗୋଲ୍‌ ବ୍ୟବଧାନ ସ୍ଥିିତିରେ ରହିବାରୁ ପୂର୍ବ ନିର୍ଧାରିତ ଫେୟାର ପ୍ଲେ ଆଧାରରେ ଜାପାନ ଯୋଗ୍ୟତା ଅର୍ଜନ କରିଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ କମ୍‌ ହଳଦିଆ କାର୍ଡ ପାଇଥିବାରୁ ଜାପାନ ଏହାର ଫାଇଦା ଉଠାଇଥିଲା। ଏହି କାରଣରୁ ୧୯୮୨ ମସିହାରେ ପଶ୍ଚିମ ଜର୍ମାନି ବନାମ ଅଷ୍ଟ୍ରିଆ ଫଳାଫଳ ମନେ ପଡ଼ିଥିଲା। ସେତେବେଳେ ପରସ୍ପରକୁ ସୁହାଇବା ଭଳି ଫଳାଫଳ ରଖି ଜର୍ମାନି ୧-୦ ଗୋଲ୍‌ରେ ଜିତିଥିଲା। ଉଭୟ ଦଳକୁ ଏହା ଫାଇଦା ଦେଇଥିଲା। ସେଭଳି ଖରାପ ପରମ୍ପରାକୁ ପଛରେ ପକାଇବା ଲାଗି ପ୍ରଥମ ଥର ପାଇଁ ବରିଷ୍ଠ ବର୍ଗର ଫିଫା ବିଶ୍ୱକପ୍‌ରେ ଫେୟାର୍‌ ପ୍ଲେ ନିୟମ ଲାଗୁ କରାଯାଇଛି ବୋଲି ଫିଫାର ପ୍ରତିଯୋଗିତା ମୁଖ୍ୟ ତଥା ଇଭେଣ୍ଟ୍‌ ଅଧିକାରୀ କଲିନ୍‌ ସ୍ମିଥ୍‌ କହିଛନ୍ତି। ଦଳଗୁଡ଼ିକ ପଡ଼ିଆରେ ଯେଭଳି ପ୍ରଦର୍ଶନ କଲେ ସେହି ଆଧାରରେ ଆଗକୁ ଯିବା ଉଚିତ୍‌, କିନ୍ତୁ ଡ୍ର’ ଉଠାଣରେ ନୁହେଁ ବୋଲି ସେ କହିଥିଲେ। ତଥାପି ଏ ବିଶ୍ୱକପ୍‌ ପରେ ଆମକୁ କିଭଳି ପ୍ରତିକ୍ରିୟା ମିଳୁଛି ତାକୁ ବି ବିଚାରକୁ ନେବୁ। କିନ୍ତୁ ବର୍ତମାନ ପାଇଁ ନୁହେଁ ବୋଲି ସ୍ମିଥ୍‌ କହିଥିଲେ।

ସମ୍ବନ୍ଧିତ ଖବର