ସିଡ୍‌ନି ଟେଷ୍ଟ୍‍: ଇଂଲଣ୍ଡ ୨୩୩/୫

ସିଡ୍‌ନି: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଆସେସ୍‌ ଟେଷ୍ଟ୍‍ ସିଡ୍‌ନି କ୍ରିକେଟ୍‌ ପଡ଼ିଆ (ଏସ୍‌ସିଜି)ରେ ଗୁରୁବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଇଂଲଣ୍ଡ ୫ ଓ୍ଵିକେଟ୍‌ରେ ୨୩୩ ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଅଧିକାଂଶ ଖେଳାଳି ଭଲ ଆରମ୍ଭକୁ ବଡ଼ ସ୍କୋର୍‌ ସମ୍ଭାବନାରେ ରୂପାନ୍ତର କରିପାରି ନାହାଁନ୍ତି। ଜୋ ରୁଟ୍‌ (୮୩, ୧୪୧ ବଲ୍‌, ୮ ଚୌକା) ଅର୍ଧଶତକକୁ ଶତକରେ ପରିଣତ କରିପାରିନଥିଲେ। ଆଲେଷ୍ଟର୍‌ କୁକ୍‌ (୩୯, ୧୦୪ ବଲ୍‌) ଏବଂ ଜୋ ଭିନ୍‌ସ (୨୫, ୫୪ ବଲ୍‌) ୧୦୦ ଓ ୫୦ରୁ ଅଧିକ ବଲ୍‌ ଖେଳିଥିଲେ ମଧ୍ୟ ଆଉଟ୍‌ ହୋଇଯାଇଥିଲେ। ଷ୍ଟୋନ୍‌ମ୍ୟାନ୍‌ ୨୪ ବଲ୍‌ରୁ ୨୪ ରନ୍‌ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଆସିନଥିଲା। ଇଂଲଣ୍ଡ ୯୫ ରନ୍‌ରେ ୩ ଓ୍ଵିକେଟ୍‌ ହରାଇଥିଲା। ରୁଟ୍‌ ଏବଂ ମଲନ୍‌ (୫୫*, ୧୬୦ ବଲ୍‌, ୫ ଚୌକା) ୧୩୩ ରନ୍‌ ଭାଗୀଦାରି କରି ସ୍ଥିତି ସମ୍ଭାଳି ନେଇଥିଲେ। ହେଲେ ଦିନର ଶେଷ ୭ ବଲ୍‌ ଭିତରେ ରୁଟ୍‌ ଏବଂ ବେୟାରଷ୍ଟୋ (୫)ଙ୍କୁ ଯଥାକ୍ରମେ ମିଚେଲ ଷ୍ଟାର୍କ ଓ ଜୋସ୍‌ ହାଜେଲ୍‌ଉଡ୍‌ ଆଉଟ୍‌ କରି ଇଂଲଣ୍ଡକୁ ପୁଣି ପଛଧାଡ଼ିକୁ ଠେଲି ଦେଇଥିଲେ। ତେବେ ବର୍ଷା ଯୋଗୁଁ ପ୍ରଥମ ଦିବସ ମଧାହ୍ନବିରତି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନଥିଲା।
ସୂଚନାଯୋଗ୍ୟ, ୫ ମ୍ୟାଚ୍‌ ବିଶିଷ୍ଟ ଆସେସ୍‌ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ପ୍ରଥମରୁ ୩-୦ ଅଗ୍ରଣୀ ନେଇ ଜିତି ସାରିଛି। ଚତୁର୍ଥ ଟେଷ୍ଟକୁ ଇଂଲଣ୍ଡ ଅମୀମାଂସିତ ରଖିବାରେ ସକ୍ଷମ ହୋଇଥିଲା।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୮୧.୪ ଓଭରରେ ୨୩୩/୫ (ଜୋ ରୁଟ୍‌-୮୩, ଆଲେଷ୍ଟର୍‌ କୁକ୍‌-୩୯, ଡି ମଲନ୍‌-୫୫*, ପ୍ୟାଟ୍‌ କମିନ୍‌ସ-୨/୪୪, ଜୋସ୍‌ ହାଜେଲଉଡ୍‌-୨/୪୭, ମିଚେଲ୍‌ ଷ୍ଟାର୍କ-୧/୬୩)।

ସମ୍ବନ୍ଧିତ ଖବର